‘ମୋ ସ୍କୁଲ୍‌’ ଅଭିଯାନର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୧୬.୩୧ କୋଟିର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ‘ମୋ ସ୍କୁଲ୍‌’ କାର୍ଯ୍ୟନିର୍ବାହୀ ପରିଷଦର ୨୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ୨୫ଟି ଜିଲ୍ଲାର ୧୨୩୮ ବିଦ୍ୟାଳୟର ୧୬ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ଏକ ମାସ ମଧ୍ୟରେ ୧୬ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌’ ଅଭିଯାନ ସହ ଯୋଡ଼ି ହୋଇ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୪୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ୱରରେ ସର୍ବାଧିକ ୧ କୋଟି ୬୧ ଲକ୍ଷ, ଯାଜପୁରରେ ୫୦ ଲକ୍ଷ ୧୦ ହଜାର, କଟକରେ ୨୭ ଲକ୍ଷ ୩୯ ହଜାର, ଭଦ୍ରକରେ ୨୫ ଲକ୍ଷ ୮୭ ହଜାର ଓ ବଲାଙ୍ଗୀରରେ ୨୪ ଲକ୍ଷ ୯୨ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି।

ଚଳିତ ମାସରେ ବି ବାଲେଶ୍ୱର ଜିଲ୍ଲା ପୁଣିଥରେ ରେକର୍ଡ କିଛି। ବହୁ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍‌ ଅଭିଯାନ ସହ ଯୋଡ଼ି ହୋଇଛନ୍ତି। ଯାଜପୁର ଜିଲ୍ଲା ମଧ୍ୟ ପ୍ରଥମଥର ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଶିକ୍ଷଣ କାର୍ଯ୍ୟକ୍ରମ, ପୋଷ୍ୟ ସ୍କୁଲ୍‌ ଗ୍ରହଣ କରିଥିବା ବ୍ୟବସ୍ଥାରେ ଅକ୍ଟୋବର ସୁଦ୍ଧା ୧୨୭୨ଟି ବିଦ୍ୟାଳୟରେ ମେଣ୍ଟର ଓ ଅଂଶୀଦାରମାନଙ୍କୁ ନେଇ ବୈଠକ କରିବା ପାଇଁ ସ୍ଥିର ହୋଇଛି। ଅଭିଯାନ କାର୍ଯ୍ୟକ୍ରମରେ ବାକି ଥିବା ବିଦ୍ୟାଳୟଗୁଡ଼ିକରେ ଅର୍ଥ ବ୍ୟବସ୍ଥା କରିବାକୁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରଥମ ଥର ପାଇଁ ‘ମୋ ସ୍କୁଲ୍‌ ଅଭିଯାନ’ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ପୁରାତନ ଛାତ୍ରଛାତ୍ରୀ ସମ୍ପୃକ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନିକଟରେ ଭୁବନେଶ୍ୱରସ୍ଥିତ ବିଜେବି କଲେଜରେ ଅନୁଷ୍ଠିତ ବୈଠକରେ ପୁରାତନ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ୨ ଲକ୍ଷ ୧୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଗୁଣା ଆର୍ଥିକ ଅନୁଦାନକୁ ମିଶାଇ କାର୍ଯ୍ୟନିର୍ବାହୀ ପରିଷଦ ମୋଟ ୬ ଲକ୍ଷ ୪୮ ହଜାର ଟଙ୍କା ମଞ୍ଜୁର କରିଛି। ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ସହ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାକୁ ସଚିବ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି। ଅଭିଯାନ ଅନ୍ତର୍ଗତ ସ୍କୁଲ୍‌ ଆଡପସନ୍‌ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଚଳିତ ମାସରେ ପୋଷ୍ୟ ଗୃହୀତ ହୋଇଥିବା ୬୫୩ ବିଦ୍ୟାଳୟରେ ୧୦ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲସ୍ତରରେ ବୈଠକ ହୋଇଥିବା ଜଣାପଡ଼ିଛି। ଏହି ବୈଠକରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ, ପ୍ରାଥମିକ, ଟିଇ ଆଣ୍ଡ୍‌ ଏସ୍‌ସିଇଆରଟି ନିର୍ଦେଶକଙ୍କ ସମେତ ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଅତିରିକ୍ତ ସଚିବ ତଥା ବିଭାଗୀୟ ବିତ୍ତ ପରାମର୍ଶଦାତା, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ, ଭାରପ୍ରାପ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର