ସୁପ୍ରିମକୋର୍ଟଙ୍କ ଆଦେଶକୁ ଏମସିଏଲର ବେଖାତିର

ବିସ୍ଥାପିତଙ୍କୁ ଥଇଥାନ ନକରି ଖୋଳୁଛି ଖଣି, ଜିଲ୍ଲାପାଳଙ୍କୁ ପ୍ରଭାବିତଙ୍କ ଫେରାଦ

ସୁନ୍ଦରଗଡ଼:  ଖଣିରେ ଜମି ହରାଉଥିବା ବ୍ୟକ୍ତି କ୍ଷତିପୂରଣ ସହ ପୁନର୍ବାସ ଓ ଥଇଥାନ ସୁବିଧା ନପାଇବା ଯାଏ କୌଣସି କମ୍ପାନି ବିସ୍ଥାପିତଙ୍କ ଜମି ବାଡ଼ି, ଘରଦ୍ବାର, ରାସ୍ତାଘାଟ, ଜଙ୍ଗଲ କି ଜଙ୍ଗଲ ଜମି ନିଜ କବଜାକୁ  ନେଇପାରିବ ନାହିଁ। ହେମଗିର ସ୍ଥିତ ଏମସିଏଲ ବିସ୍ଥାପିତଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟ କ୍ଲେମ କମିସନ ଜରିଆରେ ଗୋପାଳପୁର ପାର୍ଟ-୧ରେ ଏହି ଆଦେଶ ଜାରି କରିଛନ୍ତି। ଏହା ଛଡ଼ା ଓଡ଼ିଶା ସରକାରଙ୍କ ଜମି ଅଧିଗ୍ରହଣ ନିୟମରେ ମଧ୍ୟ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି।

କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ଆଦେଶକୁ ବେଖାତିର କରି ଏମସିଏଲ  ବେଆଇନ ଖଣି ଖନନ ଆରମ୍ଭ କରିଛି। ବଲିଙ୍ଗା ଓ ସିଆରମାଲରେ ଜୋର୍ କରି ଲୋକଙ୍କ ଘର ଦ୍ବାର  ଭାଙ୍ଗି ଦେବା ସହ ତୁମୁଲିଆ ପଞ୍ଚାୟତର ମୁଖ୍ୟ ସଂଯୋଗ କୁଲଡା ରାସ୍ତାକୁ ଖୋଳି ଲୋକଙ୍କ ଯାତାୟତକୁ ବନ୍ଦ କରି ଦେଇଛି। ଏଥିପାଇଁ ତୁମୁଲିଆ ସରପଞ୍ଚଙ୍କୁ ଏମସିଏଲ ସୂଚୀତ ବି କରି ନଥିଲେ। ଏହା ଛଡ଼ା ତୁମୁଲିଆ ଗାଁକୁ ଲାଗି ଖଣି ଖନନ କରିବା ସହ  ବିସ୍ଫୋରଣ କରୁଥିବାରୁ ଲୋକ ଭୟଭୀତ ହୋଇପଡ଼ିଛନ୍ତି।  ଥଇଥାନ ସୁବିଧା ନଦେଇ ଏମସିଏଲର ଏ ଜୋରଜବରଦସ୍ତି ବିସ୍ଥାପିତଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ପ୍ରଭାବିତ ଲୋକେ ମଙ୍ଗଳବାର ଗୋପାଳପୁର ଗସ୍ତରେ ଯାଇଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିବା ସହ କେତେକ ନ୍ୟାଯ୍ୟ ପ୍ରଶ୍ନ ଉଠାଇ ସେସବୁର ଉତ୍ତର ଲୋଡ଼ିଥିଲେ। ଏମସିଏଲ ଯେଉଁ ଅଞ୍ଚଳରେ ଖଣି ଖନନ କରୁଛି, ସେ ଅଞ୍ଚଳର ଲୋକଙ୍କୁ ସମ୍ପୂର୍ଣ୍ଣ ବିସ୍ଥାପିତ କରାଯାଇଛି କି, ବିସ୍ଥାପିତଙ୍କୁ ସ୍ଥାନାନ୍ତର ପ୍ରମାଣପତ୍ର ଦିଆଯାଇଛି କି, ଡିହ ଓ ଘର  ହରାଇଥିବା ବ୍ୟକ୍ତିଙ୍କୁ  ଘର ତିଆରି କରିବା ପାଇଁ ୦.୧୦ ଡିସିମିଲ ଜମି ରେକର୍ଡ ସହ ପ୍ରଦାନ କରାଗଲାଣି କି, ସଂରକ୍ଷିତ ହେଉ କି ଗ୍ରାମ୍ୟ ଜଙ୍ଗଲର ଗଛ କାଟି ଉଜାଡ଼ିବା ପୂର୍ବରୁ ବନ ବିଭାଗର ଅନୁମତି ନିଆଯାଇଛି କି ବୋଲି ଲୋକେ ପ୍ରଶ୍ନ କରିଥିଲେ। କିନ୍ତୁ ପ୍ରଶାସନ ଓ ଏମସିଏଲ ଏସବୁ ପ୍ରଶ୍ନର ଉତ୍ତର ଦେଇ ନପାରି ନିରବ ରହିଥିଲେ।

ସୂଚନାଯୋଗ୍ୟ, କ୍ଷତିପୂରଣ, ପୁନର୍ବାସ, ଥଇଥାନ, ନିଯୁକ୍ତିରେ ଏମସିଏଲ ଟାଳଟୁଳ ଓ ପାତରଅନ୍ତର  ନୀତି କରୁଥିବା ଦର୍ଶାଇ ୧୪ଟି ବିସ୍ଥାପିତ ଗାଁ ସୁପ୍ରିମକୋର୍ଟରେ ୨୦୧୯ରେ ମାମଲା ଦାଏର କରିଥିଲେ।  ଗତ ୨୦୨୧ ନଭେମ୍ବର ୧୭ରେ ସୁପ୍ରିମକୋର୍ଟର ଶୁଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖିଛନ୍ତି। ଏହା ମଧ୍ୟରେ ଟିକିଲିପଡ଼ା, ବଲିଙ୍ଗା, ଗୋପାଳପୁର, କରଲିକଛାର, ବାଙ୍ଗୁରକେଲା, ଗର୍ଜନବାହାଲ ଗାଁ ଲୋକଙ୍କୁ କ୍ଷତିପୂରଣ ଓ ଚାକିରି ଦେଇଥିଲେ ମଧ୍ୟ ଥଇଥାନ ସୁବିଧା ଦେଇ ନାହିଁ। ଅନ୍ୟପଟେ ତୁମୁଲିଆ, ଝୁପୁରୁଙ୍ଗା, ରତନସରା, କିରିପସିରା ଗାଁ ବିସ୍ଥାପିତଙ୍କୁ କୌଣସି କ୍ଷତିପୂରଣ କି  ପୁନର୍ବାସ ଓ ଥଇଥାନ ସୁବିଧା ଦେଇ ନାହିଁ ଏମସିଏଲ।

ଏସ୍ଥିତିରେ ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶ ବଳବତ୍ତର ରହିଥିବା ଓ ବିସ୍ଥାପିତଙ୍କ ଦାଏର ମାମଲାର ରାୟ  ଆସି ନଥିବା ବେଳେ ଏମସିଏଲ ତରବରିଆ ଭାବେ ଜୋର୍ କରି ଖଣି ଖନନ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସ୍ଥାନୀୟ ପ୍ରଭାବିତଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିଛି। ତୁମୁଲିଆ ଗାଁକୁ ଲାଗି ଖଣି ଖନନ କରାଯାଉଥିବାରୁ ବିସ୍ଫୋରଣ ଓ ଧୂଳିରେ ଜନଜୀବନ, ଚାଷବାସ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ସେମାନେ ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ରାୟ ନଆସିବା ଯାଏ  ଖଣି ଖନନ ବନ୍ଦ କରିବାକୁ ଦାବି କରିଛନ୍ତି। ପ୍ରଶାସନ ଏମସିଏଲର ବେଆଇନ ଖଣି ଖନନ ବନ୍ଦ ନକଲେ, ଆସନ୍ତା ଏପ୍ରିଲ ୧୫ରୁ ଅର୍ଥନୈତିକ ଅବରୋଧ କରିବେ ବୋଲି ବିସ୍ଥାପିତ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର