ଛୁଟିଦିନରେ ବି କାମକଲେ ମନ୍ତ୍ରୀ: ଅଧିକାରୀଙ୍କ ସହ ଆଲୋଚନା କଲେ ରାଜସ୍ବ, ପରିବହନ ମନ୍ତ୍ରୀ

ଭୁବନେଶ୍ବର: ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ନେବାର ୪ଦିନ ପରେ ବିଭାଗ ମିଳିଲା। ହେଲେ ବିଭାଗ ମିଳୁ ମିଳୁ ବିଜେପି ସରକାରର ମନ୍ତ୍ରୀମାନେ ପୂରା ଆକ୍ସନ ମୁଡ୍‌ରେ। ଆଜି ରବିବାର ଛୁଟି ସତ୍ତ୍ବେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବିଭାଗୀୟ ଅଧିକାରୀଙ୍କୁ ଡାକି ଆଲୋଚନା କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିଭାଗୀୟ ଅଧିକାରୀଙ୍କୁ ଡାକି ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଆକ୍ସନ ପ୍ଲାନ୍ ନେଇ ଆଲୋଚନା କରିଛନ୍ତି। ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ଆଗକୁ ବନ୍ୟା, ବାତ୍ୟା ଭଳି ପରିସ୍ଥିତି ଉପୁଜିପାରେ। ଏଭଳି ସ୍ଥିତିର କିପରି ମୁକାବିଲା କରାଯିବ ସେନେଇ ଶ୍ରୀ ପୂଜାରୀ ଆଲୋଚନା କରିଛନ୍ତି।

ସେହିପରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ପରିବହନ କମିସନର ଅମିତାଭ ଠାକୁର ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ଆଜି ଯଥାକ୍ରମେ ବିଭାଗର ପ୍ରମୁଖର ସଚିବ ସୁଶୀଲ ଲୋହାନି ଏବଂ ସଂଜୟ କୁମାର ସିଂହ ଭେଟି ଶୁଭେଚ୍ଛା ଜଣାଇଥିଲେ। ଖୁବ୍‌ ଶୀଘ୍ର ଏହି ଦୁଇ ବିଭାଗର ସମସ୍ତ ଅଧିକାରୀଙ୍କୁ ନେଇ ସମୀକ୍ଷା ‌ବୈଠକ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର