ବାଲେଶ୍ୱର : ରିଅଲ ଭିଜନ୍‌ ଇଣ୍ଟରନ୍ୟାସନାଲ ଲିମିଟେଡ୍‌ ଠକେଇ ସଂସ୍ଥାର ବାରିପଦା ଶାଖା ପରିଚାଳକ ରୋହିତ ସାହୁ ଓରଫ୍‌ ଝଣ୍ଟୁଙ୍କୁ ଜେଲ୍‌ ଦଣ୍ଡାଦେଶ ହୋଇଛି। ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟର ବିଚାରପତି ବିଶ୍ୱଜିତ ଦାସ ଆଜି ଏହି ମାମଲାରେ ୧୩ଜଣ ସାକ୍ଷୀ, ୨୬ଟି ଦଲିଲ ଓ ଦସ୍ତାବିଜକୁ ଭିତ୍ତି କରି ଦୋଷୀକୁ ୩ବର୍ଷ ଜେଲ୍‌ ଦଣ୍ଡ ସହ ୬୨ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ଆଦେଶ କରିଛନ୍ତି।

Advertisment

ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ରିଅଲ ଭିଜନ ଇଣ୍ଟରନ୍ୟାସନାଲ ଲିମିଟେଡ୍‌ ବାରିପଦା ଷ୍ଟେସନ ବଜାର ନିକଟରେ ତାର ଶାଖା କାର୍ଯ୍ୟାଳୟ ଖୋଲି ଅନେକ ଜମାକାରୀଙ୍କୁ ଲକ୍ଷାଧିକ ଟଙ୍କା ଠକିଥିବା ୨୦୧୩ ମେ’ ୧୦ ତାରିଖରେ ବାରିପଦା ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗରେ ଠକ ସଂସ୍ଥାର ଶାଖା ପରିଚାଳକ ରୋହିତ ଦାସଙ୍କ ସମେତ ପରିଚାଳନା ନିର୍ଦ୍ଦେଶକ ସୁଧୀର ବେହେରା, ନିର୍ଦ୍ଦେଶକ ବିଦେଶୀ ବେହେରା, ବିକ୍ରମ ମହାନ୍ତି ଓ ସମୀର ଭୌମିକଙ୍କ ନାଁ ଉଲ୍ଲେଖ କରାଯାଇଥିଲା। ପୁଲିସ୍‌ ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିବା ବେଳେ କୋର୍ଟରେ ମାମଲା ବିଚାରାଧୀନ ଥିଲା। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର୍‌ ପ୍ରଣବ ପଣ୍ଡା ମାମଲା ପରିଚାଳନା କରିଥିଲେ।