ଦେବଗଡ଼ : ଦେବଗଡ଼ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ମହିଳା ଓ ଶିଶୁ ବିକାଶ ଓ ମିସନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଅଟୋରେ ବୁଲିଛନ୍ତି। ତିଲେଇବଣି ବ୍ଲକ୍ର ଗଜରିବଣି ଗ୍ରାମର ରାଜକିଶୋରୀ ଟେଟେ ଅଟୋ ଚଳାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ରାଜକିଶୋରୀଙ୍କ ସହିତ ଆଲୋଚନା କରିବା ସହିତ ତାଙ୍କ ଅଟୋରେ ବସି ଗଜରିବଣି ଗ୍ରାମ ବୁଲିଥିଲେ। ତାଙ୍କ ସହିତ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମଧ୍ୟ ଏହି ଅଟୋରେ ବସିଥିଲେ।
ମହଙ୍ଗା ଯୁଗରେ ପରିବାରର ୫ଜଣ କୁଟୁମ୍ବ ଚଳିବା କଷ୍ଟକର। ସେଥିପାଇଁ ସ୍ବାମୀକୁ ସହଯୋଗ କରିବା ଓ ନିଜର ପିଲାଙ୍କ ଭରଣପୋଷଣ କରିବା ପାଇଁ ଶେଷରେ ଅଟୋ ଚଳାଇ ସହଯୋଗ କରୁଛନ୍ତି ରାଜକିଶୋରୀ। ୨୦୧୯ ମସିହାରେ ନିଜସ୍ବ ଉଦ୍ୟମରେ ଅଟୋ କିଣି ରାଜିକଶୋରୀ ପ୍ରତ୍ୟହ ଗଜରିବଣି ଗ୍ରାମରୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ଦେବଗଡ଼ ସଦରରେ କୌଣସି କାର୍ଯ୍ୟରେ ଆସୁଥିବା ଲୋକମାନଙ୍କୁ ନିଜର ଅଟୋରେ ଆଣିଥାନ୍ତି। ତାଙ୍କର ଉତ୍ତମ ବ୍ୟବହାର ପାଇଁ ବହୁ ଲୋକ ତାଙ୍କ ଅଟୋରେ ଯିବା ପାଇଁ ପସନ୍ଦ କରୁଛନ୍ତି। ବିଶେଷ କରି ମହିଳା ଯାତ୍ରୀମାନେ ତାଙ୍କର ଅଟୋରେ ଯିବା ପାଇଁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି।
ରାଜିକଶୋରୀ ଜିଲ୍ଲାର ପ୍ରଥମ ମହିଳା ଅଟୋ ଚାଳକ। ସବୁ କିଛି ଠିକ ଚାଲିଥିଲା କିନ୍ତୁ କରୋନା ପାଇଁ ସବୁ ଫିକା ପଡ଼ିଗଲା। କରୋନା ସମୟରେ ତାଙ୍କର ସ୍ବାମୀଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଋଣ କରି ଆଣିଥିବା ଅଟୋର କିସ୍ତି ସୁଝିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ଏହି କାରଣରୁ ସେ କିସ୍ତି ଟଙ୍କା ସୁଝିପାରି ନଥିଲେ। ସେହି ସମୟରେ ଓଏଲ୍ଏମ୍ ପକ୍ଷରୁ ଋଣ ସୁଝିପାଇବା ପାଇଁ ସହଯୋଗ କରାଯାଇଥିଲା। ପରେ ସେ ଆଣିଥିବା ସମସ୍ତ ଋଣ ଓଏଲ୍ଏମ ସହଯୋଗରେ ସୁଝିପାରିଥିଲେ। ଯାହା ଫଳରେ ଆଜି ପୁଣି ଥରେ ସ୍ବାବଲମ୍ବୀ ହୋଇପାରିଥିବା ରାଜିକଶୋରୀ ପ୍ରକାଶ କରିଛନ୍ତି।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଡିଏସ୍ଡବ୍ଲୁଓ ନରହରି ସିଂ, ଓଏଲଏମ ଡିପିଏମ ସ୍ମରଣିକା ମହାପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାପରେ ସୁଗୁଡା ଗ୍ରାମର ମା’ ରାଜାରାଣୀ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା କରାଯାଇଥିବା ଛତୁ ଚାଷ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ପରିଦର୍ଶନ କରିବା ସହିତ ମହିଳମାନଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସଖୀ କେନ୍ଦ୍ର ଓ ପୌରାଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/at.jpg)