ହାଣ୍ଡିଆ ନ ଦେବାରୁ ବନ୍ଦ ରହିଲା ବାହାଘର !

 ଭୁଲ ମାଗିଥିଲେ ବିବାହ ହୋଇଥା’ନ୍ତା: ଗାଁ ମୁଖ୍ୟ, ବୁଝେଇବାକୁ ଯାଇ ପୁଲିସ ନାକେଦମ୍‌

କାମାକ୍ଷାନଗର: ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଯାହା ଦୁଇଟି ମନ ଓ ହୃଦୟକୁ ଏକାଠି ବାନ୍ଧି ରଖିବା ସହ ସାତ ଜନମ ପାଇଁ ଏକ ସମ୍ପର୍କର ଡୋରିରେ ଛନ୍ଦି ଦେଇଥାଏ। ପରସ୍ପର ଇହ ପରକାଳ ପାଇଁ ନିଜର ହୋଇଯା’ନ୍ତି। ତେବେ ବାହାଘରକୁ ନେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କାଦବସନ୍ତ ଗାଁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବାହାଘର ଭୋଜିରେ ବରପକ୍ଷ ଲୋକେ ହାଣ୍ଡିଆ ଦେଇପାରିଲେ ନାହିଁ ବୋଲି ବାହାଘର ବନ୍ଦ ହୋଇଥିବା ଅଭିଯୋଗ ହୋଇଛି। ଶେଷରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭୋଜିର ଆୟୋଜନ କରିଥିବା ବ୍ୟକ୍ତି ପୁଲିସର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି। ଆଉ ଏଥିପାଇଁ ବୁଝାଇବାକୁ ଯାଇ କାମାକ୍ଷାନଗର ଥାନା ପୁଲିସକୁ ମଧ୍ୟ ନାକେଦମ ହେବାକୁ ପଡିଛି। ଶେଷରେ ପୁଲିସ  ବିଫଳ ହୋଇ ଘରବାହୁଡା କରିଛି।

ମିଳିଥିବା ସୂଚନା ଅନୁଯାୟୀ, କାଦବସନ୍ତ ଗାଁର ଅନନ୍ତ ମାରାଣ୍ଡିଙ୍କ ପୁଅ ପାରାଉ ମାରାଣ୍ଡି ୮ ବର୍ଷ ପୂର୍ବେ ପର୍ଜଙ୍ଗ ଥାନା କେନ୍ଦୁମୁଣ୍ଡା ଗାଁର ସଜନୀ ମାରାଣ୍ଡିଙ୍କୁ ମନ୍ଦିରରେ ପ୍ରେମ ବିବାହ କରିଥିଲେ। ମାତ୍ର ଗାଁ’ର ପରମ୍ପରା ଓ ଜାତିର ରୀତିନୀତି ଅନୁଯାୟୀ, ଚଳିବାକୁ ହେଲେ ଗାଁ ମୁଖିଆ ବା ମାଝୀ ବାବାଙ୍କ ବିନା ଅନୁମତିରେ କିଛି ବି କାର୍ଯ୍ୟ ହୁଏ ନାହିଁ। ଆଦିବାସୀ ପରମ୍ପରାରେ ବିବାହ କରିବାକୁ ହେଲେ କିଛି ନୀତି ନିୟମ ମାନିବାକୁ ପଡ଼ିବ ବୋଲି ମାଝୀ ବାବା ରାମଚନ୍ଦ୍ର ହେମ୍ବ୍ରମ୍‌ ସିଧାସଳଖ କହି ଦେଇଥିଲେ। ‘ଆମ କଥା ମାନି ତୁ ପ୍ରଥମେ ଭୁଲ ମାଗିବୁ ଏବଂ ଆମର ସମାଜରେ ଯାହା ଅଛି ତୁ ତାହା କରିବୁ , ତା ପରେ ବିବାହ ହେବ’ ବୋଲି  ସେ କହିଥିଲେ। ପରିବାର ଲୋକ ମାଝୀ ବାବାଙ୍କ କଥାରେ ରାଜି ହୋଇ ନଥିଲେ। ଫଳରେ ଆଠ ବର୍ଷ ବିତି ଯାଇଥିଲେ ମଧ୍ୟ ସଜନୀ ମଥାରେ ସିନ୍ଦୂର ପିନ୍ଧି ପାରିଲେ ନାହିଁ। ଶେଷରେ ପାରାଉଙ୍କ ପରିବାର ଲୋକେ ବିବାହ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ବିବାହ ପାଇଁ ସବୁ କିଛି ଯୋଗାଡ଼ କରିଥିଲେ। ସାହି ପଡ଼ିଶା ବନ୍ଧୁ ବାନ୍ଧବଙ୍କ ଗହଳିରେ ଘର ପୂରି ଉଠିଥିଲା। ବିବାହ ପାଇଁ ବେଦି ନିର୍ମାଣ ହୋଇଥିଲା। ଗ୍ରାମବାସୀ ଓ ବନ୍ଧୁ ବାନ୍ଧବଙ୍କ ପାଇଁ ମାଂସ, ଭାତ, ଡାଲି, ତରକାରି ଆଦି ପ୍ରସ୍ତୁତ ହୋଇଥିଲା।

ମାତ୍ର ଦୁଃଖ ଦେଇଦେଲା ହାଣ୍ଡିଆ। ବିନା ହାଣ୍ଡିଆରେ ବାହାଘର କେମିତି ହେବ। ବାସ୍ କ୍ଷଣକରେ ବାହାଘର ବନ୍ଦ ହୋଇଗଲା। ବର ପକ୍ଷ ପ୍ରଥମେ ଭୁଲ ମାଗିବେ ଏବଂ ପରେ ସମାଜର ନୀତି ମାନିବେ। ତା’ ପରେ ସମାଜ ଯେବେ କହିବ ସେହି ଦିନ ବର କନ୍ୟା ମଥାରେ ସିନ୍ଦୂର ଦେଇ ବିବାହ କରିବ ବୋଲି ଅଜବ ଯୁକ୍ତି କରିଥିଲେ ମାଝିବାବା। ବିବାହ ପାଇଁ କାମାକ୍ଷାନଗର ପୁଲିସ ପହଞ୍ଚି ବହୁତ ବୁଝାସୁଝା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଶେଷରେ ବାହାଘର ବନ୍ଦ ହୋଇଗଲା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବରପକ୍ଷଙ୍କୁ    ହତାଶ ହେବାକୁ ପଡ଼ିଥିଲା। ମଦ ପାଇଁ ବିବାହ ବନ୍ଦ ହେବା ଘଟଣାକୁ  ବୁଦ୍ଧିଜୀବୀ ମହଲରେ  ସମାଲୋଚନା କରାଯାଇଛି। ଏ ସମ୍ପର୍କରେ  କାମାକ୍ଷାନଗର ଥାନା ଅଧିକାରୀ ଶରତ ଚନ୍ଦ୍ର ମହାଳିକ କୁହନ୍ତି ଯେ ଗାଁରେ ଦୁଇଟି ସମ୍ପ୍ରଦାୟ ଅଛନ୍ତି। ଗୋଟିଏ ସମ୍ପ୍ରଦାୟ ଚାହୁଁଛି ଆଧୁନିକତାରେ ବିବାହ ହେବ କିନ୍ତୁ ଅନ୍ୟ ସମ୍ପ୍ରଦାୟ ତାକୁ ବିରୋଧ କରୁଛି। ଯାହାକୁ ନେଇ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏ ନେଇ ତଦନ୍ତ ଚାଲିଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର