ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଖଣି କ୍ଷତିଗ୍ରସ୍ତ

ଯାଜପୁରସଦର: ଯାଜପୁର ଜିଲ୍ଲା ସୁକିନ୍ଦା ଉପତ୍ୟକା ଖଣି କ୍ଷତିଗ୍ରସ୍ତ ଗଣମଞ୍ଚ ପକ୍ଷରୁ ଆଜି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ସାରୁଆବିଲ ଛଟେଇ ଶ୍ରମିକଙ୍କୁ ତୁରନ୍ତ ନିଯୁକ୍ତି, ସ୍ଥାନୀୟ ଅଞ୍ଚଳର ବେକାର ଯୁବକଯୁବତୀଙ୍କୁ ନିକଟସ୍ଥ ଖଣିରେ କାମ ଯୋଗାଇ ଦେବା ଓ ଲୋଡିଂ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଆଦି ୭ ଦଫା ଦାବିରେ କ୍ଷତିଗ୍ରସ୍ତମାନେ ଗଣଧାରଣାରେ ସାମିଲ ହୋଇଥିଲେ। ଧାରଣାକାରୀ କିଆନାଳୀ ଛକରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

୨୦୨୦ ଏପ୍ରିଲ ୧ ତାରିଖରୁ ଛଟେଇ ହୋଇ ଶ୍ରମିକମାନେ ଟିଏସ୍‌ଏମ୍‌ଲ୍ କମ୍ପାନି କର୍ତ୍ତୃପକ୍ଷ, ସ୍ଥାନୀୟ ସୁକିନ୍ଦା ତହସିଲଦାର, ଏଡିଏମ୍ କଳିଙ୍ଗନଗର ଯାଜପୁରରୋଡଙ୍କୁ ବାରମ୍ବାର ଭେଟି ଦାବିପତ୍ର ଦେଇଆସୁଛନ୍ତି। ଗତ ଏପ୍ରିଲ ୧୮ ତାରିଖରେ ଯାଜପୁର ଜିଲ୍ଲାପାଳଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଥିଲା। ଛଟେଇ ଶ୍ରମିକ, ବେକାର ଯୁବକଙ୍କ ତାଲିକା ପ୍ରଦାନ କରାଯାଇଥିଲେ ବି କମ୍ପାନି ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ଖଣି ଅଞ୍ଚଳରେ କାମଦାମ କରି ବଞ୍ଚିବା ପାଇଁ ଅନ୍ୟ କୌଣସି ଉପାୟ ନଥିବାରୁ ଏଠାକାର ଲୋକଙ୍କ ଜୀବନ ଜୀବିକା ଅନିଶ୍ଚିତତା ମଧ୍ୟଦେଇ ଗତିକରୁଛି।

ଏହି ପରିସ୍ଥିତିର ସୁଯୋଗ ନେଇ ଖଣିମାଲିକ ଅସାଧୁ ନେତାମାନଙ୍କର ସହାୟତାରେ ଶ୍ରମିକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି। ଏକ ପକ୍ଷରେ କର୍ମକ୍ଷମ ଯୁବକଯୁବତୀମାନଙ୍କ ପାଇଁ କାମନାହିଁ। ଅନ୍ୟପକ୍ଷରେ କାଭାଁ କାମ କରୁଥିବା ଯୁବକମାନଙ୍କ ପାଇଁ ଉପଯୁକ୍ତ ମଜୁରି ଓ ସୁବିଧା ସୁଯୋଗ ନାହିଁ। ଖଣି ପ୍ରଭାବିତ ଲୋକଙ୍କ ପକ୍ଷରୁ ଆଜି ଧାରଣା ଦିଆଯାଇ ଦାବି ପୂରଣ ପର୍ଯ୍ୟନ୍ତ ବସିବାକୁ ସ୍ଥିର କରାଯାଇଛି। ଖଣି କ୍ଷତିଗ୍ରସ୍ତ ଗଣମଞ୍ଚର କର୍ମକର୍ତ୍ତା ସୁରେଶ ପ୍ରଧାନ, ଶଙ୍କର ମାରାଣ୍ଡି, ସଙ୍ଗରାଇ ବାନରା, ସୁଶାନ୍ତ ହେମ୍ବ୍ରମ, ଜଗନ୍ନାଥ ହେମ୍ବ୍ରମ, ସଂଜୟ ନାଗବଂଶୀଙ୍କ ସମେତ ଶତାଧିକ ଲୋକ ଧାରଣାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର