ବିଶ୍ରା: ୧୩ ବର୍ଷ ଧରି ରାଉରକେଲା ଜେଲ୍ରେ ବନ୍ଦୀ ଥିବା ମହିଳା ମାଓବାଦୀ ରେଙ୍ଗାରି ହୋନହାଗା ତାଙ୍କ ସ୍ବାମୀ କାଣ୍ଡେ ଓରଫ୍ ଗୋବିନ୍ଦାଙ୍କ ଶେଷଦର୍ଶନ କରିପାରି ନାହାନ୍ତି। ରେଙ୍ଗାରି ପାରୋଲ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଅନୁମତି ମିଳିନଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ରେଙ୍ଗାରି ଘରେ ନ ପହଞ୍ଚିବାରୁ ଗୁରୁବାର ଅପରାହ୍ନରେ ତାଙ୍କ ସ୍ବାମୀ କାଣ୍ଡେଙ୍କ ଶେଷସତ୍କାର କରାଯାଇଛି। ମାଓବାଦୀଙ୍କ ଜୀବନ ସହ ଯୋଡ଼ି ହୋଇଥିବା ଏହା ବି ଏକ କରୁଣ ଘଟଣା।
ଗତ ଜୁନ୍ ୧୭ରେ ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାଓବିରୋଧୀ ଅଭିଯାନରେ ୫ ହାର୍ଡକୋର ମାଓବାଦୀ ପ୍ରାଣ ହରାଇବା ସହ ୨ ଜଣଙ୍କୁ ଗିରଫ କରାଯାଇଥିଲା। ମୃତ ମାଓବାଦୀଙ୍କ ମଧ୍ୟରେ ଥିଲେ ଜୋନାଲ ସଦସ୍ୟ କାଣ୍ଡେ ଓରଫ୍ ଗୋବିନ୍ଦା(୩୯)। କାଣ୍ଡେଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ତାଙ୍କ ମୃତ୍ୟୁଖବର ପାଇବା ପରେ ସ୍ବାମୀଙ୍କ ଶେଷଦର୍ଶନ ପାଇଁ ରାଉରକେଲା ଜେଲ୍ରେ ଥିବା ରେଙ୍ଗାରି ପାରୋଲ୍ ଆବେଦନ କରିଥିଲେ। ମାତ୍ର, ଶେଷପର୍ଯ୍ୟନ୍ତ ତାଙ୍କର ଆବେଦନ ମଞ୍ଜୁର ହୋଇନଥିଲା। ଫଳରେ, ସ୍ବାମୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହୋଇପାରି ନଥିଲେ ରେଙ୍ଗାରି। ପରିବାର ପକ୍ଷରୁ ଗୋବିନ୍ଦାଙ୍କ ମୃତଦେହକୁ ଝାଡ଼ଖଣ୍ଡର ଜରେଇକେଲା ଥାନା ଅନ୍ତର୍ଗତ ନିଜ ଗାଁ ଥାଲକୋବାଦକୁ ନିଆଯାଇଥିଲା। ସେଠାରେ ରୀତିନୀତି ଅନୁସାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଗୋବିନ୍ଦାଙ୍କ ପତ୍ନୀ ରେଙ୍ଗାରି ମଧ୍ୟ ମାଓବାଦୀ ସଙ୍ଗଠନରେ ସକ୍ରିୟ ଥିଲେ। ସୁନ୍ଦରଗଡ଼ ଜିଲ୍ଲାର ଜରେଇକେଲା (ସୀମାନ୍ତ ଗାଁ ଜରେଇକେଲାର ଅଧା ଓଡ଼ିଶାରେ ଓ ଅଧା ଝାଡ଼ଖଣ୍ଡରେ ରହିଛି) ସୀମାରୁ ମାତ୍ର ୨୦ କିଲୋମିଟର ଦୂର ଝାଡ଼ଖଣ୍ଡ ରାଜ୍ୟର ସରଣ୍ଡା ଜଙ୍ଗଲରେ ଥିବା ଥାଲକୋବାଦ ଗାଁ ନିବାସୀ ରେଙ୍ଗାରି ଓ ତାଙ୍କ ସ୍ବାମୀ କାଣ୍ଡେ ୨୦୦୯ରେ ମାଓବାଦୀ ସଂଗଠନରେ ସାମିଲ୍ ହୋଇଥିଲେ। ମାଓନେତା ସମରଜୀ ଓରଫ୍ ଅନମୋଲ ଦା’ ପାଇଁ ସେମାନେ କାମ କରୁଥିଲେ। ମାତ୍ର ୨୦୧୧ରେ ରେଙ୍ଗାରି ସମେତ ତିନିଜଣ ମହିଳା ମାଓବାଦୀ ରାଉଲକେଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହାପରଠାରୁ ରେଙ୍ଗାରି ରାଉରକେଲା ଜେଲ୍ରେ ଅଛନ୍ତି।