ଭୁବନେଶ୍ବର: ବିଶ୍ବ ତାପନ ପାଇଁ ଆମେ ପାଶ୍ଚାତ୍ୟ ଦେଶମାନଙ୍କୁ ଦାୟୀ କରି ଏବଂ ଶିଳ୍ପାୟନକୁ କବଚ କରି ଖସିଯିବାକୁ ଚେଷ୍ଟା କରୁଛୁ। ହେଲେ ବିଶ୍ବ ତାପନ ପାଇଁ ଭାରତ, ଚୀନ୍ ଓ ବ୍ରାଜିଲ ଏହି ତିନି ଦେଶ ବହୁମାତ୍ରାରେ ଦାୟୀ। ବିଶ୍ବ ତାପମାତ୍ରା ବଢ଼ାଉଥିବା ‘ମିଥେନ୍’ର ସବୁଠାରୁ ବଡ଼ ଉତ୍ପାଦକ ହେଉଛନ୍ତି ଏହି ସବୁ ଦେଶ। ପଶୁଜାତ ଖାଦ୍ୟ ଓ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନରେ ଏହି ତିନି ଦେଶ ଅଗ୍ରଣୀ ଭୂମିକା ନେଉଥିବା ବେଳେ ଏମାନେ ମିଶି ବିଶ୍ବର ୭୦% ମିଥେନ୍ ନିର୍ଗତ କରିଥାନ୍ତି। ବ୍ରାଜିଲ୍ ଆମାଜନ୍ ଜଙ୍ଗଲକୁ ଜାଳି ଗୋପାଳନ କରୁଛି। ଚୀନ୍ ଅଧିକ ପରିମାଣରେ କୁକୁଡ଼ା (ଚିକେନ୍) ଓ ଚାଉଳ ଉତ୍ପାଦନ କରୁଛି। ସେହିଭଳି ଭାରତ ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ସର୍ବାଧିକ ମାଂସ ରପ୍ତାନି କରୁଥିବା ରାଷ୍ଟ୍ର ମଧ୍ୟ। ଏହି ତିନି ଦେଶ ବିଶ୍ବ ତାପନ ପାଇଁ ଉତ୍ତରଦାୟୀ। ଅଥଚ ନିଜ ଦୁର୍ବଳତା ଲୁଚାଇବାକୁ ବିଶ୍ବ ତାପନ ପାଇଁ ଅଙ୍ଗାରକାମ୍ଳ ଓ ଶିଳ୍ପାୟନକୁ ଦାୟୀ କରି ଖସିଯିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ପରିବେଶବିତ୍ ମେନକା ସଞ୍ଜୟ ଗାନ୍ଧୀ।
ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ୍ଠାରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ର ତିନିଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀମତୀ ଗାନ୍ଧୀ କହିଥିଲେ, ପୁନଶ୍ଚ ପୃଥିବୀର ଅର୍ଥ କେବଳ ସମ୍ମିଳନୀରେ ସୀମିତ ନୁହେଁ। ଏହା ହେଉଛି ଆମେ ନିଜକୁ ଓ ମାନବିକତାକୁ ଦେଉଥିବା ଆଉ ଏକ ସୁଯୋଗ। ଆମେ ଏବେ ପରିବେଶ, ମାଟି, ପାଣି, ପବନ ଆଦିକୁ ନଷ୍ଟ କରୁନାହୁଁ, ମଣିଷର ବଞ୍ଚିବାର ସତ୍ତାକୁ ମଧ୍ୟ ଧ୍ବଂସ କରୁଛୁ। ଜଳବାୟୁ ପରିବର୍ତ୍ତନ ପାଇଁ ଆମେ ସବୁବେଳେ ଅଙ୍ଗାରକାମ୍ଳ, କଳକାରଖାନା, ଚିମିନି, ଗାଡ଼ିମୋଟର ଆଦିକୁ ଦାୟୀ କରିଥାଉ। କିନ୍ତୁ ବାସ୍ତବତା ଏହାଠାରୁ ବେଶ୍ ଭିନ୍ନ। ପୃଥିବୀକୁ ଉତ୍ତପ୍ତ କରୁଥିବା ସବୁଠାରୁ ବିପଜ୍ଜନକ ବାଷ୍ପ ଅଙ୍ଗାରକାମ୍ଳ ନୁହେଁ, ଏହା ହେଉଛି ‘ମିଥେନ୍’। ମିଥେନ୍କୁ ବୈଜ୍ଞାନିକମାନେ ଏକ ‘ସୁପର୍ ଇନ୍ସୁଲେଟେଡ୍ ଗ୍ୟାସ୍’ ବୋଲି କହିଥା’ନ୍ତି। କାରଣ ବାୟୁମଣ୍ଡଳରେ ଉତ୍ତାପକୁ ଧରି ରଖିବାରେ ମିଥେନ୍ ବାଷ୍ପ ଅଙ୍ଗାରକାମ୍ଳ ତୁଳନାରେ ୨୮ ଗୁଣ ଅଧିକ ପ୍ରଭାବଶାଳୀ। ଏବେ ବାୟୁମଣ୍ଡଳରେ ମିଥେନ୍ର ସାନ୍ଦ୍ରତା ରେକର୍ଡ ସ୍ତରରେ ପହଞ୍ଚିଛି। ଫଳରେ ବିଶ୍ବ ତାପମାତ୍ରା ବଢ଼ିବା ସହ ପୃଥିବୀ ଉତ୍ତପ୍ତ ହେବାରେ ଲାଗିଛି। ହେଲେ ଏତେ ମିଥେନ୍ ଆସୁଛି କେଉଁଠୁ?
କୌଣସି କଳକାରଖାନା ବା ଯାନବାହାନରୁ ନୁହେଁ, ପ୍ରାଣୀଜାତ ଓ ଦୁଗ୍ଧଜାତ ଦ୍ରବ୍ୟ ପାଇଁ ଆମେ ନିଇତି ନିର୍ଭର କରୁଥିବା କୋଟି କୋଟି ଜୀବଜନ୍ତୁଙ୍କଠାରୁ ଏହି ମିଥେନ୍ ବାଷ୍ପ ନିର୍ଗତ ହେଉଛି। ୭୦ ବିଲିୟନ୍ ଜୀବଜନ୍ତୁଙ୍କୁ ପ୍ରତିବର୍ଷ ଆମେ ନିଜ ଖାଦ୍ୟ ପାଇଁ ହତ୍ୟା କରୁଛୁ। ଫଳରେ ଏଥିରୁ ନିର୍ଗତ ହେଉଥିବା ମିଥେନ୍, କଳକାରଖାନା ଦ୍ବାରା ବାୟୁମଣ୍ଡଳକୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ତୁଳନାରେ ଢେର୍ ଗୁଣା ଅଧିକ। ତେବେ ଏଥିରେ ଓଡ଼ିଶାର ଅଂଶ ବି କିଛି କମ୍ ନୁହେଁ। ଓଡ଼ିଶାରେ ବର୍ଷକୁ ବର୍ଷ ମାଛ, ମାଂସ ଓ ଅଣ୍ଡା ଉତ୍ପାଦନ ବଢ଼ିବାରେ ଲାଗିଥିବା ବେଳେ ପ୍ରତିଦିନ ଏଠାରେ ୭୨ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦିତ ହେଉଛି। ବର୍ତ୍ତମାନର ସରକାର ଏହି ଉତ୍ପାଦନକୁ ୧୫୦ ଲକ୍ଷ ଲିଟରକୁ ବଢ଼ାଇବାକୁ ଚାହୁଁଛନ୍ତି। ଯାହାକି ମିଥେନ୍ ବାଷ୍ପର ନିର୍ଗତକୁ ଆହୁରି ବଢ଼ାଉଛି। ଅନ୍ୟପଟେ ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧ ଉତ୍ପାଦନ ବଢ଼ାଇବାକୁ ହର୍ମୋନ୍ ଓ ଆଣ୍ଟିବାୟୋଟିକ୍ର ସାହାରା ନିଆଯାଉଛି। ଫଳରେ ଗାଈ ତଥା ଜୀବଜନ୍ତୁଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସଂକ୍ରମଣ ଦେଖାଯାଉଛି। ଏହାର ପ୍ରଭାବରେ ମିଥେନ୍ ନିର୍ଗତ ଆଉ ଦୁଇ ଗୁଣା ବଢ଼ିଯାଉଛି।
‘ପୁନଶ୍ଚ ପୃଥିବୀ’ର ତିନିଦିନିଆ ସମ୍ମିଳନୀ
ଭାରତ, ଚୀନ୍, ବ୍ରାଜିଲ ବିଶ୍ବତାପନ ପାଇଁ ବହୁମାତ୍ରାରେ ଦାୟୀ
ଏକ ରୋଗଗ୍ରସ୍ତ ଗ୍ରହ ଜୀବଜନ୍ତୁଙ୍କୁ ରୋଗଣା କରେ ଏବଂ ରୋଗଣା ଜୀବଜନ୍ତୁ ଆମ ଗ୍ରହକୁ ଆହୁରି ଅଧିକ ବ୍ୟାଧିଗ୍ରସ୍ତ କରିଥା’ନ୍ତି। ପ୍ରକୃତିର ଏହି ଚକ୍ରକୁ ଆମକୁ ହିଁ ଅଟକାଇବାକୁ ପଡ଼ିବ। ଏଣୁ ଆମକୁ ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ କମାଇବା ସହ ଏହାର ଆହରଣ ବି କମାଇବାକୁ ପଡ଼ିବ। ଏଥିସହ ଅଧିକରୁ ଅଧିକ ବୃକ୍ଷରୋପଣ ଦ୍ବାରା ଆମେ ମିଥେନ୍କୁ ବାୟୁମଣ୍ଡଳରୁ କମାଇ ପାରିବା। ଯଦି ଆମେ ବୃକ୍ଷରୋପଣ କରି, ଶିଳ୍ପାୟନକୁ କମାଇବା ତେବେ ବି ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ପରିମାଣ ନିୟନ୍ତ୍ରଣ କରିବାକୁ ଆମକୁ ବହୁ ବର୍ଷ ଲାଗିଯିବ। କିନ୍ତୁ ଯଦି ଆମେ କେବଳ ଉଦ୍ଭିଦଭିତ୍ତିକ ଖାଦ୍ୟ ଖାଇବା ତେବେ ମାତ୍ର ୪ ବର୍ଷରେ ମିଥେନ୍ ପରିମାଣ କମାଇ ଆମେ ବିଶ୍ବ ତାପନକୁ ନିୟନ୍ତ୍ରଣକୁ ଆଣିପାରିବା ବୋଲି ଶ୍ରୀମତୀ ଗାନ୍ଧୀ କହିଥିଲେ।
ଅନ୍ୟତମ ଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଆଜିକାଲିର ସବୁଠାରୁ ବଡ଼ ସମସ୍ୟା ହେଉଛି ପ୍ରସଙ୍ଗହୀନତା। ଆମେ ଅଯଥା କଥା ନେଇ ଅଯଥା ବାଦବିବାଦରେ ଫସି ରହୁଛୁ। କିନ୍ତୁ ପରିବେଶ ଏଭଳି ଏକ ପ୍ରସଙ୍ଗ ଯାହାକୁ ନେଇ ସମସ୍ତେ ଏକମତ। ‘ବିନାଶ ବିନା ବିକାଶ ସମ୍ଭବ ନୁହେଁ’ ବୋଲି ଏକ ଧାରା ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ଭଳି ଏକ ପଛୁଆ ରାଜ୍ୟ ଆସନ୍ତା ୧୨ ବର୍ଷ ମଧ୍ୟରେ ଯେଉଁ ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଛି, ତାହା ପାଇଁ ଏବେ ବଡ଼ ଆହ୍ବାନ ସୃଷ୍ଟି ହୋଇଛି। ଅଳ୍ପ ବିନାଶରେ ଅଧିକ ବିକାଶ କିଭଳି କରି ହେବ ତାହା ଆମ ପାଇଁ ଆହ୍ବାନ। ସେଥିପାଇଁ ଆମେ କ’ଣ ଖାଇବା, କ’ଣ ପିଇବା ଓ ଆମ ଜୀବନଚର୍ଯ୍ୟା କେମିତି ରଖିବା ସେ କଥା ଚିନ୍ତା କରି ପାରିଲେ, କିଛି ପରିବର୍ତ୍ତନ ସମ୍ଭବ ହୋଇପାରିବ।
‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ସ୍ବାଗତ ଭାଷଣ ଦେବା ଅବସରରେ ସମସ୍ତେ ପରିବେଶ ଆନ୍ଦୋଳନରେ ଯୋଗ ଦେବାକୁ ଆହ୍ବାନ ଦେଇଥିଲେ। ପରିବେଶ ସହ ରାଜନୈତିକ ଆଗ୍ରହ ଯୋଡ଼ି ନ ହେଲେ ଏହାର ସୁଫଳ ମିଳିବ ନାହିଁ। ଏଣୁ ‘ସମ୍ବାଦ’ ପ୍ରତି ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ବିଧାୟକଙ୍କୁ ନେଇ ‘ପରିବେଶ ପଞ୍ଚାୟତ’ର ଆୟୋଜନ କରୁଛି। ବାରମ୍ବାର ଗୋଟିଏ କଥା କହିବା ଦ୍ବାରା ଲୋକଙ୍କ ମୁଣ୍ଡରେ ତାହା ଘର କରିଯାଏ। ଏଣୁ ବର୍ଷକୁ ‘ସମ୍ବାଦ’ର ୬୦ଟି ସ୍ବତନ୍ତ୍ର ପୃଷ୍ଠା ‘ପୁନଶ୍ଚ ପୃଥିବୀ’କୁ ଦିଆଯାଉଛି। ଏଥିସହ ପ୍ରତି ଘରେ ପରିବେଶ ଯୋଦ୍ଧା ତିଆରି କରିବାକୁ ୧୨ ବର୍ଷ ଅର୍ଥାତ୍ ୨୦୩୬ ମସିହା ପର୍ଯ୍ୟନ୍ତ ‘ପୁନଶ୍ଚ ପୃଥିବୀ’ ଅଭିଯାନ ହାତକୁ ନିଆଯାଇଥିବା ଶ୍ରୀମତୀ ପଟ୍ଟନାୟକ କହିଥିଲେ। ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ‘ସମ୍ବାଦ’ ଫେଲୋସିପ୍ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ୨୦୩୬ ମସିହା ଯାଏଁ ‘ସମ୍ବାଦ’ର ପୁନଶ୍ଚ ପୃଥିବୀ ଅଭିଯାନ ଚାଲୁରହିବ। ଏହି ଅବସରରେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ଉପରେ କାମ କରୁଥିବା ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତିତ୍ବଙ୍କୁ ‘ସମ୍ବାଦ’ ଫେଲୋସିପ୍ ପ୍ରଦାନ କରିବ। ପରିବେଶ ଓ ଜଳବାୟୁ ସମ୍ପର୍କିତ ଖବର ପରିବେଷଣ କରୁଥିବା ୫ ଜଣ ସାମ୍ବାଦିକଙ୍କୁ ଫେଲୋସିପ୍ ବାବଦରେ ୩୦ ହଜାର ଟଙ୍କା ଦିଆଯିବ। ଏଥିସହ ଗବେଷଣା, ତାଲିମ, ପ୍ରଶିକ୍ଷଣ ଓ ସହଯୋଗ ପାଇଁ ବି ସମସ୍ତ ଆବଶ୍ୟକ ଉପାଦାନ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ।