‘ଅବକ୍ଷୟମୁଖୀ’ ବିଶେଷଣ ବାଧିଲା! ବିଧାନସଭାକୁ ବିଭ୍ରାନ୍ତ କଲେ ମନ୍ତ୍ରୀ

ଭୁବନେଶ୍ବର : ଦୁଇ ବର୍ଷ ତଳେ (୨୦୨୦ ଅକ୍ଟୋବର ୩ରେ) ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜଗନ୍ନାଥ ସାରକା ରାଜ୍ୟର ଅବକ୍ଷୟମୁଖୀ ଆଦିମ ଜନଜାତିଙ୍କ କରୋନା ସଂକ୍ରମଣ ସମ୍ପର୍କରେ ବିଶଦ ଉତ୍ତର ରଖିଥିଲେ। ଚଳିତ ଅଧିବେଶନର ଜୁଲାଇ ୧୬ ତାରିଖ ବୈଠକରେ ଶ୍ରୀ ପଟ୍ଟନାୟକଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ‘‘ରାଜ୍ୟରେ କୌଣସି ଅବକ୍ଷୟମୁଖୀ ଆଦିମ ଜନଜାତି ଚିହ୍ନଟ ହୋଇନାହାନ୍ତି ଓ ସେମାନଙ୍କ ବିକାଶ ପାଇଁ କୌଣସି ସ୍ବତନ୍ତ୍ର ବିକାଶ ସଂସ୍ଥା ଗଠନ କରାଯାଇ ନାହିଁ’’।

ପ୍ରଶ୍ନକର୍ତ୍ତା ବିଧାୟକଙ୍କ ସମେତ ପୂରା ବିଧାନସଭାକୁ ଏଭଳି ବିଭ୍ରାନ୍ତ କରାଯିବାର ରହସ୍ୟ କ’ଣ? ରାଜ୍ୟର ୯୦ ଭାଗ ଲୋକଙ୍କ ସ୍ବାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ ଅନୁସୂଚୀତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଭଳି ଏକ ବିରାଟ ବ୍ୟବସ୍ଥାର ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଓ ଏବେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନେତୃତ୍ବ ନେଇ ଆସିଥିବା ମନ୍ତ୍ରୀ ଶ୍ରୀ ସାରକା ନିଜେ ଅନୁସୂଚିତ ଜାତି ବର୍ଗର ହୋଇଥିଲେ ମଧ୍ୟ ନିଜ ସମ୍ପ୍ରଦାୟର ଅତ୍ୟନ୍ତ ଉପେକ୍ଷିତ ୧୩ଟି ବିରଳ ଜନଜାତିଙ୍କୁ ହଠାତ ପାଶୋରି ଯିବେ କେମିତି?

ଏଭଳି କିଛି ପ୍ରଶ୍ନ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ବିକାଶ ପାଇଁ କ୍ଷେତ୍ରୀୟ କାର୍ଯ୍ୟରେ ମୁତୟନ ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାଙ୍କୁ ବିବ୍ରତ କରିବା ସ୍ବାଭାବିକ। ସେମାନଙ୍କ ମତରେ ସରକାରୀ ଫାଇଲଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ Particular vulnerable tribal groups (PVTG)କୁ ଓଡ଼ିଆରେ ବିଶେଷଭାବେ ଆପଦଗ୍ରସ୍ତ/ କ୍ଷୟପ୍ରବଣ/ ଅବକ୍ଷୟମୁଖୀ ଜନଜାତି ସମ୍ପ୍ରଦାୟ ଭାବେ ବ୍ୟବହାର କରାଯାଉଛି। ତେଣୁ ପ୍ରଶ୍ନକର୍ତ୍ତା ବିଧାୟକ ଅବକ୍ଷୟମୁଖୀ ଜନଜାତି ଉଲ୍ଲେଖ କରିବା ଦ୍ବାରା ସରକାରଙ୍କ କେଉଁ ରାମାୟଣ ଅସୁଦ୍ଧି ହୋଇଗଲା? ସମ୍ଭବତଃ ପ୍ରଶ୍ନକର୍ତ୍ତା ଉଲ୍ଲେଖ କରିଥିବା ‘ଅବକ୍ଷୟମୁଖୀ’ ଶବ୍ଦଟି ସରକାରଙ୍କ ଅପାରଗତାକୁ ଇଙ୍ଗିତ କରିବା ଆଶଙ୍କା ଥିବାରୁ ମନ୍ତ୍ରୀଙ୍କ ପାଇଁ ଉତ୍ତର ପ୍ରସ୍ତୁତ କରୁଥିବା ଅଧିକାରୀମାନେ ଅସଲ ପ୍ରଶ୍ନକୁ ମୂଳରୁ ଫାଙ୍କିବାକୁ ଉଦ୍ୟମ କରିଛନ୍ତି କି? ଗଣତାନ୍ତ୍ରିକ ସରକାର ଲୋକଙ୍କ ନିକଟରେ ଉତ୍ତରଦାୟୀ। ଏଣୁ ଅଫିସରଙ୍କ ଦ୍ବାରା ପ୍ରସ୍ତୁତ ଉତ୍ତରକୁ ସଂଶୋଧନ କରିବା ମନ୍ତ୍ରୀଙ୍କ ଅଧିକାର ପରିସରଭୁକ୍ତ। ୨୦୧୯ରୁ ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀ ଏମିତି ନ କରି ବାବୁମାନଙ୍କ ବିବାଦୀୟ ଉତ୍ତରକୁ ବିଧାନସଭାରେ ଉପସ୍ଥାପନ କଲେ କେମିତି?

ମନ୍ତ୍ରୀ କହିଲେ କୌଣସି ଅବକ୍ଷୟମୁଖୀ ଆଦିମ ଜନଜାତି ଚିହ୍ନଟ ହୋଇନାହାନ୍ତି
ସେମାନଙ୍କ ପାଇଁ କୌଣସି ସ୍ବତନ୍ତ୍ର ବିକାଶ ସଂସ୍ଥା ଗଠନ କରାଯାଇ ନାହିଁ
୨୦୨୦ ମସିହାରେ ଉତ୍ତର ଦେଇଥିଲେ, ୨୦୨୨ରେ ବଦଳିଗଲା
ସତ ଉଗାଳୁଛି ଭାରତୀୟ ଭେଷଜ ଗବେଷଣା ପରିଷଦର ରିପୋର୍ଟ

ସରକାର ହାଲ୍‌କା ଭାବେ ଏହି ପ୍ରସଙ୍ଗକୁ ଗ୍ରହଣ କରିଥିଲେ ହେଁ ବୁଦ୍ଧିଜୀବୀ ମହଲ କିନ୍ତୁ ନଛୋଡ଼ବନ୍ଧା। ସେମାନଙ୍କ ଯୁକ୍ତି ହେଲା, ଜନଗଣନା ତଥା ଅନ୍ୟାନ୍ୟ ତଥ୍ୟକୁ ତର୍ଜମା କରି ସ୍ବାଧୀନତାର ପ୍ରାୟ ୨୨ ବର୍ଷ ପରେ କେନ୍ଦ୍ର ସରକାର ନିଶ୍ଚିତ ହୋଇଥିଲେ ଯେ ଦୁର୍ଗମ ଅଞ୍ଚଳରେ ରହୁଥିବା ଯୋଗୁଁ ସେମାନଙ୍କ ପାଇଁ ଶିକ୍ଷା-ସ୍ବାସ୍ଥ୍ୟ ସେବା ଅପହଞ୍ଚ, ଅସ୍ବାସ୍ଥ୍ୟକର ପରିବେଶରେ ଭିନ୍ନ ଜୀବନଶୈଳୀ, ଅଖାଦ୍ୟ ଭୋଜନରୁ ରୋଗଗ୍ରସ୍ତ ଓ ଅଶିକ୍ଷା ଓ ଅସଚେତନତା ଆଦି କାରଣରୁ ୭୫ଟି ବିରଳ ଜନଜାତି ଅତ୍ୟନ୍ତ ଅନଗ୍ରସର। ଏପରିକି ସେମାନେ ଅନ୍ୟାନ୍ୟ ଜନଜାତି ସମ୍ପ୍ରଦାୟ ସହ ସମକକ୍ଷ ନୁହନ୍ତି। ଏସବୁ କାରଣରୁ ସେମାନଙ୍କ ଜନସଂଖ୍ୟା ବଢ଼ିବା ବଦଳରେ ବର୍ଷ ବର୍ଷ ଧରି ସ୍ଥିର ରହୁଛି। ତେଣୁ ସାମାଜିକ ମୁଖ୍ୟସ୍ରୋତରେ ସେମାନଙ୍କୁ ସାମିଲ କରିବା ଦୂରେ ଥାଉ ବରଂ ଦେଶରେ ଥିବା ଅବଶିଷ୍ଟ ଜନଜାତି ସମ୍ପ୍ରଦାୟ ସହ ସେମାନଙ୍କୁ ସମକକ୍ଷ କରିବା ଲକ୍ଷ୍ୟରେ ୭୦ ଦଶକ ମଧ୍ୟଭାଗରେ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଯୋଜନା। ଏଥିରେ ସାମିଲ ପାଇଁ ଆମ ରାଜ୍ୟର ୧୩ଟି ବିରଳ ଜନଜାତିଙ୍କୁ ଚିହ୍ନଟ କରାଯାଇଥିଲା; ଯାହା ଦେଶରେ ସର୍ବାଧିକ। ସମ୍ବିଧାନର ଧାରା ୨୭୫ରେ ସ୍ବତନ୍ତ୍ର ଅନୁଦାନ ସମେତ ଅନ୍ୟାନ୍ୟ ସୂତ୍ରରୁ କେନ୍ଦ୍ରୀୟ ଅନୁଦାନରେ ଏମାନଙ୍କ ବିକାଶ ଲକ୍ଷ୍ୟରେ ବଣ୍ଡା, ସଉରା, ଲାଞ୍ଜିଆ ସଉରା, ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ, ଜୁଆଙ୍ଗ, ଭୂୟାଁ, ପାଉଡ଼ି ଭୂୟାଁ, ମାଙ୍କଡ଼ିଆ, ହିଲ୍ ଖଡ଼ିଆ ଆଦି ସମ୍ପ୍ରଦାୟଙ୍କ ନାମରେ ପୃଥକ-ପୃଥକ ଡେଭେଲପ୍‌ମେଣ୍ଟ ଏଜେନ୍ସି (ବିକାଶ ସଂସ୍ଥା) ସୃଷ୍ଟି କରାଯାଇଥିଲା। ପରେ ପରେ ଏଭଳି ସ୍ବତନ୍ତ୍ର ବିକାଶ ସଂସ୍ଥାର ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ଓ ଏବେ ବି କାର୍ଯ୍ୟକ୍ଷମ ରହିଛି। ଏସବୁ ସଂସ୍ଥା ପାଇଁ ୨୦୧୦-୧୧ରୁ ଏ ପର୍ଯ୍ୟନ୍ତ ବଜେଟ୍ ବ୍ୟବସ୍ଥା କେତେ ଓ କେନ୍ଦ୍ରୀୟ ସହାୟତା କେତେ ମିଳିଛି-ବିଧାୟକ ଶ୍ରୀ ପଟ୍ଟନାୟକ ସେ ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ମାତ୍ର ତାହାର ହିସାବ ନରଖି ମନ୍ତ୍ରୀ ‘ଅବକ୍ଷୟମୁଖୀ ଆଦିମ ଜନଜାତିଙ୍କ ପାଇଁ କୌଣସି ବିକାଶ ସଂସ୍ଥା ନାହିଁ ବୋଲି ବାଏଁ ବାଏଁ ଫାଙ୍କିଦେଲେ? କେଉଁ ଆଧାରରେ ମନ୍ତ୍ରୀ ଏଭଳି ଉତ୍ତର ରଖିଲେ, ତାହା ଖୋଦ୍ ବିଧାୟକଙ୍କ ସମେତ ବୁଦ୍ଧିଜୀବୀ ମହଲକୁ ତାଜୁବ୍ କରିଛି।

Odisha Sun Times

ଅନ୍ୟପକ୍ଷରେ ‘ରାଜ୍ୟରେ ଅବକ୍ଷୟମୁଖୀ ଜନଜାତି ଚିହ୍ନଟ ହୋଇ ନାହାନ୍ତି’ ବୋଲି ମନ୍ତ୍ରୀ ଫାଙ୍କିବାକୁ ଯେଉଁ ଗଳାବାଟର ଆଶ୍ରୟ ନେଇଛନ୍ତି, ସେଥିରୁ ସରକାରଙ୍କ ଆଉ ଏକ ଐତିହାସିକ ଅପାରଗତା ପଦାରେ ପଡ଼ିଛି ବୋଲି ତଥ୍ୟାଭିଜ୍ଞ ମହଲ ଜୋର ଦେଇ କହିଛନ୍ତି। ସେମାନଙ୍କ ମତରେ ୭୦ ଦଶକରେ ରାଜ୍ୟରେ ଚିହ୍ନଟ କ୍ଷୟପ୍ରବଣ ଆଦିମ ଜନଜାତିଙ୍କ ସଂଖ୍ୟା ୨୦୧୫-୧୬ ବେଳକୁ ୯୦ ହଜାରରେ ପହଞ୍ଚିଥିବା ସରକାରୀ ତଥ୍ୟ କହୁଥିଲେ ହେଁ ବିକାଶ ସଂସ୍ଥାଗୁଡ଼ିକ କାର୍ଯ୍ୟକାରୀ ହେବାର ୪୫ ବର୍ଷ ପରେ ମଧ୍ୟ ସେମାନଙ୍କ ଜନସଂଖ୍ୟା ଅଭିବୃଦ୍ଧି ହାର ଅବଶିଷ୍ଟ ଜନଜାତିଙ୍କ ତୁଳନାରେ ଅତ୍ୟନ୍ତ ନଗଣ୍ୟ। ୨୦୨୦ରେ ସରକାର ପ୍ରାୟ ୪୦୦୦ ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ଦେବାକୁ ଘୋଷଣା କରିବା ପରେ ୮୮୮ଟି ପଡ଼ାଗ୍ରାମରେ କାହିଁ କେଉଁ କାଳରୁ ବାସ କରିଆସୁଥିବା ପ୍ରାୟ ଦେଢ଼ ଲକ୍ଷ ଆଦିମ ଜନଜାତି ଇତିମଧ୍ୟରେ ତାଲିକାଭୁକ୍ତ ହୋଇଛନ୍ତି। ସୁତରାଂ ଆପଦଗ୍ରସ୍ତ ବିରଳ ଜନଜାତିଙ୍କ ପାଇଁ ବିକାଶ ଯୋଜନା କାର୍ଯ୍ୟକାରୀ ହେବାର ୪୫ ବର୍ଷ ପରେ ମଧ୍ୟ ସରକାରୀ କଳ ଏମାନଙ୍କୁ ଚିହ୍ନଟ କରି ନଥିଲେ କି ଏତେ ବର୍ଷ ଯାଏ ଯୋଜନାଭୁକ୍ତ କରିନଥିଲେ; ଏକଥା ଏବେ ସ୍ପଷ୍ଟ। ଏଭଳି ଐତିହାସିକ ଅବହେଳା ପାଇଁ ସରକାର ମଧ୍ୟ କାହାକୁ ଦାୟୀ ନକରିବା ଅଧିକ ବିସ୍ମୟଜନକ।

ତେବେ ସେ ଯାହା ହେଉନା କାହିଁକି- ରାଜସ୍ବ ଗ୍ରାମ ପୁନର୍ଗଠନ ପ୍ରକ୍ରିୟାରେ ଏହି ବର୍ଗରୁ ବାଦ ପଡିଥିବା ଲୋକଙ୍କୁ ସାମିଲ କରାଯିବା ଦ୍ବାରା ସେମାନଙ୍କ ସଂଖ୍ୟା ହଠାତ ଉର୍ଦ୍ଧ୍ବମୁଖୀ ହୋଇଥିଲା। ସମ୍ଭବତଃ ଏହାକୁ ଆଧାର କରି ଉତ୍ତର ଲେଖୁଥିବା ଅଧିକାରୀମାନେ ହୁଏତ ‘ଅବକ୍ଷୟମୁଖୀ’ ବିଶେଷଣକୁ ହଜମ କରି ନପାରି ମନ୍ତ୍ରୀଙ୍କୁ ଉପରଠାଉରିଆ ତଥ୍ୟ ଧରାଇ ଦେଇଛନ୍ତି ବୋଲି ଏହି ମହଲ ମତ ରଖୁଛନ୍ତି।

କେବଳ ସେତିକି ନୁହେଁ, ଦୀର୍ଘ ୪୫ ବର୍ଷ ଧରି ସମ୍ପ୍ରଦାୟଭିତ୍ତିକ ସ୍ବତନ୍ତ୍ର ବିକାଶ ସଂସ୍ଥାଗୁଡ଼ିକ ଜରିଆରେ ବ୍ୟାପକ ବ୍ୟୟ ହେବା ସତ୍ତ୍ବେ ଉପରୋକ୍ତ ୧୩ଟି ବିରଳ ଜନଜାତିଙ୍କ ସ୍ବାସ୍ଥ୍ୟ, ଶିକ୍ଷା ସମେତ ସାମାଜିକ-ଅର୍ଥନୈତିକ ସୂଚକାଙ୍କ ଯେ ରାଜ୍ୟର ଅନ୍ୟାନ୍ୟ ଜନଜାତିଙ୍କ ତୁଳନାରେ ଖୁବ୍ ନିମ୍ନରେ-ତାହାକୁ କେହି ଅସ୍ବୀକାର କରିବେ ନାହିଁ। ୨୦୧୯ରେ ରାଜ୍ୟର ବିରଳ ଜନଜାତିଙ୍କ ସ୍ବାସ୍ଥ୍ୟ ଓ ଜୀବନଶୈଳୀ ସମ୍ପର୍କରେ ସର୍ଭେ କରିଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ICMR)ର ରିପୋର୍ଟ ଏ କ୍ଷେତ୍ରରେ ପ୍ରଣିଧାନସାପେକ୍ଷ। ଏହି ରିପୋର୍ଟ ଅନୁସାରେ ପାଉଡି ଭୂୟାଁ ସମ୍ପ୍ରଦାୟର ୮୮.୮% ପୁରୁଷ ଓ ୮୩.୫% ମହିଳା ରକ୍ତହୀନତାର ଶିକାର। ଦିଦାୟୀ ସମ୍ପ୍ରଦାୟରେ ତାହା ୮୫.୭% ଓ ୬୮.୨%, ଚୁଟକିଆ ଭୁଞ୍ଜିଆ ଜନଜାତିରେ ଯଥାକ୍ରମେ ୭୩.୧% ଓ ୯୨%, କୁଟିଆ କନ୍ଧ ସମ୍ପ୍ରଦାୟରେ ୭୩.୭% ଓ ୮୬.୬%। ମୋଟାମୋଟି ଭାବେ ବିରଳ ଜନଜାତିଙ୍କ କ୍ଷେତ୍ରରେ ରକ୍ତହୀନତା ହାର ଯେ ସାଂଘାତିକ- ସେଥିରେ ଦ୍ବିମତ ନାହିଁ। ସେହିପରି ସେସବୁ ସମ୍ପ୍ରଦାୟରେ ଶିଶୁ ମୃତ୍ୟୁହାର, କମ୍ ଓଜନ ତଥା ଖର୍ବକାୟ ଶିଶୁଙ୍କ ହାର ଅତ୍ୟନ୍ତ ଚିନ୍ତାଜନକ। ସରକାର ଏହି ନିରାଟ ବାସ୍ତବତାକୁ ସ୍ବୀକାର ନକରି ବିଧାନସଭାକୁ ବିଭ୍ରାନ୍ତ କରିବା ଦ୍ବାରା ଉପେକ୍ଷିତ ବିରଳ ଜନଜାତିଙ୍କ କେଉଁ କଲ୍ୟାଣ ସାଧିତ ହେଲା? ଜନଜାତି ବର୍ଗଙ୍କୁ ପ୍ରତିନିଧିତ୍ବ କରୁଥିବା ମନ୍ତ୍ରୀ ଅନ୍ତତଃ ସମ୍ବେଦନଶୀଳ ହୋଇ ଏ ଦିଗରେ ଅଧିକ ତର୍ଜମା କରିବା ଆବଶ୍ୟକ ବୋଲି ତଥ୍ୟାଭିଜ୍ଞ ମହଲ ମତ ରଖୁଛନ୍ତି।

ସମ୍ବନ୍ଧିତ ଖବର