ଜୟପୁର: ବିଧାନସଭାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜୟପୁର ପୌରପାଳିକାରେ ୨୦୧୬ମସିହାରେ ହୋଇଥିବା ଦୁର୍ନିତୀ ଏବଂ ଭିଜିଲାନସ୍ ଜବତ କରିଥିବା ନଥିପତ୍ର ଓ ଦଲିଲ ସଂପର୍କରେ ପ୍ରଶ୍ନ କରିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହି ପ୍ରଶ୍ନର ଉତ୍ତର ଦେଇ ଜୟପୁର ପୌରପାଳିକାରେ ୨୦୧୬ମସିହାରେ କୌଣସି ଦୁର୍ନିତୀ ହୋଇ ନାହିଁ । ଭିଜିଲାନସ୍ ଜବତ କରିଥିବା ୧୩୩ଟି ମାମଲାର ନଥିପତ୍ର ଓ ଦସ୍ତାବିଜରୁ ଏଭଳି କିଛି ପ୍ରମାଣ ମଳିନି ବୋଲି ବିଧାନସଭାରେ କହିଥିଲେ। ମନ୍ତ୍ରୀ ବିଧାନସଭାରେ ମିଛ କହିଛନ୍ତି , ଏହାର ପ୍ରମାଣ ଲୋକାୟୁକ୍ତ କୋର୍ଟରେ ମିଳିଯାଇଛି ବୋଲି କହିଛନ୍ତି ନିର୍ଭୟ ଟ୍ରଷ୍ଟର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସାହୁ।
ପୌରପାଳିକାରେ ୨୦୧୧ରୁ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ କରି ନିର୍ଭୟ ଟ୍ରଷ୍ଟର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସାହୁ ଲୋକାୟୁକ୍ତରେ ଏଲୱାଇ-୪୭୬/୨୦୨୨ରେ ମାମଲା ରୁଜୁ କରିଥିଲେ। ଲୋକାୟୁକ୍ତ ଚିଠି ନଂ ୯୦୪୪/ଏଲୱାଇ ତା୨୫.୧୧.୨୦୨୨ରିଖରେ ଭିଜିଲାନସ୍ ଡାଇରେକ୍ଟର ଜେନରାଲ, କଟକଙ୍କୁ ନୋଟିସ କରି ପୌରପାଳିକାର ଦୁର୍ନିତୀ ସଂପର୍କରେ ତଥ୍ୟ ରଖିବା ପାଇଁ ନିର୍ଦେଶ ଦେଇଥିଲେ।ଏହି କ୍ରମରେ ଭିଜିଲାନସ୍ ଡାଇରେକ୍ଟର ଜେନରାଲ, କଟକ କୋରାପୁଟ ଭିଜିଲାନସ୍ ଫାଇଲ ନଂ ୮୪ ତା୨୬.୧୧.୨୦୧୧ରିଖ ଓ ଫାଇଲ ନଂ ୬୭ ତା ୧୩.୧୨.୨୦୧୬ରିଖ ର ତଦନ୍ତ କରାଯାଇଛି ବୋଲି କୋର୍ଟରେ ତଥ୍ୟ ଉପସ୍ଥାପନ କରିଥିଲେ। କେସ ନଂ ୨୪/୨୦୧୧ରେ ଭିଜିଲାନସ୍ ତଦନ୍ତ ବେଳେ କୌଣସି ପ୍ରକଳ୍ପ କରିବା ସମୟରେ ଅନିମିୟତତା ହୋଇନଥିବା କିମ୍ବା ସରକାରୀ ଅର୍ଥ ତୋଷାରପାତ କରି ଅଧିକା ଅର୍ଥ ଦିଆଯାଇଥିବା ଲକ୍ଷ୍ୟ କରାଯାଇନି ତେଣୁ ଏହାକୁ ବନ୍ଦ କରିଦେଲୁ ବୋଲି ଜଣାଇଥିଲେ। ତେବେ ୬୭/୨୦୧୬କେସ ନଂରେ କିଛି ପ୍ରକଳ୍ପ କାମ ପ୍ରକ୍ରିୟାଗତ ଅନିମିୟିତତା ହେବା ସହ ପାଣ୍ଠି ଦିଆଯାଇଥିବା ତଦନ୍ତ ବେଳେ ଜଣା ପଡିଥିବା ଭିଜିଲାନସ୍ ଡିଜି ରିପୋର୍ଟ ଦାଖଲ କରିଥିଲେ। ଲୋକାୟୁକ୍ତ ବିଚାରପତି ଓ ସଭ୍ୟ ଏହି ମାମଲାରେ ପକ୍ଷଭୁକ୍ତ ଥିବା ଶ୍ରୀ ସାହୁଙ୍କୁ ଭିଜିଲାନସ୍ ବିଭାଗର ଦୁଇଟି ଫାଇଲର ତଦନ୍ତ ରିପୋର୍ଟ ଦେବା ସହ ଏହି ଦୁଇଟି ରିପୋର୍ଟର ଅଧିକା କିଛି ତଥ୍ୟ ଓ ମତାମତ କୋର୍ଟରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ୨ଟି ମାମଲା ମଧ୍ୟରୁ ୬୭/୨୦୧୬ମାମଲା ଲୋକାୟୁକ୍ତ କୋର୍ଟରେ ଆଗାମୀ ତାରିଖରେ ଚାଳିବ ବୋଲି ନିର୍ଦେଶ ଦେଇଥିଲେ।
୨୦୦୩ମସିହାରୁ ୨୦୧୬ମସିହା ପର୍ଯ୍ୟନ୍ତ ଜୟପୁର ଭିଜିଲାନସ୍ ବିଭାଗ ପକ୍ଷରୁ ୧୩୩ଟି ଫାଇଲ ଜବତ କରି ୪ଜଣ ଡିଏସପି ଯାଂଚ କରିବା ପରେ କିଛି ପାଇନଥିବା ମିତ୍ୟା ତଥ୍ୟ ଦେବା ଫଳରେ ବିଧାନସଭା ଭଳି ପବିତ୍ର ସ୍ଥାନରେ ନଗରଉନ୍ନୟନ ମନ୍ତ୍ରୀ ମିଛ ତଥ୍ୟ ଉପସ୍ଥାପନ କଲେ ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ସେ ଆସନ୍ତା ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ସେ ସମୟର ସମସ୍ତ ଦୁର୍ନିତୀ, ସରକାରୀ ଅର୍ଥତୋଷାରପାତ କରିଥିବା ପ୍ରକଳ୍ପର ଫଟୋଚିତ୍ର ଓ ଭିଡିଓ ଆଦି ଦାଖଲ କରି ଦୁର୍ନିତୀର ପର୍ଦ୍ଧାପାସ କରିବେ ବୋଲି କହିଛନ୍ତି ନିର୍ଭୟ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ସାହୁ।