କୃଷି ବିଭାଗରେ ସାମାଜିକ ଗଣମାଧ୍ୟମର ବ୍ୟବହାରର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ବର: କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଦ୍ରୁତ ପ୍ରଗତି ଦିଗରେ ସାମାଜିକ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ସୋସିଆଲ ମିଡିଆର ବହୁଳ ଉପଯୋଗ କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଇଛି। କୋଭିଡ୍‌-୧୯ ସ୍ଥିତିରେ ଚାଷୀଙ୍କ ନିକଟରେ ପହଞ୍ଚିବା ଦିଗରେ ସାମାଜିକ ଗଣମାଧ୍ୟମ ବିଶେଷ ଫଳପ୍ରଦ ସାବ୍ୟସ୍ତ ହୋଇପାରିଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମ ବ୍ୟବହାର ଦିଗରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ତାହାର ଅଗ୍ରଗତି ସମ୍ପର୍କରେ ଶ୍ରୀ ସାହୁ ସମୀକ୍ଷା କରିଥିଲେ। ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ହୋଇଥିବା ଏହି ବୈଠକରେ କୃଷି ସହିତ ଆନୁଷଙ୍ଗିକ କୃଷିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ଏବଂ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସୋସିଆଲ ମିଡିଆର ବହୁଳ ଉପଯୋଗ ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏଥି ପାଇଁ ଚାଷୀମାନଙ୍କ ହ୍ବାଟ୍‌ସ୍‌ଆପ୍ ଗ୍ରୁପ୍ ଗଠନ ପାଇଁ ସେ କହିଥିଲେ।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତି ପଞ୍ଚାୟତରେ ଚାଷୀମାନଙ୍କ ହ୍ବାଟ୍‌ସ୍‌ଆପ୍ ଗ୍ରୁପ୍ ଗଠନ କରି ଚାଷୀଙ୍କୁ ସିଧାସଳଖ ବିଭିନ୍ନ କୃଷି ସମ୍ବନ୍ଧୀୟ ବାର୍ତ୍ତା ଯୋଗାଇ ଦେବା ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ବିହିତ ପଦକ୍ଷେପ ନେବା ପରିପ୍ରେକ୍ଷୀରେ ଆଜି ପର୍ଯ୍ୟନ୍ତ ହ୍ବାଟ୍‌ସ୍‌ଆପ୍ ଗ୍ରୁପ୍‌ରେ ୯ ଲକ୍ଷ ୨୦ ହଜାରରୁ ଅଧିକ ଚାଷୀଙ୍କୁ ସାମିଲ କରାଯାଇଛି। କୃଷି ବିଭାଗର ଟ୍ବିଟର୍‌ରେ ୨୭,୨୦୦ ଜଣ ବ୍ୟବହାର କରିଥିବା ବେଳେ ଏମ୍‌-କିଷାନ ପୋର୍ଟାଲ ଜରିଆରେ ପ୍ରାୟ ୧୭ ଲକ୍ଷରୁ ଅଧିକ ବାର୍ତ୍ତା ଚାଷୀଙ୍କ ନିକଟକୁ ପଠାଯାଇଛି। ଏଥି ସହିତ ପଞ୍ଚାୟତ ସ୍ତରରେ ଅତି କମ୍‌ରେ ୨୦୦ ଜଣ କୃଷକଙ୍କୁ ହ୍ବାଟ୍‌ସ୍‌ଆପ୍‌ ଗ୍ରୁପ୍‌ରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି ଗ୍ରୁପ୍ ମାଧ୍ୟମରେ ଚାଷୀଙ୍କ କୃଷି କାର୍ଯ୍ୟ ସମ୍ବନ୍ଧୀୟ ବାର୍ତ୍ତା ପ୍ରେରଣ, ବିଭିନ୍ନ ଅର୍ଥକାରୀ ଓ ଉଦ୍ୟାନ କୃଷି ଭିତ୍ତିକ ଫସଲ ଉତ୍ପାଦନ ପଦ୍ଧତ୍ତିର ଶିକ୍ଷଣୀୟ ଚଳଚ୍ଚିତ୍ର, ଭିଡିଓ ମାଧ୍ୟମରେ କୃଷକଙ୍କୁ ନୂଆ ଜ୍ଞାନକୌଶଳ, ପାଣିପାଗ ସମ୍ବନ୍ଧୀୟ ଆଗୁଆ ସୂଚନା ଓ ସମ୍ଭାବ୍ୟ ଆପଦକାଳୀନ ପରିସ୍ଥିତିର ସତର୍କ ସୂଚନା ପ୍ରଦାନ, ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନା, ସନ୍ତୁଳିତ ରସାୟନିକ ସାର ପ୍ରୟୋଗ ଆଦି ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ଚାଷୀଙ୍କୁ ସିଧାସଳଖ ପ୍ରଦାନ କରାଯାଇପାରୁଛି। ଅଧିକରୁ ଅଧିକ ଚାଷୀଙ୍କୁ ସାମାଜିକ ଗଣମାଧ୍ୟମ ସହିତ ଜଡ଼ିତ କରାଇବା ଦିଗରେ ବିଭାଗୀୟ କ୍ଷେତ୍ର ଅଧିକାରୀମାନେ ସ‌େଚତନତା ସୃଷ୍ଟି କରିବା ପାଇଁ ମନ୍ତ୍ରୀ କହିଥିଲେ।
ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ ଓ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର