ଭୁବନେଶ୍ବର : ନବଗଠିତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସୋମବାର ପ୍ରଥମ ଦିନରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ମନ୍ତ୍ରିମଣ୍ଡଳ ପରିବର୍ତ୍ତନରେ ଯେଉଁ ୯ଜଣ ମନ୍ତ୍ରୀଙ୍କର ପଦବି ଯାଇନଥିଲା ସୋମବାର ଦିନ ଲୋକସେବା ଭବନ ଆସି ମନ୍ତ୍ରୀ କରିଡରସ୍ଥିତ କାର୍ଯ୍ୟାଳୟରେ କାମ ଆରମ୍ଭ କରିଛନ୍ତି। ଆଉ ଯେଉଁ ୧୨ଜଣ ମନ୍ତ୍ରୀ ନୂଆକରି ମନ୍ତ୍ରୀମଣ୍ଡଳରେ ସାମିଲ୍ ହୋଇଛନ୍ତି ସେମାନଙ୍କୁ ମନ୍ତ୍ରୀ କରିଡରରେ କାର୍ଯ୍ୟାଳୟ ମିଳିନଥିବାରୁ ଘରୁ କାମ ଆରମ୍ଭ କରିଛନ୍ତି। ନୂଆ ହୁଅନ୍ତୁ କି ପୁରୁଣା ସମସ୍ତେ କିନ୍ତୁ ଆଜିଠୁ ନୂଆ ଇନିଂସ୍ ଆରମ୍ଭ କରିଛନ୍ତି।
ମନ୍ତ୍ରିମଣ୍ଡଳ ଅଦଳବଦଳରେ ପଦବି ଯାଇନଥିବା ମନ୍ତ୍ରୀମାନେ ଆଜି ଚିରାଚରିତ ଢଙ୍ଗରେ ଅଫିସ୍ ଆସିଥିଲେ। ମନ୍ତ୍ରୀଙ୍କ ପଦ ବଜାୟ ରହିଥିବାରୁ କିଛି ବିଭାଗର ସଚିବ, ବରିଷ୍ଠ ଅଧିକାରୀ, କର୍ମଚାରୀମାନେ ମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଆସି ଶୁଭେଚ୍ଛା ଜଣାଇଥିଲେ। ମିଳିମିଶି କାମ କରିବାକୁ ମନ୍ତ୍ରୀମାନେ ବି ପରାମର୍ଶ ଦେଇଥିଲେ। ସେହିପରି ନୂଆକରି ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଥିବା ମନ୍ତ୍ରୀମାନଙ୍କ ସରକାରୀ କ୍ବାର୍ଟର୍ସରେ ଆଜି ଭିଡ଼ ଦେଖିବାକୁ ମିଳିଥିଲା। ବିଭାଗୀୟ ଅଧିକାରୀ, କର୍ମଚାରୀ, ବିଭିନ୍ନ ଘରୋଇ ସଂସ୍ଥା, ବିଧାୟକମାନେ ଆସି ଶୁଭେଚ୍ଛା ଜଣାଇଥିଲେ। କିଛି ମନ୍ତ୍ରୀ କ୍ବାର୍ଟର୍ସରେ ଫାଇଲ୍ କାମ ଆରମ୍ଭ କରିଥିବାବେଳେ କିଛି ମନ୍ତ୍ରୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ହିସାବରେ ଯୋଗଦେଇଥିଲେ। ଅପରପକ୍ଷେ ପୁରୁଣା ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବଙ୍କୁ ବଦଳା ଯାଇନଥିବାବେଳେ ନୂଆ ମନ୍ତ୍ରୀଙ୍କ ପାଇଁ ଖୁବ୍ ଶୀଘ୍ର ବ୍ୟକ୍ତିଗତ ସଚିବ ଓ ଅନ୍ୟ କର୍ମଚାରୀ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି।
ଶିଳ୍ପ ଓ ଏମ୍ଏସ୍ଏମ୍ଇ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗ ପରିଦର୍ଶନ କରିଥିଲେ। ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ପରେ ବିଭାଗର ସମ୍ମିଳନୀ କକ୍ଷରେ ବିଭାଗର ଅଧିକାରୀମାନଙ୍କ ସହ ପରିଚିତ ହୋଇଥିଲେ। ମନ୍ତ୍ରୀ ତାଙ୍କ ପ୍ରଥମ ବୈଠକରେ ଶିଳ୍ପ ବିଭାଗର ଅଧିକାରୀମାନଙ୍କୁ କହିଥିଲେ ଯେ, ଯଥାସମ୍ଭବ ଅନ୍ୟ ବିଭାଗଗୁଡ଼ିକ ଉପରେ ନିର୍ଭରଶୀଳତା କମାଅ। ପ୍ରମୁଖ ସଚିବ ଶ୍ରୀ ଶର୍ମା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ସେହିପରି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଆଜି ବିଭାଗ ପକ୍ଷରୁ ଆୟୋଜିତ ବିନୋଦ କାନୁନ୍ଗୋଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/lokseva-bhawan22.jpg)