ଭୁବନେଶ୍ବର : ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ବୟସ ୬ବର୍ଷ ଧାର୍ଯ୍ୟ ହୋଇଛି। ନୂତନ ଜାତୀୟ ଶିକ୍ଷା ନୀତି(ଏନଇପି) ଅନୁଯାୟୀ ଦେଶର ସବୁ ପିଲାଙ୍କ ପାଇଁ ପାଞ୍ଚ ବର୍ଷର ଶିକ୍ଷଣ ସୁଯୋଗ ରହିଛି। ଯାହାକି ୩ରୁ ୮ ବର୍ଷ ମଧ୍ୟରେ। ଯେଉଁଥିରେ ତିନି ବର୍ଷର(ପ୍ରି) ପ୍ରାକ୍-ସ୍କୁଲ ଶିକ୍ଷା ଏବଂ ପରବର୍ତ୍ତୀ ଦୁଇ ବର୍ଷ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଅନ୍ତର୍ଭୁକ୍ତ। ତେଣୁ ଏହି ନୀତି ପ୍ରି-ସ୍କୁଲରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିରବଚ୍ଛିନ୍ନ ଶିକ୍ଷଣ ଓ ବିକାଶକୁ ପ୍ରୋତ୍ସାହିତ କରୁଛି। ଅଙ୍ଗନବାଡ଼ି କିମ୍ବା ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ଓ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ପ୍ରି-ସ୍କୁଲ ସେଣ୍ଟରରେ ପଢ଼ୁଥିବା ସମସ୍ତ ପିଲାଙ୍କ ପାଇଁ ତିନି ବର୍ଷର ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଉପଲବ୍ଧ କରାଇବା ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ଆଶା ରଖାଯାଇଛି।
ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ପିଲାଙ୍କ ବୟସକୁ ଏହି ନୀତି ସହିତ ଯୋଡ଼ନ୍ତୁ। ୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବ୍ୟବସ୍ଥା କରନ୍ତୁ। ପିଲାଙ୍କ ମାନସିକତା ଓ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କୁ ଖୁବ୍ କମ୍ ବୟସରୁ ସ୍କୁଲକୁ ପଠାଇବା ଅନୁଚିତ। ରାଜ୍ୟଗୁଡ଼ିକ ନିଜ ଅଧୀନରେ ଦୁଇ ବର୍ଷିଆ ଡିପ୍ଲୋମା ଇନ୍ ପ୍ରି-ସ୍କୁଲ ଏଜୁକେସନ୍(ଡିପିଏସ୍ଇ) ପାଠ୍ୟକ୍ରମ ଡିଜାଇନ୍ ଓ ପରିଚାଳନା ପ୍ରକ୍ରିୟା ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏସସିଇଆରଟି) ଦ୍ୱାରା ଡିଜାଇନ୍ ହୋଇଥିବା ଏହି ପାଠ୍ୟକ୍ରମ ଏସସିଇଆରଟିମାନଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଡିଆଇଇଟି) ମାଧ୍ୟମରେ ପରିଚାଳିତ କିମ୍ବା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।