କ୍ଷତିଗ୍ରସ୍ତଙ୍କ ଦୁଃଖ ଶୁଣିଲେନି ଖଣି କର୍ତ୍ତୃପକ୍ଷ, ମେଳି ବାନ୍ଧିଲେ ବାସିନ୍ଦା

ଚମକପୁର: ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଦେଓଝର ଗ୍ରାମ ପଞ୍ଚାୟତର ମୁର୍ଗାଠାରେ ଥିବା କାଟାମାଟି ଖଣି କ୍ଷତିଗ୍ରସ୍ତଙ୍କୁ ଖଣି କର୍ତ୍ତୃପକ୍ଷ ବାରମ୍ବାର ଅଣଦେଖା ଏବଂ ଅବହେଳା କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏଥିପାଇଁ ଆଜି ମୁର୍ଗା ଠାରେ  ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଖଣି ଖୋଲିବା ପୂର୍ବରୁ ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଣଶୁଣାଣିରେ ଗ୍ରାମବାସୀଙ୍କ ଦାବିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରି ନାହିଁ। ଜମିହରା  ଏବେ ବହୁ ଅସୁବିଧାରେ କାଳାତିପାତ କରୁଛନ୍ତି।

ଚାକିରି କ୍ଷେତ୍ରରେ ମୁର୍ଗାବାସୀଙ୍କୁ ଅଗ୍ରାଧିକାର, ରାସ୍ତା ସୁବିଧା, ପ୍ରାଥମିକ ଚିକିତ୍ସାକେନ୍ଦ୍ର, ଆମ୍ବୁଲାନ୍ସ ସେବା ସମେତ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବାକୁ ସେମାନେ ଦାବି କରିଥିଲେ। ମେ  ୨୫ ତାରିଖରେ  ଦାବିଗୁଡ଼ିକ ଲିଖିତ ଭାବେ କାଟାମାଟି ଖଣି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ  ଚାରି ମାସ ହେଲା କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ କ୍ଷତିଗ୍ରସ୍ତ  ଅସନ୍ତୋଷ ପ୍ରକାଶ କରିଛନ୍ତି।  ଆସନ୍ତାକାଲି କାଟାମାଟି ଖଣି କର୍ତ୍ତୃପକ୍ଷଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବ ବୋଲି କାଟାମାଟି ମାଇନ୍ସ ମଜଦୁର ସଭାର ସାଧାରଣ ସମ୍ପାଦକ ବୀର ନାଏକ ପ୍ରକାଶ କରିଛନ୍ତି।  ବୈଠକରେ ପୂର୍ବତନ ୱାର୍ଡସଭ୍ୟ ବିଳାସିନୀ ନାଏକ, ବିମଲ  ମୁଣ୍ଡା, ସୋମବାରୀ ମୁଣ୍ଡା, ରଇବାରୀ ମୁଣ୍ଡା, ଗୁରୁବାରୀ ମୁଣ୍ଡାଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର