ଆନ୍ଧ୍ର ପ୍ରଦେଶରୁ ଘରକୁ ଫେରୁଥିବା ବେଳେ ଟ୍ରେନ୍‌ରୁ ପଡ଼ି ଯୁବକ ମୃତ

ବାମରା: ସମ୍ବଲପୁର ଜିଲ୍ଲା ବାମରା ବାମରା ବ୍ଲକ ରଙ୍ଗିଆଟିକିରା ପଞ୍ଚାୟତ ରେଂଘାପଡ଼ା ଗ୍ରାମର ଉଦେଶ୍ବର କମାରଙ୍କ ପୁଅ ବ୍ରିଜେଶ କମାର (୨୨) ଚଳିତ ବର୍ଷ ଫେବ୍ରୁଆରି ୬ ତାରିଖ ଦିନ ଭୁବନେଶ୍ୱରର ଏକ ଠିକା ସଂସ୍ଥା ଜରିଆରେ ଆନ୍ଧ୍ରପ୍ରଦେଶର ଏକ ସହରକୁ ଦାଦନ ଖଟିବାକୁ ଯାଇଥିଲେ। ପ୍ରାୟ ସାଢ଼େ ୩ ମାସ କାମ କରି ଚଳିତ ମାସ ୨୫ ତାରିଖ ଦିନ ଟ୍ରେନ୍‌ରେ ଫେରୁଥିଲେ।

୨୬ ତାରିଖ ଦିନ ପରିବାର ଲୋକେ କଥା ହେବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କର ମୋବାଇଲ ସୁଇଚ୍‌ ଅଫ ରହିଥିଲା। ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶ ଜିଆର୍‌ପି ପକ୍ଷରୁ ପରିବାର ବର୍ଗଙ୍କ ସୂଚନା ଦିଆଯାଇଥିଲା ଯେ ଟୁନି ରେଲୱେ ଷ୍ଟେସନ ନିକଟରେ କୌଣସି ଟ୍ରେନ୍‌ରୁ ଖସି ବ୍ରିଜେଶଙ୍କ ମୃତ୍ୟୁ ହୋଇ ଯାଇଛି। ଶୁକ୍ରବାର ଅପରାହ୍‌ଣରେ ବ୍ରିଜେଶଙ୍କ ସ୍ତ୍ରୀ ଓ ପରିବାର ଲୋକେ ଗୋବିନ୍ଦପୁର ଥାନାକୁ ଆସି ଥାନା ଅଧିକାରୀ ଅଜୟ ଜେନାଙ୍କୁ ଶବ ଆଣିବାରେ ସହଯୋଗ କରିବାକୁ ଗୁହାରି କରିଥିଲେ। ଥାନା ଅଧିକାରୀ ଶ୍ରୀ ଜେନା ସେଠାକାର ଜିଆର୍ପି ପୁଲିସ ସହିତ ଯୋଗାଯୋଗ କରି ଶବ ଆଣିବାକୁ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ମୃତ ବ୍ରିଜେଶ ୨ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ବର୍ଷକର ପୁଅଟିଏ ଅଛି।

ସମ୍ବନ୍ଧିତ ଖବର