ଭୁବନେଶ୍ବର : ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଥିବା ବେଳେ ଚଳିତ ଶୀତ ଋତୁରେ ପ୍ରଥମଥର ପାଇଁ ଜି. ଉଦୟଗିରିର ପାରଦ ସ୍ତର ୫ ଡିଗ୍ରିକୁ ଖସିଛି। ଏଥିସହ ରାଜ୍ୟର ୧୦ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ସେମିଳିଗୁଡ଼ାର ରାତି ତାପମାତ୍ରା ୭ ଡିଗ୍ରି, କେନ୍ଦୁଝରରେ ୭.୬ ଡିଗ୍ରି, ଚିପିଲିମାରେ ୭.୮ଡିଗ୍ରି, ଫୁଲବାଣୀରେ ୮ ଡିଗ୍ରି, ଝାରସୁଗୁଡ଼ାରେ ୮.୨ ଡିଗ୍ରି, ସୁନ୍ଦରାଗଡ଼ରେ ୮.୫ ଡିଗ୍ରି, କୋରାପୁଟରେ ୯ ଡିଗ୍ରି, ଦାରିଙ୍ଗବାଡ଼ିରେ ୯ ଡିଗ୍ରି ଓ ଅନୁଗୁଳରେ ୧୦ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି।

Advertisment

ଅନ୍ୟପଟେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଶୀତ ଜାରି ରହିବ। ତାପମାତ୍ରା ବୃଦ୍ଧି କିମ୍ବା ଶୀତ କମିବାର ଏବେ କୌଣସି ସମ୍ଭାବନା ନାହିଁ। ଅନ୍ୟପଟେ ସୋମବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯାଇଛି। ଆଜି ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ଗଜପତି ଜିଲ୍ଲାରେ କୁହୁଡ଼ି ସମ୍ଭାବନା ରହିଛି। ଏଥିସହ ଗତକାଲି ରାତିରେ କଟକର ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରି ଓ ଭୁବନେଶ୍ବରର ତାପମାତ୍ରା ୧୩ ଡିଗ୍ରି ରହିଥିଲା।