କୋଟିଆରେ ବିକାଶର ରଙ୍ଗିନ ଚିତ୍ର ଦେଖାଇଲେ ମନ୍ତ୍ରୀ

ଭୁବ‌ନେଶ୍ବର : କୋଟିଆବାସୀଙ୍କୁ ଅବହେଳା କରାଯାଉଥିବା ନେଇ ବିଧାନସଭାରେ ବାରମ୍ବାର ଉଦ୍‌ବେଗ ପ୍ରକାଶ ପାଇବା ପରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୋମବାର ଦିନ ଗୃହରେ ବିବୃତି ରଖିଛନ୍ତି। ଏଥିରେ କୋଟିଆର ବିକାଶର ରଙ୍ଗୀନ ଚିତ୍ର ଦିଆଯାଇଛି। ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ କୋଟିଆ ଗ୍ରାମପଞ୍ଚାୟତର ସମୂହ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦କୋଟିରୁ ଅଧିକ ଟଙ୍କାର ସ୍ବତନ୍ତ୍ର ଅନୁଦାନ ଘୋଷଣା କରିଥିଲେ। ଯେଉଁଥିରେ କୋଟିଆରେ ରାସ୍ତା ନିର୍ମାଣ, ବିଦ୍ୟୁତୀକରଣ ଓ ଜୀବିକା କାମ ଚାଲିଛି। ଥାନା, ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କୋଟିଆ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲାସ୍ତରୀୟ ଅଧିକାରୀମାନେ କୋଟିଆରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଓ ଜନହିତକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ନିମନ୍ତେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରୁଛନ୍ତି।

୨୦୨୨-୨୩ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୋଟିଆରେ ୫୯ଜଣ ଛାତ୍ର ନାମ ଲେଖାଇଛନ୍ତି। ସେମାନଙ୍କ ଗମନାଗମନର ସୁବ୍ୟବସ୍ଥା ପାଇଁ ମାଗଣା ବସ୍‌ ସେବା ଆରମ୍ଭ କରାଯାଇଛି। କୋଟିଆର ବିକାଶକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ନୂତନ ପ୍ରକଳ୍ପର ଚୟନ ଓ କାର୍ଯ୍ୟକାରୀ ସକାଶେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସମୀକ୍ଷା ବୈଠକ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗତ ୧୬ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ସେଥିରେ ୧୩ଟି ପ୍ରକଳ୍ପ ତୁରନ୍ତ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ‌ଦିଆଯାଇଛି। ସେଗୁଡ଼ିକ ହେଲା ୧୮କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ଡୋଲିଆମ୍ବ ଠାରୁ ନାରିଙ୍ଗିପଦର ଓ କୋଟିଆ ଠାରୁ ଦେଓମାଳି ଭାୟା କାଟ୍ରାଗୁଡ଼ା ରାସ୍ତା ନିର୍ମାଣ, ୭.୭୬କୋଟି ବ୍ୟୟରେ ମାଡକାରର୍ ଠାରୁ ଫାଟୁସିନେରି, ପଟ୍ଟାଙ୍ଗୀ ଠାରୁ ନେରେଡିବାଲସା, କୋଟିଆରୁ ତାଡ଼ିବାଲସା ଓ କୁରୁଡ଼ିପଦର ଠାରୁ ଗାଲିଗାବଦରରାସ୍ତାର ଉନ୍ନତୀକରଣ, ୩କୋଟି ବ୍ୟୟରେ ଷ୍ଟ୍ରବେରି ଚାଷର ସମ୍ପ୍ରସାରଣ, ୧.୯୮କୋଟି ବ୍ୟୟରେ କୋଟିଆ ଝାଡ଼ୁ ବ୍ୟବସାୟୀକରଣ/କୁକୁଡ଼ା, ଛେଳି ଇତ୍ୟାଦି ପାଳନ, ୧କୋଟି ବ୍ୟୟରେ ବିଦ୍ୟୁତ ସେବା ଉନ୍ନତୀକରଣ, ୮.୯୭କୋଟି ବ୍ୟୟରେ ୬୯୦ଟି ବିଜୁ ପକ୍କା ଘର, ୨୨ଲକ୍ଷ ବ୍ୟୟରେ ପାନୀୟ ଜଳ, ୧.୪୬କୋଟି ବ୍ୟୟରେ ଜଳସେଚନ, ୩କୋଟି ବ୍ୟୟରେ କୋଟିଆରେ ହେଲିପ୍ୟାଡ୍ ନିର୍ମାଣ, ୧.୩୦କୋଟି ବ୍ୟୟରେ ଆଦିବାସୀ ଉନ୍ନୟନ ବିଭାଗ ଉଚ୍ଚବିଦ୍ୟାଳୟ, କୋଟିଆରେ ଡାଇନିଙ୍ଗ୍ ହଲ୍‌ ଓ ଷ୍ଟାଫ୍ କ୍ବାର୍ଟର୍ସ ନିର୍ମା‌ଣ, ୧.୪୬କୋଟି ବ୍ୟୟରେ ଚେକ୍‌ ଡ୍ୟାମ୍, ଫିଲ୍‌ଡ ଚ୍ୟାନେଲ (୧୦ଗୋଟି), ୧କୋଟି ବ୍ୟୟରେ ପର୍ଯ୍ୟଟନର ବିକାଶ କରାଯିବ। ଏହିପରି ମୋଟ୍ ୫୦କୋଟି ୧୫ଲକ୍ଷ ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର