ପଣିକିଆ କହି ପାରିଲେନି ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ

ବାଲେଶ୍ୱର : ତିନିକ ପଣିକିଆ ବି କହି ପାରିଲେନି ଛାତ୍ରଛାତ୍ରୀ। ଶନିବାର ଦିନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବାଲେଶ୍ବର ସହରର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ବେଳେ ଏମିତି ଏକ ଘଟଣା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା। ସକାଳେ ମନ୍ତ୍ରୀ ଶ୍ରୀ ଦାଶ ମହାବୀର ନୋଡାଲ୍‌ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଆସି ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ତିନିକ ପଣିକିଆ ପଚାରିଥିଲେ। ହେଲେ କେହି ଜଣେ ବି ପଣିକିଆ କହିପାରିନଥିଲେ। ଏହାକୁ ନେଇ ମନ୍ତ୍ରୀ ଶ୍ରୀ ଦାଶ ପ୍ରବଳ ଅସନ୍ତୋଷ ପ୍ରକାଶ କରିବା ସହିତ ପ୍ରଧାନଶିକ୍ଷୟିତ୍ରୀ ବନଲତା ଦାସଙ୍କୁ କ’ଣ ପାଠପଢ଼ା ଚାଲିଛି ପଚାରିଥିଲେ। ହେଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରୁ ଏ ବାବଦରେ କିଛି ସନ୍ତୋଷଜନକ ଉତ୍ତର ମିଳିପାରିନଥିଲା। ପରେ ମନ୍ତ୍ରୀ ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ, ଛାତ୍ରଛାତ୍ରୀମାନେ ୧୫ ଦିନ ଭିତରେ ସର୍ବନିମ୍ନ ପନ୍ଦରକ ଯାଏ ପଣିକିଆ ଶିଖିବାକୁ ସ୍କୁଲର ସବୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତାଗିଦ୍ କରିଥିଲେ ମନ୍ତ୍ରୀ। ‌ଯେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପନ୍ଦରକ ଯାଏ ପଣିକିଆ ଶିଖିନାହାନ୍ତି, ସେତେ ଦିନ ଯାଏ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବବା ଜଣାପଡ଼ିଛି।

ପରେ ମନ୍ତ୍ରୀ ଶ୍ରୀ ଦାଶ ସହରରେ ଥିବା ବାରବାଟୀ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ, ଟାଉନ୍‌ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଜିମାବାଦ ୟୁଜିଏମ୍‌ଇ ସ୍କୁଲ ଓ ହଜିନାସିରୁଦ୍ଦିନ ସରକାରୀ ବିଦ୍ୟାଳୟ ପରିଦର୍ଶନ କରି ପାଠପଢ଼ା, ମଧ୍ୟାହ୍ନ ଭୋଜନ ସଂପର୍କରେ ପିଲାମାନଙ୍କଠୁ ବୁଝିବା ସହ ସ୍କୁଲ ପରିଚାଳନା କାର୍ଯ୍ୟର ତଦାରଖ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଦିବ୍ୟାଙ୍ଗ ସ୍କୁଲ ପିଲାଙ୍କୁ ଭେଟି ଚକୋଲେଟ୍‌ ପ୍ରଦାନ କରିବା ସହ ସେମାନଙ୍କ ସମସ୍ୟା ବାବଦରେ ବୁଝିଥିଲେ। ସକାଳେ ପୁଲିସ ହାଇସ୍କୁଲ ସମ୍ମୁଖରେ ଲୋକଙ୍କ ସହ କିଛି ସମୟ ବ୍ୟାୟାମ ଅଭ୍ୟାସ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସହିତ ବାଲେଶ୍ବର ବିଧାୟକ ସ୍ୱରୂପ କୁମାର ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ବିଷ୍ଣୁଚରଣ ସୂତାର, ବିଧାୟକଙ୍କ ପ୍ରତିନିଧି ମନୋଜ କୁମାର ରାଉତ, ବ୍ଲକ ସଭାପତି ବସନ୍ତ ପଣ୍ଡା, ୱାର୍ଡ କାଉନ୍‌ସିଲର ବିଶ୍ୱଜିତ ମହାପାତ୍ର, କାର୍ତ୍ତିକ ସାହୁ, ସେଖ ଆୟୁବ, ମୀନା ମହାନ୍ତି, ସନ୍ଧ୍ୟାରାଣୀ ଜେନା, ସେଖ ସକୀର ଖାନ, ପଙ୍କଜ ଅଗ୍ରୱାଲ, ପ୍ରଣବ ପଣ୍ଡା,ନିତ୍ୟାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର