ପୁରୀ : କେନ୍ଦ୍ରର ଜନହିତକର ଯୋଜନାର କାର୍ଯ୍ୟାନ୍ବୟନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ। ସର୍କିଟ ହାଉସରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା ବେଳେ ବିଭିନ୍ନ ଯୋଜନାର ରୂପରେଖ ନେଇ ସେ ନିରାଶ ହୋଇଥିବା ଦର୍ଶାଇବା ସହ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି।

Advertisment

ଶ୍ରୀମତୀ ଜରଦୋଶ କହିଛନ୍ତି, କେନ୍ଦ୍ର ଆରୋଗ୍ୟ ମନ୍ତ୍ରାଳୟ ଜରିଆରେ ୬ଶହ ଶଯ୍ୟା ବିଶିଷ୍ଟ ଶ୍ରୀଜଗନ୍ନାଥ ମେଡିକାଲ ନିର୍ମାଣ କରାଯାଉଛି। ଅଥଚ ଏହାର କାମ ଧିମା ଗତିରେ ଚାଲିଛି। ଏତେ ବଡ଼ ମେଡିକାଲ କଲେଜ ନିର୍ମାଣ ହୋଇଛି, କିନ୍ତୁ ଆକର୍ଷଣ ନାହିଁ। ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ଭ୍ରମଣ କରି ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ବେଳେ ଅନେକ ଅଭିଯୋଗ ହସ୍ତଗତ କରିଛନ୍ତି। ବର୍ଜ୍ୟବସ୍ତୁ ଯୋଗୁ କଲେଜର ପରିବେଶ ଉପରେ ପ୍ରଭାବ ପଡ଼ୁଛି। ସେଠାରୁ ସହର ମଧ୍ୟକୁ ଆସିବା ପାଇଁ ବସ୍‌ ଚଳପ୍ରଚଳ କରୁନଥିବାରୁ ଛାତ୍ରଛାତ୍ରୀମାନେ ସହର ମଧ୍ୟକୁ ଆସିପାରୁନାହାନ୍ତି। ‌ମେଡିକାଲ କଲେଜ ପରିସରରେ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଓ ସହର ମଧ୍ୟକୁ ମେଡିକାଲ ଛାତ୍ରଛାତ୍ରୀମାନେ ଆସିବା ପାଇଁ ବସ୍‌ର ବନ୍ଦୋବସ୍ତ କରାଯିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି।

ଉଜ୍ଜ୍ବଳା ଯୋଜନାରେ ପୁରୀର ୫୦% ହିତାଧିକାରୀ ବଞ୍ଚିତ
ବିଭିନ୍ନ ଯୋଜନା ବାବଦ‌ରେ ତଥ୍ୟ ରଖିଲେ ଜିଲ୍ଲା ପ୍ରଶାସନ

ଏହାବ୍ୟତୀତ ଅନ୍ୟ କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ‌ଘେରିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ। ସେ କହିଛନ୍ତି, ଆୟୁଷ୍ମାନ ଯୋଜନାରୁ ଅଧିକାଂଶ ପୁରୀବାସୀ ବଞ୍ଚିତ ରହିଛନ୍ତି। ହସ୍ତତନ୍ତ ଓ ହସ୍ତକଳାରେ କେତେ କାରିଗର ପଞ୍ଜୀକୃତ ହୋଇଛନ୍ତି ସେ ତଥ୍ୟ ସେ ପାଇପାରିନାହାନ୍ତି। ଉଜ୍ଜ୍ବଳା ଯୋଜନାରେ ପୁରୀର ୩ଲକ୍ଷ ୮୦ ହଜାର ହିତାଧିକାରୀ ଉପକୃତ ହେବାନେଇ ଲକ୍ଷ୍ୟଧାର୍ଯ୍ୟ ହୋଇଛି। କିନ୍ତୁ, ଏପର୍ଯ୍ୟନ୍ତ ୧ଲକ୍ଷ ୮୪ ହଜାର ଜଣ ହିତାଧିକାରୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି।

ଅନ୍ୟପକ୍ଷରେ, ଜିଲ୍ଲା ପ୍ରଶାସନର ଅଧିକାରୀମାନେ କାର୍ଯ୍ୟପନ୍ଥା ବାବଦରେ ସୂଚନା ଦେଇଥିଲେ। ବିଭିନ୍ନ ଆବାସ ଯୋଜନାରେ ୪୫୬୬୨ଟି ଧାର୍ଯ୍ୟଲକ୍ଷ୍ୟ ମଧ୍ୟରୁ ୪୧୩୭୮ଜଣ ଉପକୃତ ହୋଇଥିବା କୁହାଯାଇଛି। ଜିଲ୍ଲାରେ ମୋଟ୍‌ ୨୫୯୯ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ବେଳେ ୨୫୩୬ ଜଣ ଅଙ୍ଗନବାଡ଼ି କର୍ମୀ ଓ ୨୫୨୧ ଜଣ ସହାୟକ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସାମାଜିକ ସୁରକ୍ଷା ଯୋଜନାରେ ୮୧୪୭୯ ଜଣ ହିତାଧିକାରୀ ଉପକୃତ ହୋଇଥିବା ବେଳେ ମୃତ୍ୟୁ ଓ ଅନ୍ୟାନ୍ୟ କାରଣରୁ ୧୧୩୫ ଜଣ ବଞ୍ଚିତ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଶତକଡା ୯୭ ଭାଗ ଆଧାର ସଂଯୋଗ ଓ ଶତକଡା ୯୮ ଭାଗ ବ୍ୟାଙ୍କ ଆକାଉଣ୍ଟ୍‌ ସଂଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଖରିଫରେ ୯୨୬୦୪ ଚାଷୀ ଓ ରବି ଫସଲରେ ୫୦୫୧ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ମନରେଗାରେ ୧ଲକ୍ଷ୮୯ ହଜାର ପଞ୍ଜୀକୃତ ହୋଇଛନ୍ତି।

ଏହି ସମୀକ୍ଷା ବୈଠକରେ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ସମ୍ବିତ ପାତ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ ଓ ଅନ୍ୟ ବିଭାଗୀୟ ଜିଲ୍ଲା ଅଧିକାରୀ ଉପସ୍ଥିତ ଥିଲେ।