ବାଲେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଜିଲ୍ଲାରେ ୨୨୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଭୋଗରାଇ ବ୍ଳକ୍‌ ଶଙ୍ଖାରୀଠାରେ ମନ୍ମଥ-ମନୋଜ ଐତିହାସିକ ସ୍ମାରକୀ ପୀଠର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଦୁଇ ମହାନ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ବକୀୟ ପ୍ରତିଭା ଓ ଜ୍ଞାନ ବଳରେ ମନ୍ମଥ ଦାସ ଓ ମନୋଜ ଦାସ ସାରା ଦେଶକୁ ଗର୍ବିତ କରିଛନ୍ତି। ଇତିହାସ ଓ ସାହିତ୍ୟ ସଂରଚନା କ୍ଷେତ୍ରରେ ଉଭୟଙ୍କର ଅବଦାନ ଅବିସ୍ମରଣୀୟ। ଦୁହେଁ କାଳ କାଳକୁ ଅମର ହୋଇ ରହିବେ। ମୁଖ୍ୟମନ୍ତ୍ରୀ ନୀଳଗିରି ଉପଖଣ୍ଡରେ ରହୁଥିବା ଜନଜାତିଙ୍କ ପାଇଁ ‘ଲାଭ’ ଯୋଜନାର ଶୁଭାରମ୍ଭ କରିଥିଲେ। ଏହା ଦ୍ୱାରା ଆଦିବାସୀ ଭାଇଭଉଣୀମାନେ ଲଘୁ ବନଜାତ ଦ୍ରବ୍ୟ ଉପରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇପାରିବେ। ସେ ଆହୁରି କହିଥିଲେ, ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବାଲେଶ୍ୱରବାସୀ ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ଭିତ୍ତି କରି ସେ ଆଜି ଜିଲ୍ଲାରେ ୨୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିସହିତ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦର ବସ୍ତି ଲୋକଙ୍କୁ ଜାଗା ମିସନ୍‌ରେ ଜମି ଅଧିକାର ପ୍ରମାଣପତ୍ର ବଣ୍ଟନ କରାଯାଇଥିବା ବେଳେ ବାଲେଶ୍ୱର ସହର ପାଇଁ ମୁଖ୍ୟମନ୍ତ୍ରୀ ଇ-ବସ୍ ସେବାର ଶୁଭାରମ୍ଭ କରିଥିଲେ। ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Advertisment

ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, ଆଜି ବାଲେଶ୍ୱରବାସୀଙ୍କ ପାଇଁ ଏକ ଐତିହାସିକ ଦିନ। ଏ ମାଟିର ଦୁଇ ବରପୁତ୍ରଙ୍କର ସ୍ମୃତିରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଆଜି ଜିଲ୍ଲାବାସୀଙ୍କୁ ଉତ୍ସାହିତ କରିଛି। ଏହି ଦୁଇ ବରପୁତ୍ରଙ୍କ ବ୍ୟବହୃତ ସମସ୍ତ ସାମଗ୍ରୀ ଭୁବନେଶ୍ୱର ଓ ପଣ୍ଡିଚେରୀରୁ ସଂଗୃହୀତ ହୋଇଛି। ଆଗାମୀ ଦିନରେ ଏହି ସ୍ମାରକୀ ପୀଠ ସାଧାରଣ ଜନତା, ପର୍ଯ୍ୟଟକ, ସାହିତ୍ୟିକ ଓ ଗବେଷକଙ୍କ ପାଇଁ ପ୍ରମୁଖ ଆକର୍ଷଣର କେନ୍ଦ୍ର ହେବ। ବାଲେଶ୍ବର ରିଜର୍ଭ ପୁଲିସ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଓ ବାଲେଶ୍ବର ସଦର ବିଧାୟକ ସ୍ୱରୂପ କୁମାର ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ। ଆମ ମାଟିର ଏହି ଦୁଇ କୃତୀ ସନ୍ତାନଙ୍କ ସମ୍ମାନାର୍ଥେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସ ବାଲେଶ୍ୱରବାସୀ ସବୁଦିନ ମନେ ରଖିବେ। ଜିଲ୍ଲାର ବିକାଶ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ହାତକୁ ନେଇ ବାଲେଶ୍ବରକୁ ଏକ ବିକାଶଶୀଳ ଜିଲ୍ଲା ଭାବେ ପରିଣତ କରିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଧନ୍ୟବାଦ ଦେଇଥିଲେ।