ମୂଳରୁ ସଜଡ଼ା ଯାଉନି ମଣ୍ଡି: ୧୦ କୋଟି ଯାଉଛି କୁଆଡ଼େ?

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଧାନକିଣା ବାବଦକୁ ପ୍ୟାକ୍ସ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ବର୍ଷକୁ ପ୍ରାୟ ୧୦ କୋଟି ଟଙ୍କା କମିସନ ମିଳୁଛି। ଏହି ଟଙ୍କାରେ ମଣ୍ଡିର ଭିତ୍ତିଭୂମି ସୁଦୃଢ଼ କରିବାର ନିୟମ ରହିଛି। ତେବେ, କୋଟି କୋଟି ଟଙ୍କା ମିଳୁଥିଲେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା‌ରେ ଅଧିକାଂଶ ମଣ୍ଡିରେ ଭିତ୍ତିଭୂମି ସଜଡ଼ା ଯାଇପାରି ନାହିଁ। ଏହି ଟଙ୍କା କୁଆଡ଼େ ଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜିଲ୍ଲାରେ ୬୦ଟି ପ୍ୟାକ୍ସ, ୭ଟି ଧାନ କ୍ରୟ ସମ୍ପ୍ରସାରଣ କେନ୍ଦ୍ର ଏବଂ ୩୭ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏହିପରି ୧୦୪ଟି ଧାନ କ୍ରୟ କେନ୍ଦ୍ରରେ ରବି ଧାନ କ୍ରୟ କରାଯିବ ବୋଲି ଗତ ଏପ୍ରିଲ ୯ ତାରିଖ ଦିନ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ରବିଧାନ ବିକ୍ରି ପାଇଁ ଜିଲ୍ଲାରେ ୩୫ ହଜାର ୫୭୯ ଜଣ ଚାଷୀ ଖରିଫ ଧାନ ବିକ୍ରୟ କରିବାପାଇଁ ପଞ୍ଜୀକୃତ କରିଛନ୍ତି। ଗତ ୨୨ ତାରିଖରୁ ଜିଲ୍ଲାରେ ରବି ଧାନ କ୍ରୟ ଆରମ୍ଭ ହୋଇଛି। ଜିଲ୍ଲାର ଧାନ କ୍ରୟ କେନ୍ଦ୍ର ବା ମଣ୍ଡିଗୁଡ଼ିକରେ ଚାଷୀଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ସେମାନେ ଯେପରି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେଥିପାଇଁ ପର୍ଯ୍ୟପ୍ତ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ, ଉଦ୍‌ବେଗଜନକ ବିଷୟ ଅଧିକାଂଶ ଧାନ କ୍ରୟ କେନ୍ଦ୍ରରେ ଚା‌ଷୀଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇପାରି ନାହିଁ। ଅସଜଡ଼ା ଭିତ୍ତିଭୂମିରେ ଆରମ୍ଭ ହୋଇଛି ଧାନ କିଣା। ଜିଲ୍ଲାର ୬୪ ପ୍ୟକ୍ସରୁ ୩୦ଟି ପ୍ୟାକ୍ସର ନିଜସ୍ବ ଗୋଦାମ ଗୃହ ନଥିବାରୁ ଚାଷୀ ସେମାନଙ୍କ ଧାନ କିପରି ସୁରକ୍ଷିତ ରଖି ବିକ୍ରି କରିବେ ତାହାକୁ ନେଇ ପ୍ରଶ୍ନ ଉଠିଛି।

ଚାଷୀ ଅଭିଯୋଗ କରିଛନ୍ତି, ପ୍ରତ୍ୟେକ ବର୍ଷ ଜିଲ୍ଲାର ସମସ୍ତ ପ୍ୟାକ୍ସ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରାୟ ୩୦ ଲକ୍ଷରୁ ଅଧିକ କ୍ବିଣ୍ଟାଲ ଧାନ କିଣାଯାଉଥିବାରୁ ଏମାନେ କମିସନ ବାବଦକୁ ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କା ପାଉଛନ୍ତି। ପ୍ୟାକ୍ସଗୁଡ଼ିକ ଧାନ କ୍ରୟରୁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି। ହେଲେ, ମଣ୍ଡି ବ୍ୟବସ୍ଥା ସଜଡ଼ା ଯାଇପାରୁ ନାହିଁ। ଏଣୁ ଏହି ଟଙ୍କା ହରିଲୁଟ ହେଉଥିବା ମଧ୍ୟ ଗୁରୁତର ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲ୍ଲା କୃଷକ ସଂଗଠନର ସଭାପତି ବୈକୁଣ୍ଠ ଶତପଥୀ କହନ୍ତି, ଧାନ କ୍ରୟ ପାଇଁ କୋଟି କୋଟି ଟଙ୍କା କମିସନ ପ୍ୟାକ୍ସ ଏବଂ ଧାନ କ୍ରୟରେ ସମ୍ପୃକ୍ତି ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଛି। ଜିଲ୍ଲାରେ ମଣ୍ଡି ବ୍ୟବସ୍ଥା ସଜାଡ଼ିବାକୁ ଜିଲ୍ଲା ପ୍ରଶାସନ ଆବଶ୍ୟକ ପ‌ଦକ୍ଷେପ ନେବାକୁ ଦାବି କରିଛନ୍ତି ଶ୍ରୀ ଶତପଥୀ।

ସମ୍ବନ୍ଧିତ ଖବର