ମାଲକାନଗିରି: ଚାଷ କାମରେ ପାରଙ୍ଗମ। ପାହାଡ଼ିଆ ଇଲାକାରେ ଶଗଡ଼ ଟାଣିବାରେ ଧୁରନ୍ଧର। ଦିନକୁ ୪ରୁ ୬ଲିଟର କ୍ଷୀର ଦେଇଥାଏ। ଆୟୁଷ ୧୫ରୁ ୧୬ବର୍ଷ ହୋଇଥିବା ବେଳେ ଜୀବନକାଳ ଭିତରେ ଜନ୍ମ ଦେଇଥାଏ ୭ରୁ ୮ଟି ଛୁଆ। ଭାରତର ଅନ୍ୟ ବିରଳ ପ୍ରାଣୀଙ୍କ ମଧ୍ୟରୁ ମାଳଭୂମିର ମଣ୍ଡା ମଇଁଷି ଅନ୍ୟତମ ହୋଇଥିବାରୁ ୧୯ତମ ଜାତୀୟ ମାନ୍ୟତା ପ୍ରଦାନ କରିଥିଲେ ସରକାର। କିନ୍ତୁ ବେପାରୀଙ୍କ ଲୋଲୁପ ଦୃଷ୍ଟି କାରଣରୁ ହ୍ରାସ ପାଇବାରେ ଲାଗିଛି ମଣ୍ଡା ମଇଁଷିଙ୍କ ସଂଖ୍ୟା। ଗତ ୫ବର୍ଷ ମଧ୍ୟରେ ସଂଖ୍ୟା ୫୦ ପ୍ରତିଶତ ହ୍ରାସ ପାଇଥିବାରୁ ଏମାନଙ୍କ ବଂଶରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି।

Advertisment

୨୦୨୦ରେ ରାଜ୍ୟ ସରକାର କରିଥିବା ଗଣନା ଅନୁଯାୟୀ, ରାଜ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ବ ମଣ୍ଡା ମଇଁଷି ଥିଲେ। ମାଲକାନଗିରି ଜିଲ୍ଲାରେ ଏମାନଙ୍କ ସଂଖ୍ୟା ଥିଲା ୬ ହଜାର ୪୦୦ । ୨୦୨୫ରେ ସଂଖ୍ୟା ଖସି ଆସିଛି ୩ରୁ ୪ ହଜାରକୁ। ମଣ୍ଡା ଜାତିର ମଇଁଷି କେବଳ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ହିଁ ଦେଖିବାକୁ ମିଳେ। ନବରଙ୍ଗପୁରରେ ମଣ୍ଡାଙ୍କ ସଂଖ୍ୟା ନଗଣ୍ୟ। ବିଶେଷ କରି ବଣ୍ଡାଘାଟି, ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ଅଞ୍ଚଳରେ ଅଧିକ ପରିମାଣର ମଣ୍ଡା ଦେଖାଯାନ୍ତି। ଏକଦା ଚାଷବାସ ପାଇଁ ମାଳଭୂମିରେ ମଣ୍ଡା ମଇଁଷଙ୍କ ଅଧିକା ଚାହିଦା ରହିଥିଲା। କୃଷି କାର୍ଯ୍ୟରେ ମେସିନର ବ୍ୟବହାର ପରେ ଗୁରୁତ୍ବ ହ୍ରାସ କରିଛି।

ଜାତୀୟ ମାନ୍ୟତା ସତ୍ତ୍ବେ ବଂଶରକ୍ଷା ଉଦ୍ୟମ ନାହିଁ
୫ ବର୍ଷରେ ସଂଖ୍ୟା ୫୦ ପ୍ରତିଶତ ହ୍ରାସ
ଗୋରୁ ଗୋଠରୁ ହାଇଦ୍ରାବାଦ ଚାଲାଣ

ଯାହାର ଫାଇଦା ନେଇ ଗୋ ମାଫିଆ ସକ୍ରିୟ ହୋଇ ପଡ଼ିଛନ୍ତି। ବିଭିନ୍ନ ଗୋରୁ ହାଟରୁ ପ୍ରତି ସପ୍ତାହରେ ମାଫିଆ ଗୋରୁ ସହ ମଣ୍ଡା ମଇଁଷିକୁ କିଣି ନେଉଛନ୍ତି। ଜଙ୍ଗଲ ଓ ରାଜରାସ୍ତାରେ ଚଲାଇ ଓଡ଼ିଶା ସୀମା ପାର କରାଉଛନ୍ତି। ପ୍ରତି ଗୋଠରେ ୨୦୦ରୁ ଊର୍ଦ୍ଧ୍ବ ଗୋରୁ ଚାଲାଣ ହେଉଥିବା ବେଳେ ସେ ଭିତରେ ୫୦ରୁ ୬୦ ମଣ୍ଡା ମଇଁଷି ରହିଥାନ୍ତି। ହାଇଦ୍ରାବାଦର ନାମୀଦାମୀ ହୋଟଲରେ ମଣ୍ଡା ମଇଁଷି ମାଂସର ଢେର ଚାହିଦା ରହିଛି। ସେଠାରେ ଏହି ମାଂସ କିଲୋ ୪୦୦ରୁ ୫୦୦  ଟଙ୍କାରେ ବିକ୍ରି ହୋଇଥାଏ। ଦଲାଲ ମାଲକାନଗିରି ଓ କୋରାପୁଟରୁ ଗୋଟିଏ ମଣ୍ଡା ମଇଁଷିକୁ ୮ରୁ ୯ ହଜାର ଟଙ୍କାରେ କିଣି ୨୦ ହଜାରରେ ବିକ୍ରି କରିଥାନ୍ତି। ମଣ୍ଡା ମଇଁଷିର ଓଜନ ୪ କ୍ବିଣ୍ଟାଲରୁ ୫ କ୍ବିଣ୍ଟାଲ ପର୍ଯ୍ୟନ୍ତ ହୋଇଥାଏ। ମଣ୍ଡାର ଶିଙ୍ଗ ଔଷଧ ଭାବେ କାମ କରୁଥିବାର ଏହାର ଦାମ ଅଧିକା। 

ମାଲକାନଗିରି ଜିଲ୍ଲାର କୋୟା ସଂପ୍ରଦାୟର ଲୋକେ ଏହି ଶିଙ୍ଗକୁ ସଂଗ୍ରହ କରି ବାଦ୍ୟଯନ୍ତ୍ରରେ ବ୍ୟବହାର କରିଥାନ୍ତି। ଗତ ୫ବର୍ଷରେ ମଣ୍ଡା ମଇଁଷିଙ୍କ ସଂଖ୍ୟା ୫୦ ପ୍ରତିଶତକୁ ଖସି ଆସିବା ପରେ ମଧ୍ୟ ଏହାର ସରଂକ୍ଷଣ ପାଇଁ ସରକାର ଚିନ୍ତା କରୁନାହାନ୍ତି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଗଗନ ନାୟକ ମଣ୍ଡା ମଇଁଷିଙ୍କ ସଂଖ୍ୟା ହ୍ରାସକୁ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ମଣ୍ଡା ମଇଁଷିକୁ ଛାଡ଼ିଲେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମୋଟ ୧ ଲକ୍ଷ ୪୩ ହଜାର ୫୬୯ଟି ବିଭିନ୍ନ ପ୍ରକାର ମଇଁଷି ରହିଛନ୍ତି।