ପୁରୀ : କର୍କଟ ରୋଗରେ ୮ ବର୍ଷ ତଳେ ସ୍ବାମୀଙ୍କୁ ହରାଇଥିଲେ। ତଥାପି ହାର ମାନିନଥିଲେ। ପିଲାଙ୍କୁ ମଣିଷ କରିବା ପାଇଁ ଘର ବାହାରକୁ ଗୋଡ଼ କାଢ଼ିଥିଲେ। ଯାହା ଯେମିତି ‌କାମ କରି ପିଲାଙ୍କୁ ପୋଷୁଥିଲେ। କିନ୍ତୁ ଋଣ ଭାର ଅସହ୍ୟ ହେବାରୁ ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇ ଆରପାରିକୁ ଚାଲିଗଲେ ଡେଲାଙ୍ଗ ଖେଲାଉର ଅନ୍ତର୍ଗତ ବ୍ରାହ୍ମଣ ତରାବୋଇ ଗ୍ରାମର ରଜନୀ ବସ୍ତିଆ। ଏଣେ ବାପାଙ୍କ ପରେ ମା’ଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି ଦୁଇ ଭାଇ । ଏପରିକି ଦଶାହ କର୍ମ ଓ ଶୁଦ୍ଧିକ୍ରିୟା ପାଇଁ ବି ପାଖରେ ଅର୍ଥ ନାହିଁ। ତେଣୁ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ସହଯୋଗ କରିବାକୁ ଜିଲ୍ଲାପ୍ରଶାସନକୁ ଅନୁରୋଧ କରିଛନ୍ତି ସ୍ବର୍ଗତ ରଜନୀ ବସ୍ତିଆଙ୍କ ନାବାଳକ ସାନପୁଅ ।

Advertisment

ଅଭାବ ମଧ୍ୟରେ ବି ରଜନୀ ନିଜ ପୁଅମାନଙ୍କ ଅଳି ପୂରଣ କରିବାକୁ ଚେଷ୍ଟା କରିଥଲେ। ପୁଅ ପାଇଁ ନିକଟରେ ଏକ ସ୍କୁଟି କିଣି ଦେଇଥିଲେ। ମାତ୍ର କିସ୍ତି ଦେଇପାରୁନଥିଲେ। ଚଳିବା କଷ୍ଟ ହେବାରୁ କିଛି ଲୋକଙ୍କଠାର ଟଙ୍କା ଉଧାର ଆଣିଥିଲେ। ଋଣ ଟଙ୍କା ଅସୁଲ ପାଇଁ ବାରମ୍ବାର ତାଙ୍କ ଉପରେ ଚାପ ପଡ଼ୁଥିଲା। ଶେଷରେ ସେ ନିଜ ଘରେ ଆତ୍ମହତ୍ୟା କରି ଦୁଇ ପିଲାଙ୍କୁ ଅନାଥ କରିଦେଲେ। ଏହି ଘଟଣା ପରେ ଖେଲାଉର ସରପଞ୍ଚ ସ୍ନେହଲତା ସାହୁ ରଜନୀଙ୍କ ସାନପୁଅକୁ ସାଙ୍ଗରେ ନେଇ ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ତୁରନ୍ତ ସହାୟତା ନେଇ ସମ୍ମତି ଦେବା ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀଙ୍କୁ ନାବାଳକଙ୍କ ପଢ଼ିବା ପାଇଁ ବ୍ୟବସ୍ଥା କରିବା ନେଇ ଆଲୋଚନା କରିଥିଲେ। ନାବାଳକଙ୍କ ଅନୁରୋଧ ପରେ ଶୁଦ୍ଧିକ୍ରିୟା ପାଇଁ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ସୂଚନା ଦେଇଛନ୍ତି।