କୋରାପୁଟ/ଫୁଲବାଣୀ : ଆଗକୁ ଜୋରଦାର ହେବ ମାଓ ଅପରେସନ। ଏଥିପାଇଁ ବୈଷୟିକ ସହାୟତା ନିଆଯିବ ଏବଂ ଡ୍ରୋନ୍ ବ୍ୟବହାର କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୬ଟି ଡ୍ରୋନ୍ ମାଓବାଦୀଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବ। କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ମାଓ ମୁକାବିଲାର ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲ।

Advertisment

ବିଏସ୍‌ଏଫ୍‌ର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଡିଜିପି ସକାଳ ୧୦ଟାରେ ସୁନାବେଡ଼ାରେ ପହଞ୍ଚିବା ପରେ ମାଓ ମୁକାବିଲା ନେଇ ବିଏସ୍‌ଏଫ୍, କୋବ୍ରା ବାଟାଲିୟନ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆନ୍ଧ୍ର-ଓଡ଼ିଶା ସୀମାରେ ମାଓବାଦୀଙ୍କ ଗତିବିଧି ସଂପର୍କରେ ଶ୍ରୀ ବଂଶଲ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ, ଆଗାମୀଦିନରେ ମାଓ ଅପରେସନରେ ଡ୍ରୋନ୍ ସାମିଲ୍ ହେବ। ସୀମକ୍ଷା ବୈଠକରେ ରାଜ୍ୟ ପୁଲିସ୍ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡା, ଦକ୍ଷିଣଞ୍ଚାଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଡିଆଇଜି ବିଏସ୍‌ଏଫ୍‌ ଶୈଳେଶ କୁମାର, କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର, କୋରାପୁଟ ଏସ୍‌ପି ଅଭିନବ ସୋନକର ପ୍ରମୁଖ ଉପସ୍ଥିତ ରହିଥିଲେ। ଆଲୋଚନା ପରେ ଡିଜିପି କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିବା ସୂଚନା ମିଳିଛି।

ଏଥିସହିତ, ପୁଲିସ ନିର୍ଦ୍ଦେଶକ ଶ୍ରୀ ବଂଶଲ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀ ରିଜର୍ଭ ପଡ଼ିଆରେ ନୂଆ ବିଏସ୍‌ଏଫ୍‌ କ୍ୟାମ୍ପ୍‌ ଉଦ୍‌ଘାଟନ କରିଥିଲେ। ଜିଲ୍ଲା‌ରେ ମାଓ କାର୍ଯ୍ୟକଳାପ ଏବଂ ମୁକାବିଲା ଅଭିଯାନର ସମୀକ୍ଷା କରିଥିଲେ। ଡିଜି ଶ୍ରୀ ବଂଶଲଙ୍କ ସହିତ ଗନିର୍ଦ୍ଦେଶକ ଶ୍ରୀ ପଣ୍ଡା, ଆଇଜି (ଅପରେସନ୍‌) ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ୍‌ ସଞ୍ଜୀବ କୁମାର, ବିଏସ୍‌ଏଫ୍‌ ଆଇଜି ଦିନେଶ କୁମାର ଶର୍ମା ପ୍ରମୁଖ ଏହି ଗସ୍ତରେ ସାମିଲ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର, ବାଲିଗୁଡ଼ା ଏସ୍‌ଡିପିଓ ଏବଂ ଆଣ୍ଟିନକ୍ସଲ ସେଲ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

ଟିଫିନ୍‌ ବୋମା ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଏମ୍‌ଭି-୭୯ ଥାନା ଅନ୍ତର୍ଗତ ସୁଧାକୋଣ୍ଡା-ଆମପଦର ରାସ୍ତାର ଏକ କଲର୍ଭଟ ନିକଟରୁ ବିଏସ୍‌ଏଫ୍ ଯବାନମାନେ ଏକ ଟିଫିନ୍ ବୋମା ଉଦ୍ଧାର କରିବା ପରେ ନିଷ୍କ୍ରିୟ କରି ଦେଇଛନ୍ତି। ସୂଚନା ଅନୁଯାୟୀ, ବିଏସ୍ଏଫ୍‌ ୧୪୨ ବାଟାଲିୟନର ଯବାନମାନେ ଶନିବାର ସକାଳେ ତେଲରାଇ ପଞ୍ଚାୟତର ସୁଧାକୋଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ସୁଧାକୋଣ୍ଡା-ଆମପଦର ରାସ୍ତାର ଏକ କଲର୍ଭଟ ନିକଟରେ ଥିବା ଗଛ ତଳେ ବୋମା ଖଞ୍ଜା ଯାଇଥିବା ଯବାନମାନେ ଦେଖିବାକୁ ପାଇଥିଲେ। ପରେ ଯବାନମାନେ ୩ ଲିଟର ବିଶିଷ୍ଟ ଟିଫିନ୍‌ ବୋମା, ଗୋଟିଏ ଇଲୋଟ୍ରୋନିକ୍‌ ଡିଟୋନେଟର, ୨୦ ଫୁଟ ଲମ୍ବର ବିଦ୍ୟୁତ ତାର ଜବତ କରିଥିଲେ। ପରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ।