ଯାଜପୁରସଦର: ଲଘୁଚାପଜନିତ ଅବିଶ୍ରାନ୍ତ ବର୍ଷା କାରଣରୁ ଯାଜପୁର ଜିଲ୍ଲାର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବାବେଳେ ଦୁଧେଇ ନାଳ ସେତୁ ଭାସିଯାଇଛି। ସେତୁର ଅଧିକାଂଶ ଅଂଶ ଭାଙ୍ଗି ପଡ଼ିଥିବା ବେଳେ ପାଖାପାଖି ୩୦ ଫୁଟର ଆପ୍ରୋଚ୍ ରୋଡ୍ ପାଣିରେ ଭାସିଯାଇଛି। ଫଳରେ ସୁଜନପୁର ଓ ରୁଦ୍ରପୁର ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ବୁଧବାର ବର୍ଷାରେ ପୋଲର କିଛି ଅଂଶ ପ୍ରଭାବିତ ହୋଇଥିଲା। ଆଜି ସକାଳୁ ପ୍ରବଳ ଜଳ ପ୍ରବାହ ଯୋଗୁଁ ପୋଲ ଓ ରାସ୍ତା ଭାସି ଯାଇଥିଲା। ଜଳଚାପ ଯୋଗୁଁ ଅବଶିଷ୍ଟ ସେତୁ ମଧ୍ୟ ଦୁର୍ବଳ ହୋଇ ବିପଦସଂକୁଳ ଅବସ୍ଥାରେ ରହିଛି। ସେତୁର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଯାତାୟାତ ପାଇଁ ପୋଲଟି ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଛି। ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନ ପୋଲ ସଂଯୋଗୀକରଣ ରାସ୍ତା ଧୋଇଯିବାରୁ ଦୁଇ ପଞ୍ଚାୟତର ହଜାର ହଜାର ଲୋକ ଅସୁବିଧାରେ ପଡ଼ିଛନ୍ତି।
ଖରସ୍ରୋତା ନଦୀରୁ ବାହାରି ଦୁଧେଇ ନାଳ ବ୍ରାହ୍ମଣୀ ନଦୀରେ ମିଶିଛି। ଡ୍ରେନେଜ୍ ବିଭାଗ ପକ୍ଷରୁ ନାଳର ରକ୍ଷଣାବେକ୍ଷଣ ଠିକ୍ ଭାବେ କରାଯାଉ ନାହିଁ। ବର୍ଷବର୍ଷ ଧରି ନାଳଟି ଦଳରେ ଭର୍ତ୍ତି ହୋଇ ରହିଥିବା ଯୋଗୁଁ ବର୍ଷାଜଳ ନିଷ୍କାସନରେ ବାଧା ଉପୁଜିଥିଲା। ଦଳ ସମସ୍ୟା ଯୋଗୁଁ ବ୍ରିଜ୍ ଉପରେ ଚାପ ପଡ଼ିଥିଲା। ଏହି ବ୍ରିଜ୍ ଉପରେ ସୁଜନପୁର ପଞ୍ଚାୟତର ଦୁର୍ଗାପୁର ଓ ରୁଦ୍ରପୁର ପଞ୍ଚାୟତର ବଡ଼ବାଗସାହି ଅଞ୍ଚଳର ହଜାର ହଜାର ଲୋକ, ଛାତ୍ରଛାତ୍ରୀ ଓ ଚାଷୀ ନିର୍ଭର କରିଥାନ୍ତି। ଦୁର୍ଗାପୁର ଅଞ୍ଚଳର ଶତାଧିକ ଲୋକଙ୍କ ଏକର ଏକର ଚାଷଜମି ଅପରପାର୍ଶ୍ବରେ ରହିଛି। ଚାଷଜମିକୁ ଯିବାଆସିବା ପାଇଁ ପୋଲଟି ଲୋକଙ୍କର ଏକମାତ୍ର ଭରସା ହୋଇ ରହିଥିଲା। ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ସେତୁକୁ ୨୦୧୪ ମସିହାରେ ତତ୍କାଳୀନ ବିଧାୟକ ଦେବାଶିଷ ନାୟକ ଉଦ୍ଘାଟନ କରିଥିଲେ। ସଂଲଗ୍ନ ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଆର୍ଡି ବିଭାଗ ଜରିଆରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିଲା। ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତା ଓ ପୋଲର ଅବସ୍ଥା ଏପରି ହୋଇଥିବା ଅଞ୍ଚଳବାସୀ କହିଛନ୍ତି। ବିଭାଗୀୟ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତୁରନ୍ତ ପୋଲ ମରାମତି କରି ଏହାକୁ ବ୍ୟବହାର ଉପଯୋଗୀ କରିବାକୁ ସୁଜନପୁର ସରପଞ୍ଚ ବିଷ୍ଣୁପ୍ରିୟା ମହାକୁଡ଼ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/05/hfshfhfh-2025-09-05-02-57-16.jpg)