ଟାଟା-ବାଦାମପାହାଡ଼ ରୁଟ୍‌ରେ ଗଡ଼ିଲା ମେମୁ ଟ୍ରେନ୍

ରାଇରଙ୍ଗପୁର/ଝରାଡ଼ିହି(୨): ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଟାଟା ନଗର-ବାଦାମପାହାଡ଼ ରେଳ ଲାଇନ୍‌ରେ ବିଦ୍ୟୁତକରଣ କାର୍ଯ୍ୟ ଶେଷ ହେବା ପରେ ଆଜିଠାରୁ ଇଲେକ୍ଟ୍ରିକାଲ ମଲ୍‌ଟିପୁଲ ୟୁନିଟ୍ (ମେମୁ) ବିଦ୍ୟୁତଚାଳିତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଏହି ଟ୍ରେନ୍‌ ଟାଟାରୁ ସକାଳ ୬ଟାରୁ ଛାଡ଼ି ବାଦାମପାହାଡ଼ରେ ୧୦.୧୫ଟାରେ ପହଞ୍ଚିବ। ବାଦାମପାହାଡରୁ ୧୦.୩୦ ଛାଡ଼ି ଟାଟାରେ ୨.୪୦ ପହଞ୍ଚିବ। ଉକ୍ତ ରୁଟ୍‌ରେ ଟାଟାନଗରସ୍ଥିତ ଟାଟା ଲୌହ କାରଖାନାକୁ ପ୍ରଥମେ ଗୋରୁମହିଷାଣୀ ପରେ ବାଦାମପାହାଡ଼ ଠାରୁ ବାଷ୍ପଚାଳିତ ଇଞ୍ଜିନ ଦ୍ବାରା ଚାଳିତ ରେଳରେ ଲୁହାପଥର ପରିବହନ ଆରମ୍ଭ ହୋଇଥିଲା। ପରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲା।

କୋଇଲା ଇନ୍ଧନ ଦ୍ବାରା ବାଷ୍ପଚାଳିତ ଇଞ୍ଜିନ୍ ପରେ ଡିଜେଲ ଇଞ୍ଜିନ୍ ଟ୍ରେନ୍ ଓ ପରେ ଡିଏମ୍‌ୟୁ ଟ୍ରେନ୍ ଚାଲିଥିଲା। ଡିଏମ୍‌ୟୁ ଚଳାଚଳ ବେଳେ ଏହି ରେଳପଥରେ ଦ୍ବିତୀୟ ପାସେଞ୍ଜର ଚଳାଚଳ ମଧ୍ୟ ଆରମ୍ଭ ହୋଇଥିଲା। ତେବେ କରୋନା ମହାମାରୀ ଲକ୍‌ଡାଉନ୍ ପରଠାରୁ ଦ୍ବିତୀୟ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ପ୍ରଥମେ ଗୋରୁମାହିଷାଣି ପର୍ଯ୍ୟନ୍ତ ଇଲେକ୍ଟ୍ରିକାଲ ଇଞ୍ଜିନ୍ ଚାଳିତ ରେଳ ୱାଗନରେ ଲୁହାପଥର ପରିବହନ ଆରମ୍ଭ ହୋଇଥିବା ବେଳେ ଏବେ ବାଦାମପାହାଡ଼ ପର୍ଯ୍ୟନ୍ତ ବିଦ୍ୟୁତ୍‌କରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଆଜିଠାରୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି।

ବିଦ୍ୟୁତଚାଳିତ ରେଳ ଚଳାଚଳ ଫଳରେ ରେଳ ବିଭାଗର ପରିବହନ କାର୍ଯ୍ୟ ସୁରଖୁରରେ ସଂପନ୍ନ ହୋଇପାରିବ। ସମୟ ଅନୁସାରେ ଏହି ରେଳପଥର ବିକାଶ ହୋଇ ଆସୁଥିବା ବେଳେ ବାଙ୍ଗିରିପୋଷି ଏବଂ କେନ୍ଦୁଝର ପର୍ଯ୍ୟନ୍ତ ଏହି ରେଳପଥର ସମ୍ପ୍ରସାରଣକୁ ଅପେକ୍ଷା ରହିଛି। ତେବେ ଏହି ରେଳପଥରେ ଚାଲୁଥିବା ଦ୍ବିତୀୟ ପାସେଞ୍ଜର ଟ୍ରେନ୍‌ ମଧ୍ୟ ଶୀଘ୍ର ଚଳାଚଳ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର