ସୀମାନ୍ତବର୍ତ୍ତୀ ଗାଁରେ ‌ସର୍ବନିମ୍ନ ସୁବିଧା ଦିଆଯାଉ : ସୁରେଶ ପୂଜାରୀ

ବରଗଡ଼ର ସୀମାନ୍ତବର୍ତ୍ତୀ ଗାଁର ସମସ୍ୟା ସମ୍ପର୍କରେ ରାଜ୍ୟପାଳଙ୍କୁ ଜଣାଇଲେ
ପ୍ରତି ଜବାବ ରଖିଲେ ମନ୍ତ୍ରୀ ସୁଶାନ୍ତ ସିଂହ

ଭୁବନେଶ୍ବର : ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି। ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଛତିଶଗଡ଼କୁ ଲାଗି ରହିଥିବା କିଛି ଅଞ୍ଚଳର ମୌଳିକ ସମସ୍ୟା ସମ୍ପର୍କରେ ସେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି। ସାକ୍ଷାତ ପରେ ଶ୍ରୀ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ଏବେ କେବଳ କୋଟିଆ ଏକମାତ୍ର ଘଟଣା ନୁହେଁ। ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ପଟୁ ଓଡ଼ିଶାର ସୀମା ଅତିକ୍ରାନ୍ତ ହେଉଛି। ମୋ ନିର୍ବାଚନମଣ୍ଡଳୀ ବରଗଡ଼ର ଝାରବନ୍ଧ ଓ ପଦ୍ମପୁର ବ୍ଲକ୍‌ର ଦୁଇଟି ଅଞ୍ଚଳ ଛତିଶଗଡ଼କୁ ଲାଗି ରହିଛି। ଝାରସୁଗୁଡ଼ାର ଲଖନପୁର ବ୍ଲକ୍‌ର ଦୁଇଟି ଅଞ୍ଚଳ ମଧ୍ୟ ଛତିଶଗଡ଼କୁ ଲାଗିଛି। ସେଠାରେ ଅସନ୍ତୋଷ ନିଆଁ ବଢ଼ିବାରେ ଲାଗିଛି। ଛତିଶଗଡ଼ରେ ମିଶିବୁ ବୋଲି ସେମାନେ ଅଭିମାନରେ କହିବା ଆରମ୍ଭ କଲେଣି। ରାଜ୍ୟର ସବୁ ସୀମାନ୍ତବର୍ତ୍ତୀ ଗାଁକୁ ସ୍ବାସ୍ଥ୍ୟ, ଶିକ୍ଷା, ରାସ୍ତା, ଗମନାଗମନ, ପିଇବା ପାଣି, ଜଳସେଚନ ବ୍ୟବସ୍ଥା ପରି ସର୍ବନିମ୍ନ ସୁବିଧା କରାଇବା ପାଇଁ ପଦକ୍ଷେପ ‌େନବାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ। ସେ ନିଜେ ସର୍ବଦଳୀୟ କମିଟିର ନେତୃତ୍ବ ନେଇ ସୀମାନ୍ତବର୍ତ୍ତୀ ଗାଁକୁ ଯାଆନ୍ତୁ। ସେଠାରେ ସମସ୍ୟା କ’ଣ ସିଧାସଳଖ ଦେଖିବାକୁ ଶ୍ରୀ ପୂଜାରୀ ଆହ୍ବାନ ‌େଦଇଥିଲେ।

ବରଗଡ଼ ସାଂସଦ ଆହୁରି କହିଥିଲେ ଯେ ବରଗଡ଼ ଏକ କ୍ୟାନ୍ସର୍‌ ପ୍ରବଣ ଜିଲ୍ଲା। ଏଠାରେ କ୍ୟାନ୍ସର ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ମଧ୍ୟରେ ଦୁଇ ବର୍ଷ ହେଲାଣି, ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହୋଇପାରୁନି। କ୍ୟାନ୍ସର ହସ୍ପିଟାଲ୍‌ ତୁରନ୍ତ କାର୍ଯ୍ୟକ୍ଷମ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି।

ଅନ୍ୟପକ୍ଷରେ ମନ୍ତ୍ରୀ ସୁଶାନ୍ତ ସିଂହ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ମତ ରଖି କହିଛନ୍ତି, ସୀମା ବିବାଦ ପ୍ରସଙ୍ଗରେ ବିଜେପିର ରାଜନୈତିକ ଏଜେଣ୍ଡା ରହିଛି। ବିଜେପି ପଡ଼ୋଶୀ ରାଜ୍ୟଙ୍କୁ ଉସୁକାଉଛି। କିନ୍ତୁ ରାଜ୍ୟ ସରକାର ଇଞ୍ଚେ ବି ଜମି ଛାଡ଼ିବେ ନାହିଁ।

ସମ୍ବନ୍ଧିତ ଖବର