ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପାଇଁ ଟେଣ୍ଡର
ଗୋଟିଏ ସଂସ୍ଥା କରିବ ସବୁ କାମ, ଆଉ ହେବନି ପୃଥକ ଟେଣ୍ଡର୍‌

Advertisment

କଟକ : ରାଜ୍ୟରେ ଥିବା ମେଡିକାଲ କଲେଜ, ସ୍ବାସ୍ଥ୍ୟ ପ୍ରତି‌ଷ୍ଠାନଗୁଡିକରେ ବିଭିନ୍ନ ସେବାପାଇଁ ନିୟୋଜିତ ହୋଇଥିବା ଆଉଟସୋର୍ସିଂ ସଂସ୍ଥାକୁ ବିଦା କରିବାକୁ ସରକାର ଯୋଜନା କରିଛନ୍ତି। ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକର ଭିନ୍ନଭିନ୍ନ କାମ ପାଇଁ ଆଉ ପୃଥକ୍‌ ଟେଣ୍ଡର୍‌ ନକରି ଏଥିପାଇଁ ଏକକ ଟେଣ୍ଡର( କ‌ମ୍ପ୍ରିହେନସିଭ୍ ଟେଣ୍ଡର୍‌) କରିବାକୁ ନିଷ୍ପତ୍ତି ହୋଇଛି। ଫଳରେ; ଯେଉଁ ସଂସ୍ଥା ଟେଣ୍ଡ୍‌ର ପାଇବ ସେ ହାଉସ୍‌କିପିଂ, ସଫେଇ, କର୍ମଚାରୀ ଯୋଗାଣ ଠାରୁ ଆରମ୍ଭ କରି ସୁରକ୍ଷା କର୍ମୀ( ସିକ୍ୟୁରିଟି ଗାର୍ଡ) ଯୋଗାଇବ। ଏହାଦ୍ବାରା ମେଡିକାଲ୍‌ କାମ ସହଜ ହେବ ଓ କର୍ତ୍ତୃପକ୍ଷଙ୍କ ପାଖରେ ଉକ୍ତ ନିର୍ଦିଷ୍ଟ ସଂସ୍ଥା ହିଁ ଉତ୍ତରଦାୟୀ ରହିବ। ମେଡିକାଲ କାମକୁ ସହଜ କରିବା ପାଇଁ ସରକାର ଏହିଭଳି ଭାବେ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

publive-image Odisha Bytes

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକସନ୍ ଲିମିଟେଡ(ଓବିସିସି) ବା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପକ୍ଷରୁ ଏକ ଟେଣ୍ଡର୍‌ ଆହ୍ବାନ କରାଯାଇଛି। ପ୍ରଥମେ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ ଭୁବନେଶ୍ବରର କ୍ୟାପିଟାଲ୍‌ ହସ୍ପିଟାଲ୍‌ ପାଇଁ ଏହି ଏକକ ଟେଣ୍ଡର୍‌ ବା କମ୍ପ୍ରିହେନସିଭ୍‌ ଫେସିଲିଟ୍ ମ୍ୟାନେଜମେଣ୍ଟ୍ ପାଇଁ ଟେଣ୍ଡର୍‌ ଆହ୍ବାନ କରାଯାଇଛି। ଗତ ୧୩ ତାରିଖରେ ଏହି ଟେଣ୍ଡର୍‌ର ବିଜ୍ଞାପନ ପ୍ରକାଶ ପାଇଥିଲା। ବିଡ୍‌ ‌ବିଜ୍ଞପ୍ତି ନଂ ୮ରେ ଓବିସିସି ଆସନ୍ତା ୩ ବର୍ଷ ପାଇଁ ଏହି ଟେଣ୍ଡର୍‌ ଆହ୍ବାନ କରିଛି। ଆସନ୍ତା ଜୁଲାଇ ୧୩ ତାରିଖ ଟେଣ୍ଡର୍‌ ପକାଇବାର ଶେଷ ତାରିଖ ରଖାଯାଇଛି। ଅର୍ଥାତ ଆସନ୍ତା ୧୪ ତାରିଖରେ ଏହି ଟେଣ୍ଡର୍‌ ‌ଟେକ୍ନିକାଲ ବିଡ୍ ଖୋଲିବା ପାଇଁ ଟେଣ୍ଡର‌୍‌ରେ ଉଲ୍ଲେଖ ରହିଛି। ମେସିନ୍‌ ଚଳାଇବା ପିଲା, ହାଉସ କିପିଂ, ସଫେଇ, ଜୈବ ବର୍ଜ୍ୟବସ୍ତୁ ପରିଚାଳନା, ଲଣ୍ଡ୍ରି ସର୍ଭିସ୍‌, ହେଲ୍‌ପ ଡେକ୍ସ ଓ ରିସେପସନ୍‌ ସର୍ଭିସ, ଗାର୍ଡେନିଂ ଓ ଲନ୍‌ ମ୍ୟାନେଜମେଣ୍ଟ୍, ବ୍ୟାଟେରି ଗାଡି ପରିଚାଳନା, ପାର୍କିଂ ମ୍ୟାନେଜମେଣ୍ଟ, ୱାଚମ୍ୟାନ୍‌ ସର୍ଭିସ (ସିକ୍ୟୁରିଟି ସର୍ଭିସ୍‌) ଓ ବିଭିନ୍ନ କାମ ପାଇଁ ମାନବସମ୍ବଳ ଏହି ସଂସ୍ଥ‌ା ‌ଯୋଗାଇବ। ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ କ୍ୟାପିଟାଲ ହସ୍ପିଟାଲରେ ଏହା ସଫଳ ହେ‌‌ଲେ, ପରେ ଏହାକୁ ଅନ୍ୟ ମେଡିକାଲ୍‌ କ‌ଲେଜ କ୍ଷେତ୍ରରେ ଲାଗୁ କରିବାକୁ ‌ଯୋଜନା ହୋଇଛି।

ରାଜ୍ୟର ବିଭିନ୍ନ ମେଡିକାଲ୍‌ କଲେଜ ଓ ସ୍ବାସ୍ଥ୍ୟ ପ୍ରତିଷ୍ଠାନ‌ରେ ଆଉଟସୋର୍ସିଂ ସଂସ୍ଥା ବାବଦରେ ସରକାର ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପୂର୍ବରୁ ଭିନ୍ନ ଭିନ୍ନ କାମ ପାଇଁ ପୃଥକ୍‌ ସଂସ୍ଥା ନିୟୋଜିତ ହେଉଥିବାବେଳେ ଏବେ ସବୁ କାମ ଗୋଟିଏ ସଂସ୍ଥା ପରିଚାଳନା କରିବ। ଏଭଳି ଏକକ ଟେଣ୍ଡର୍‌ ଦ୍ବାରା ବହୁ ସଂସ୍ଥା ସେମାନଙ୍କ ‌ରୋଜଗାର ହରାଇବେ। ସେହିଭଳି ପୂର୍ବ ସଂସ୍ଥା ଅଧୀନରେ ବର୍ଷ ବର୍ଷ ଧରି କାମ କରୁଥିବା କର୍ମଚାରୀ ସେମାନଙ୍କ ଜୀବିକା ହରାଇବେ। ଏଭଳି ଏକକ ଟେଣ୍ଡର୍‌କୁ ନେଇ ପୂର୍ବ ସଂସ୍ଥାମାନଙ୍କରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯେଉଁ କର୍ମଚାରୀମାନେ ପୂର୍ବରୁ କାମ କରୁଛନ୍ତି ନୂଆ ଟେଣ୍ଡର୍‌ ପାଇଥିବା ସଂସ୍ଥା ସେହି ପୂର୍ବ କର୍ମଚାରୀଙ୍କୁ ନିଯୁକ୍ତିକୁ ନିଶ୍ଚିତ କରିବାକୁ କର୍ମଚାରୀମାନେ ଦାବ କରିଛନ୍ତି।