ବିଦ୍ୟୁତ ବିଭାଗ ଅବହେଳାରୁ ଗଲା ଜୀବନ

ଶକ୍ତି ସଚିବଙ୍କୁ କୈଫିୟତ ତଲବ କଲେ ଏନ୍‌ଏଚ୍‌ଆରସି

ଅସୁରାଳି: ଗତ ଅଗଷ୍ଟ ୧୮ତାରିଖରେ ଧାମନଗର ବ୍ଲକ କଟସାହି ପଞ୍ଚାୟତ ବାଉତରାପାଳ ଗାଁର ରମେଶ ଚନ୍ଦ୍ର ନାୟକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟଣା ଏବେ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଛି।

ବିଭାଗୀୟ ଦାୟିତ୍ୱହୀନତା ଏବଂ ଅବହେଳାକୁ ଦାୟୀ କରି ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏ ନେଇ ଏକ ପିଟିସନ  ଦାଏର କରିଥିବା ବେଳେ ଏହାକୁ ଗୁରୁତ୍ୱ ଦେଇ ଜାତୀୟ ଆୟୋଗ ରାଜ୍ୟ ଶକ୍ତି ସଚିବଙ୍କୁ ଆସନ୍ତା ୬ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାସ ୧୮ତାରିଖରେ ସ୍ଥାନୀୟ ସହିଦନଗର ନିକଟସ୍ଥ ବାଉତରାପାଳ ଗ୍ରାମର ବାବାଜୀ ଚରଣ ନାୟକଙ୍କ ପୁଅ ରମେଶ(୫୬) ବିଲ କାମ ସାରି ଘରକୁ ଫେରି ଗାଧୋଇବାକୁ ଯିବା ବେଳେ ନିକଟରେ ଛିଣ୍ଡି ଓହଳି ପଡ଼ିଥିବା ଏଲ୍‌ଟି ଲାଇନରେ ଲାଗି ଯାଇଥିଲେ। ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ  ଧୂଷୁରୀ ଥାନାରେ ୨୩/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିଲା।

ବିଦ୍ୟୁତ ବିଭାଗର ଅବହେଳାରୁ ରମେଶଙ୍କ ଜୀବନ ଅକାଳରେ ଚାଲି ଯାଇଥିବା ଦର୍ଶାଇ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ ଦାଏର କରି ବିଦ୍ୟୁତ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର