ଭୁବନେଶ୍ବର : ଏକଚ୍ଛତ୍ରବାଦ ଶାସନରେ ଅକାଟ୍ୟ ରୂଢ଼ିଟି ହେଲା-ରାଜା ସର୍ବଦା ଠିକ୍। କାରଣ, ଏକଚ୍ଛତ୍ରବାଦୀ ଶାସକମାନେ କେବେ ବି ପ୍ରଜାଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି। ମାତ୍ର, ଗଣତନ୍ତ୍ରରେ ସରକାର ଲୋକଙ୍କ ନିକଟରେ ଉତ୍ତରଦାୟୀ। ଏହାସତ୍ତ୍ବେ ତଥାକଥିତ ଅମଲାତନ୍ତ୍ର ଶାସନରେ ଆମ ଲୋକ ପ୍ରତିନିଧି, ବିଶେଷକରି ମନ୍ତ୍ରୀମାନେ ଯେ ଅଫିସରଙ୍କ ବାଣୀକୁ ‘ବେଦ ବାକ୍ୟ’ ଭାବେ ଗ୍ରହଣ କରିନେଇଛନ୍ତି-ସେଭଳି ଅନେକ ରୋଚକ ବିଲକ୍ଷଣ ଦୃଷ୍ଟିଗୋଚର ହୋଇଛି ସଦ୍ୟ ସମାପ୍ତ ବିଧାନସଭାରେ। ଅନେକ ସମୟରେ ‘ତଥ୍ୟ ସଂଗ୍ରହ ଚାଲିଛି, ତଥ୍ୟ ଉପଲବ୍ଧ ନାହିଁ’ରେ ବିଧାୟକମାନଙ୍କ ପ୍ରଶ୍ନକୁ ଅନାୟାସରେ ଏଡ଼ାଇ ଦିଆଯାଉଥିବାର ପର୍ଯ୍ୟାୟ ବ୍ୟାପୀ ଦୃଷ୍ଟାନ୍ତ ପରିଲକ୍ଷିତ ହୋଇଛି।
ବିଧାୟକମାନଙ୍କୁ ୧୫ ଦିନ ପୂର୍ବରୁ ପ୍ରଶ୍ନ ଦାଖଲ କରିବାକୁ ପଡ଼େ। ସଚିବାଳୟରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ ସବୁ ଦପ୍ତରଗୁଡ଼ିକୁ ସୂଚନା ପ୍ରଯୁକ୍ତି କୌଶଳରେ ଯୋଡ଼ି ଦିଆଯାଇଥିଲେ ମଧ୍ୟ ବିଧାୟକମାନଙ୍କ ପ୍ରଶ୍ନ ସଂକ୍ରାନ୍ତ ତଥ୍ୟ ଉପଲବ୍ଧ ନହେବା ପଛରେ ଯେଉଁମାନଙ୍କ ଅପାରଗତା ଦାୟୀ, ସେମାନଙ୍କୁ ଉତ୍ତରଦାୟୀ କରିବା ବଦଳରେ ସରକାର ଚୁପ୍ କାହିଁକି? ପରିଣାମସ୍ବରୂପ ଅୟସରେ ଥିବା ଅଫିସରମାନେ ନିଜ ଢଙ୍ଗରେ ଉତ୍ତର ଲେଖୁଛନ୍ତି ଓ ତାହାକୁ ତର୍ଜମା ନକରି ମନ୍ତ୍ରୀମାନେ ବିଧାନସଭାରେ ଉପସ୍ଥାପିତ କରି ଅଡୁଆରେ ପଡୁଛନ୍ତି। ସେପଟେ ଆଶାନୁରୂପ ଉତ୍ତର ନପାଇ ନିରାଶ ହେଲେ ବି ତଥାକଥିତ ଦଳୀୟ ଶୃଙ୍ଖଳା ଆଳରେ ଶାସକ ଦଳ ବିଧାୟକମାନେ ଚୁପ୍, ବିରୋଧୀମାନେ ବି ରହସ୍ୟଜନକ ଭାବେ ନିରବ। ମୋଟାମୋଟି ଭାବେ ଅର୍ଥ ଓ ସମୟ ଅପଚୟ ସତ୍ତ୍ବେ ପାରମ୍ପରିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଯେ କ୍ରମଶଃ ନିରର୍ଥକ ସାବ୍ୟସ୍ତ ହେଉଛି-ସେଥିରେ ସନ୍ଦେହ ନାହିଁ।
ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଏଭଳି ପର୍ଯ୍ୟାୟ ବ୍ୟାପୀ ବିଲକ୍ଷଣ ମଧ୍ୟରେ ତଥ୍ୟ ଥାଇ ତାହାକୁ ଫାଙ୍କି ଦିଆଯିବା ଆଉ ଏକ ଉଦ୍ବେଗଜନକ ଅଧ୍ୟାୟ। ଭାତହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ନିର୍ଦ୍ଦିଷ୍ଟ ପ୍ରଶ୍ନକୁ ଦୃଷ୍ଟାନ୍ତ ଦିଆଯାଇପାରେ। ଗଞ୍ଜାମ ଜିଲ୍ଲା ବାହୁଦା ମୁହାଣରେ ପ୍ରସ୍ତାବିତ ବନ୍ଦର ନିର୍ମାଣ ଲାଗି ରାଷ୍ଟ୍ରାୟତ୍ତ ସଂସ୍ଥା ୱାପ୍କୋସ୍ ବୈଷୟିକ-ଅର୍ଥନୈତିକ ସର୍ଭେ କରି ଅନୁକୂଳ ରିପୋର୍ଟ ଦେବାସତ୍ତ୍ବେ ପ୍ରକଳ୍ପଟି ଶୀତଳ ଭଣ୍ଡାରରେ ପଡ଼ିରହିବାର କାରଣ କ’ଣ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ନିକଟରେ ବାଣିଜ୍ୟ ଓ ପରିବହନ ବିଭାଗ ଦାୟିତ୍ବ ନେଇଥିବା ମନ୍ତ୍ରୀ ଟୁକୁନି ସାହୁଙ୍କ ସଂକ୍ଷିପ୍ତ ଉତ୍ତର ଥିଲା-ୱାପ୍କୋସ୍ ଦ୍ବାରା କୌଣସି ଅନୁଧ୍ୟାନ ହୋଇନାହିଁ। ବିଭାଗର ସଦ୍ୟ ଦାୟିତ୍ବ ନେଇଥିବା ମନ୍ତ୍ରୀ ହୁଏତ ସ୍ବଳ୍ପଦିନ ମଧ୍ୟରେ ରାଜ୍ୟର ନୂଆ ଓ ପୁରୁଣା ବନ୍ଦର ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ଅନୁଧ୍ୟାନ କରି ନଥିବେ। ମାତ୍ର, ବାହୁଦା ବନ୍ଦର ପ୍ରକଳ୍ପ ସମ୍ପର୍କରେ ପ୍ରଶ୍ନ ଆସିବାପରେ ସେ ଯଦି ତାହାକୁ ବ୍ୟକ୍ତିଗତ ଭାବେ ଗୁରୁତ୍ବ ଦେଇଥା’ନ୍ତେ, ତେବେ ଅଚିରେ ସବିଶେଷ ତଥ୍ୟ ରଖିପାରି ଥାଆନ୍ତେ। ତାହା ନକରି ଅଫିସର ଲେଖିଥିବା ଉତ୍ତରକୁ ଆଖିବୁଜା ଭରସା କରିବା ଦ୍ବାରା ସେ ଯେ କେବଳ ନିଜ ଉତ୍ତରଦାୟିତ୍ବକୁ ଏଡ଼ାଇ ଗଲେ ତାହା ନୁହେଁ, ବରଂ ନିଜ ବିଭାଗରେ ତାଙ୍କର ଦଖଲ ନାହିଁ ବୋଲି ବାର୍ତ୍ତାଟିଏ ଗଲା।
ବାହୁଦା ମୁହାଣରେ ବନ୍ଦର ପ୍ରସ୍ତାବ ପ୍ରସଙ୍ଗରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଦ୍ବାଦଶ ଯୋଜନାରେ ୧୮ ହଜାର କୋଟି ଟଙ୍କା ବିନିଯୋଗରେ ଓଡ଼ିଶା ସମେତ ୭ଟି ରାଜ୍ୟରେ ୭ଟି ନୂଆ ବନ୍ଦର ନିର୍ମାଣ କରିବାକୁ ତତ୍କାଳୀନ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ସହ ୨୦୧୧ ଅଗଷ୍ଟରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ସମ୍ପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କୁ ତୁରନ୍ତ ସ୍ଥାନ ନିରୂପଣ କରିବାକୁ ପରାମର୍ଶ ଦେଇଥିଲେ। ସେଥିରେ ବନ୍ଦର ସମେତ ଜାହାଜ ନିର୍ମାଣ କାରଖାନା ପାଇଁ ମଧ୍ୟ ଲିଖିତ ପରାମର୍ଶ ଥିଲା। ପ୍ରକଳ୍ପ ସମ୍ଭାବନା ସମ୍ପର୍କିତ ଅନୁଧ୍ୟାନ ପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ସଂସ୍ଥା ୱାପ୍କୋସ୍କୁ ଦାୟିତ୍ବ ଦେବା ସହିତ ଏ ବାବଦରେ ୧ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ କରିବାକୁ ଚୁକ୍ତି କରିଥିଲେ। ୨୦୧୨ରେ ୱାପ୍କୋସ୍ ଦାଖଲ କରିଥିବା ପ୍ରାଥମିକ ରିପୋର୍ଟରେ ଦର୍ଶାଇଥିଲା ଯେ ୩୦ କି.ମି. ଦୈର୍ଘ୍ୟର ବାହୁଦା ଊପକୂଳରେ ୨୦୦୦ ଏକରରୁ ଅଧିକ ସରକାରୀ ଜମି ଥିବାରୁ ବନ୍ଦର ନିର୍ମାଣ ପାଇଁ ତାହା ପ୍ରକୃଷ୍ଟ ସ୍ଥାନ। ପ୍ରସ୍ତାବିତ ବନ୍ଦର ପ୍ରକଳ୍ପ ଲାଗି ରିପୋର୍ଟରେ ୩୪୫୪ କୋଟି ଟଙ୍କାର ବ୍ୟୟ ଅଟକଳ ଥିଲା। କେବଳ ସେତିକି ନୁହେଁ, ବାହୁଦା ମୁହାଣରେ ପ୍ରସ୍ତାବିତ ବନ୍ଦରକୁ ସାଟେଲାଇଟ୍ ବନ୍ଦର ଭାବେ ପରିଚାଳନା ଲକ୍ଷ୍ୟରେ ପାରାଦୀପ ବନ୍ଦର ଟ୍ରଷ୍ଟ ପୁଞ୍ଜିନିବେଶ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲା। ପରେ ପରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ମଧ୍ୟ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପ ଲାଗି ପୁଞ୍ଜି ବିନିଯୋଗ କରିବାକୁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲା। ଏହି ପ୍ରକଳ୍ପକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଲାଗି ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ସାଂସଦମାନେ ସଂସଦରେ ଦାବି କରିଥିଲେ। ୨୦୧୬ ସେପ୍ଟେମ୍ବରରେ ୱାପ୍କୋସ୍ ବୈଷୟିକ-ଅର୍ଥନୈତିକ ସର୍ଭେ କରି ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବା ସହ ଏହାର ପ୍ରାପ୍ୟ ନେଇଥିଲା। ଏହି ପ୍ରକଳ୍ପର ଯାବତୀୟ ଦଲିଲ୍ ରାଜ୍ୟ ବାଣିଜ୍ୟ ବିଭାଗରେ ମହଜୁଦ ଥିଲେ ମଧ୍ୟ ବିଭାଗୀୟ ଅଫିସରମାନେ କିଭଳି ମନ୍ତ୍ରୀଙ୍କ ମୁହଁରେ ଅସଲ ତଥ୍ୟକୁ ଫାଙ୍କି ବିଧାନସଭାକୁ ବିଭ୍ରାନ୍ତ କଲେ-ତାହା ଅନୁସନ୍ଧାନ ସାପେକ୍ଷ। ମୋଟାମୋଟି ଭାବେ ଅଫିସରଙ୍କ ନିକଟରେ ଅଧିକାଂଶ ମନ୍ତ୍ରୀ ନିଜ ଉତ୍ତରଦାୟିତ୍ବକୁ ଜଳାଞ୍ଜଳି ଦେବା ଏକ ଉତ୍ତରଦାୟୀ ସରକାରଙ୍କ ପକ୍ଷରେ ସ୍ପୃହଣୀୟ କି? ଏଭଳି ପ୍ରଶ୍ନ ସଚେତନ ମହଲକୁ ଆନ୍ଦୋଳିତ କରିବା ସ୍ବାଭାବିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/PHOTO02bhu-Assembly-2.jpg)