ଅଧରାତିରେ ମଝିନଈରୁ ଯୁବକଙ୍କୁ ଉଦ୍ଧାର

ଚାନ୍ଦବାଲି: ବିଳମ୍ବିତ ରାତିରେ ବୈତରଣୀ ନଦୀ ମଝିରୁ ଡଙ୍ଗା ସାହାଯ୍ୟରେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଫଳରେ ନିଶ୍ଚିତ ମୃତ୍ୟୁ ମୁହଁରୁ ବର୍ତ୍ତିଗଲେ ଯୁବକ।

ଗତକାଲି ରାତି ପାଖାପାଖି ୧୨ଟା ବେଳେ ଜଣେ ଯୁବକ ସ୍ଥାନୀୟ ଅରଣ୍ୟ ନିବାସ ପାଖରେ ବୈତରଣୀ ନଦୀକୁ ଡେଇଁ ପଡିଥିଲେ। ଯୁବକ ଜଣକ ପାଣି ସୁଅରେ ଭାସି ଆସି ବଡବଜାର ପାଖରେ ନଦୀରେ ବୋଟ ବନ୍ଧା ହେବା ପାଇଁ ପୋତା ଯାଇଥିବା ବାଉଁଶକୁ ଧରି କୂଳ ଠାରୁ ୭୦ ମିଟର ଦୂରରେ ବସି ରହିଥିଲେ। ପ୍ରାଏ ୧ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବସି ରହିଥିଲେ। ନଦୀରେ ଗଭୀର ପାଣି ସାଙ୍ଗକୁ  ଜୁଆର ଥିବାରୁ ଭୟ ଲାଗୁଥିଲା। ତା ସହିତ କୁମ୍ଭୀର ଭୟ। କେହି ଯିବାକୁ ସାହସ କରୁନଥିଲେ। ଦେଖୁ ଦେଖୁ ସ୍ଥାନୀୟ ଯୁବକମାନେ ରୁଣ୍ଡ ହୋଇଯାଇଥିଲେ।

ସ୍ଥାନୀୟ ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ତୁରନ୍ତ ଚାନ୍ଦବାଲି ଅଗ୍ନିଶମ ବାହିନୀର ୬ଜଣିଆ ଟିମ ପହଞ୍ଚି ମତ୍ସ୍ୟଜୀବୀଙ୍କ ଡଙ୍ଗା ନେଇ କିଛି ଯୁବକ ଏବଂ ଅଗ୍ନିଶମ ବାହିନୀର ୪ଜଣ କର୍ମଚାରୀ ନଦୀ ମଧ୍ୟରୁ ଯୁବକଙ୍କୁ ଉଦ୍ଧାର କରି ଉପରକୁ ଆଣିଥିଲେ। ଯୁବକଙ୍କ ମାନସିକ ସ୍ଥିତି ଠିକ୍‌ନାହିଁ। ତାଙ୍କୁ ଉଦ୍ଧାର ପରେ ଚାନ୍ଦବାଲି ମେଡିକାଲକୁ ନିଆଯାଇଥିଲା। ଯୁବକଙ୍କ ପରିଚୟ ମିଳିନାହିଁ। ନିଶ୍ଚିତ ମୃତ୍ୟୁ ମୁଖରୁ ଯୁବକ ଜଣଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯାଇଥିବାରୁ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଯୁବକଙ୍କ ଉଦ୍ୟମର ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର