କୋଭିଡ୍‌ କଟକଣାରେ ଖୋଲିବ ମଣ୍ଡି, ମେ’ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ

ଜିଲ୍ଲାପାଳଙ୍କୁ ଚିଠି ଲାଗି ମାର୍ଗଦର୍ଶିକା ଜାରି କଲା ବିଭାଗ, ଛତିଶଗଡ଼ ସୀମାନ୍ତରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦେଶ

ଭୁବନେଶ୍ବର : କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭିତରେ ବି ମେ’ ପ୍ରଥମ ସପ୍ତାହରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। କରୋନା କଟକଣା ମାନି ଧାନ ସଂଗ୍ରହ କରିବା ଲାଗି ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗକୁ ନିର୍ଦେଶ ଦେଇଛନ୍ତି। ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଜିଲ୍ଲାପାଳମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି। ଭିଡ଼ ଏଡ଼ାଇବା ପାଇଁ ଗୋଟିଏ କେନ୍ଦ୍ରରେ ଦିନକୁ ୩୦ରୁ ୩୫ ପର୍ଯ୍ୟନ୍ତ ଚାଷୀଙ୍କଠାରୁ ଧାନସଂଗ୍ରହ କରାଯିବ। ଏଥିରୁ ଊର୍ଦ୍ଧ୍ୱ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇପାରିବ ନାହିଁ। ୧୦-୧୨ ଜଣ ଚାଷୀଙ୍କୁ ଦିନର ନିର୍ଦିଷ୍ଟ ସମୟରେ ଧାନ ବିକ୍ରି ପାଇଁ ଆସିବା ନିମନ୍ତେ ସୂଚନା ଦିଆଯିବ। ଆବଶ୍ୟକ ପଡ଼ିଲେ ଭିଡ଼ ଏଡ଼ାଇବା ପାଇଁ ଅଧିକ ସଂଖ୍ୟକ ଧାନସଂଗ୍ରହ କେନ୍ଦ୍ର ଖୋଲାଯିବ। ଜିଲ୍ଲାପାଳମାନେ ଏଥିନିମନ୍ତେ ତୁରନ୍ତ ପଦକ୍ଷେପ ନେବା ପାଇଁ କୁହାଯାଇଛି।

ଧାନସଂଗ୍ରହ କେନ୍ଦ୍ରରେ ଚାଷୀ ଏବଂ ଶ୍ରମିକ ଓ ଅନ୍ୟ କର୍ମକର୍ତ୍ତାମାନଙ୍କ ପାଇଁ ସାନିଟାଇଜରର ବ୍ୟବସ୍ଥା କରାଯିବ। କେନ୍ଦ୍ରର ପ୍ରବେଶ ପଥରେ ହିଁ ସାନିଟାଇଜର ରଖାଯିବ। ପ୍ରତ୍ୟେକ କେନ୍ଦ୍ରରେ ପର୍ଯ୍ୟାପ୍ତ ସଂଖ୍ୟକ ସାନିଟାଇଜର ମହଜୁଦ ଅଛି କି ନାହିଁ, ସେ ସଂପର୍କରେ ନିବନ୍ଧକ, ସମବାୟ ସମିତି ସମୂହ ନିଶ୍ଚିତ କରିବେ। ସେହିପରି ମିସନ ଶକ୍ତିର ନିର୍ଦ୍ଦେଶକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାନିଟାଇଜର ଉପଲବ୍ଧ କରାଇବେ। ଯେଉଁସବୁ କେନ୍ଦ୍ର ଭିଡ଼ ଏଡ଼ାଇବା ଦିଗରେ ବିଫଳ ହେବେ ସେମାନଙ୍କୁ ଧାନସଂଗ୍ରହ କରିବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ।

ସରକାର ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି ଯେ ପ୍ରତିଦିନ ସକାଳ ୭ ଘଟିକାଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଧାନସଂଗ୍ରହ କରାଯିବ। ଅପରାହ୍ନରେ କଷ୍ଟମ ମିଲରମାନଙ୍କ ଦ୍ୱାରା ଧାନ ଉଠାଣ କାର୍ଯ୍ୟ କରାଯିବ। ଚାଷୀ ଚିହ୍ନଟ ନିମନ୍ତେ ଆଇରିସ୍‌ ସ୍କାନରକୁ ପ୍ରତିଥର ବ୍ୟବହାର ପୂର୍ବରୁ ସାନିଟାଇଜ୍‌ କରାଯିବ। ଧାନସଂଗ୍ରହ କେନ୍ଦ୍ରକୁ କେବଳ ସୋସାଇଟିର କର୍ମକର୍ତ୍ତା, ମିଲରଙ୍କ ପ୍ରତିନିଧି, ଶ୍ରମିକ, ସେହିଦିନ ଧାନ ବିକିବା ନିମନ୍ତେ ନିର୍ଦ୍ଧାରିତ ଚାଷୀ ଏବଂ ଗାଡ଼ିର ଡ୍ରାଇଭର ଓ ହେଲପର ବ୍ୟତୀତ ଆଉ କାହାକୁ ପ୍ରବେଶର ଅନୁମତି ପ୍ରଦାନ କରାଯିବ ନାହିଁ। ବାହାରର କୌଣସି ଲୋକ ମଣ୍ଡି ଭିତରକୁ ପ୍ରବେଶ କଲେ ତୁରନ୍ତ ଜିଲ୍ଲା ପ୍ରଶାସନଙ୍କୁ ଖବର ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି।

ବିଭାଗ କହିଛି, ଭିନ୍ନ ଭିନ୍ନ କାର୍ଯ୍ୟ ସଂପାଦନ ନିମନ୍ତେ ମଣ୍ଡିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯିବ ଏବଂ ଏଗୁଡ଼ିକ ମଧ୍ୟରେ ଅନ୍ୟୂନ ୩ ମିଟର ବ୍ୟବଧାନ ରହିବ। କେନ୍ଦ୍ରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀମାନଙ୍କୁ ସେମାନଙ୍କ ଧାନ ବିକିବା ପାଳି ଓ ସମୟ ସଂପର୍କରେ ସୂଚିତ କରାଯିବ। କେନ୍ଦ୍ରରେ କୌଣସି ପ୍ରକାର ଧୂମପାନ କିମ୍ବା ଛେପ ପକାଇବା ପାଇଁ ନିଷେଧ କରାଯାଇଛି। ଧାନସଂଗ୍ରହ କେନ୍ଦ୍ରରେ ବିନା ମାସ୍କରେ କାହାରିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ସେହିପରି କେନ୍ଦ୍ରରେ କାହାରିକୁ ଜ୍ୱର କିମ୍ବା ଥଣ୍ଡା ହୋଇଥିବା ଦେଖାଗଲେ, ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯିବ। ଧାନସଂଗ୍ରହରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ହାତରେ ନନ୍‌ସର୍ଜିକାଲ ଗ୍ଲୋବସ୍‌ ପିନ୍ଧିବା ପାଇଁ ନିର୍ଦେଶ ଦିଆଯାଇଛି।
ମନ୍ତ୍ରୀ କହିଛନ୍ତି, ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ଯେପରି ପଡ଼ୋଶୀ ରାଜ୍ୟର ଧାନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିପାରିବ ନାହିଁ।

ଉଲ୍ଲେଖଥାଉକି, ଚଳିତ ରବି ଧାନସଂଗ୍ରହ କାର୍ଯ୍ୟ ରାଜ୍ୟର ୧୭ଟି ଜିଲ୍ଲାରେ ହେବ। ସେଗୁଡିକ ହେଲା, ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର। ଏଥି ନିମନ୍ତେ ମୋଟ ୨ ଲକ୍ଷ ୨୩ ହଜାର ୨୨୨ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ବିଭାଗ ପକ୍ଷରୁ ସେମାନଙ୍କ ସଂପର୍କରେ ଯାଞ୍ଚ କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର