ବ୍ରହ୍ମପୁର : ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜର ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ସେ ହେଲେ, ଡା. ସୁଭାନି ପଟ୍ଟନାୟକ(୨୭)। ଓଭର୍ ଡୋଜ୍ ବା ଅଧିକମାତ୍ରାରେ ଔଷଧ ଖାଇ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି। ତେବେ, ପୁଲିସ ହଷ୍ଟେଲକୁ ଯାଇ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ଆସିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛି।
ପୁରୁଷୋତ୍ତମପୁର ରଥସାହିର ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କ ଝିଅ ଡା. ସୁଭାନି ଚର୍ମ ବିଭାଗ ପିଜି ପ୍ରଥମ ବର୍ଷର ଛାତ୍ରୀ ଥିଲେ। ସେ କଲେଜର ମହିଳା ହଷ୍ଟେଲ(ସିନିଅର୍ ରେସିଡେନ୍ସ)ରେ ରହି ପାଠ ପଢ଼ୁଥିଲେ। ଆଜି ଦିନ ୧୨ଟା ୪୦ ବେଳେ ମେଡିକାଲର ଆଶୁ ଚିକିତ୍ସା ବିଭାଗରେ ସୁଭାନିଙ୍କ ମୃତ୍ୟୁଦେହ ଥିବା ଖବରପାଇ ମେଡିକାଲ ଫାଣ୍ଡି ପୁଲିସ ସେଠାରେ ପହଞ୍ଚିଥିଲା। ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା (କେସ୍ନଂ୩୨୮/୨୩) ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଫାଣ୍ଡି ଅଧିକାରୀଙ୍କ ସୂଚନା ମୁତାବକ, ମୃତକଙ୍କ ମାଇଗ୍ରେନ୍ ସମସ୍ୟା ଥିଲା। ଆଜି ସକାଳେ ମୁଣ୍ଡବିନ୍ଧା ହେବାରୁ ସେ ଓଭର୍ ଡୋଜ୍ ମେଡିସନ୍ ଖାଇ ଗୁରୁତର ହୋଇପଡ଼ିଥିଲେ। ହଷ୍ଟେଲରେ ରହୁଥିବା ଅନ୍ୟ ସହପାଠୀମାନେ ତାଙ୍କୁ ଚିକିତ୍ସା ପାଇଁ ଆଶୁ ଚିକିତ୍ସା ବିଭାଗକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ, ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।