ଦଶରଥପୁର/ଯାଜପୁରସଦର/ଟାଉନ: ଯାଜପୁର ଦଶରଥପୁର ବ୍ଲକ୍‌ ତଳିହା ପଞ୍ଚାୟତ ସିଦ୍ଧେଶ୍ବର ନିକଟ ଗାରଡ଼େଶ୍ବର ବୈତରଣୀ ଘାଟରେ ଗୁରୁବାର ଅଘଟଣ ଘଟିଛି। ନଦୀରେ ଭାସିଯାଇ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ ଦଶରଥପୁର ବ୍ଲକ୍‌ ବିରଜାପୁର ପଞ୍ଚାୟତ ବିରଜାପୁର ମିଶ୍ର ସାହିର ରଶ୍ମିରଂଜନ ମିଶ୍ରଙ୍କ ଝିଅ ପ୍ରୀତିପ୍ରଜ୍ଞା (୧୨)। ଏହି ଘଟଣାରେ ଜଣେ ନାବାଳକ ସାହସିକତା ଦେଖାଇଛନ୍ତି। ନଦୀକୁ ଲମ୍ଫ ମାରି ବୁଡ଼ି ଯାଉଥିବା ଦୁଇ ଭାଇଭଉଣୀଙ୍କୁ ଉଦ୍ଧାର କରିଛନ୍ତି।

Advertisment

ପ୍ରୀତିପ୍ରଜ୍ଞା ବିରଜାପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ପଢ଼ୁଥିଲେ। ତଳିହା ପଞ୍ଚାୟତ ଗାରଡ଼େଶ୍ୱର ଗ୍ରାମସ୍ଥିତ ମାମୁ ନଗେନ ମିଶ୍ରଙ୍କ ଘରକୁ ତିନିଦିନ ତଳେ ସେ ବୁଲିବାକୁ ଆସିଥିଲେ। ଗୁରୁବାର ସକାଳ ୯ଟାରେ ମାମୁଘର ଲୋକଙ୍କ ସହ ସେ ଗାରଡ଼େଶ୍ବର ଘାଟକୁ ଗାଧୋଇବାକୁ ଯାଇଥିଲେ। ସାଙ୍ଗରେ ସମ୍ପର୍କୀୟ ଭାଇ ରୁଦ୍ରନାରାୟଣ ମିଶ୍ର (୧୦) ଏବଂ ଭଉଣୀ ଅର୍ପିତା ମିଶ୍ର(୧୨) ଥିଲେ। ଅସାବଧାନତାରୁ ପ୍ରଥମେ ରୁଦ୍ର ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରୀତିପ୍ରଜ୍ଞା ଏବଂ ଅର୍ପିତା ଗଭୀର ପାଣିକୁ ଚାଲିଯାଇଥିଲେ। ଏହି ସମୟରେ ଘାଟ ନିକଟରେ ମାଛ ଧରୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ସତ୍ୟପ୍ରକାଶ ସେଠୀ ୩ ଜଣ ପାଣିରେ ବୁଡ଼ି ଯାଉଥିବା ଦେଖି ମାଛଧରା ଛାଡ଼ି ନଦୀକୁ ଡେଇଁ ରୁଦ୍ର ଓ ଅର୍ପିତାଙ୍କୁ ଉଦ୍ଧାର କରିଥିଲେ। ପ୍ରୀତିପ୍ରଜ୍ଞାଙ୍କୁ ଉଦ୍ଧାର କରିନପାରି ଲୋକଙ୍କୁ ଡାକ ପକାଇଥିଲେ। ଆଖପାଖ ଲୋକେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ପ୍ରୀତିପ୍ରଜ୍ଞାଙ୍କ ପତ୍ତା ମିଳିନଥିଲା।

ଖବର ପାଇ ଯାଜପୁର ଅଗ୍ନିଶମ ଅଧିକାରୀ ସୁଶାନ୍ତ ସେଠୀ ଓ ଦଶରଥପୁର ଅଗ୍ନିଶମ ଅଧିକାରୀ ପର୍ଶୁରାମ ଜେନାଙ୍କ ନେତୃତ୍ୱରେ ୧୫ଜଣିଆ ଟିମ୍‌ ଘାଟରେ ପହଞ୍ଚିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜାଖୋଜି ପରେ ମଧ୍ୟ ସୁଫଳ ମିଳିନଥିଲା। ଅପରାହ୍‌ଣରେ ସୁକିନ୍ଦାରୁ ଓଡ୍ରାଫ ଟିମ୍‌ ପହଞ୍ଚି ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜି ନିରାଶ ହୋଇଥିଲେ। ଅନ୍ଧାର ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି। ଯାଜପୁର ବିଧାୟିକା ସୁଜାତା ସାହୁ, ବରିଷ୍ଠ ସମାଜସେବୀ କର୍ଣ୍ଣାଟ କେଶରୀ ଦାସ, ବିରଜାପୁର ସରପଞ୍ଚ ନିରାକାର ସାହୁ, ଦଶରଥପୁର ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ନିରୀକ୍ଷଣ କରିଥିଲେ। ଆଖୁଆପଦା ବ୍ୟାରେଜ୍‌ରୁ ବୈତରଣୀ ନଦୀରେ ଅଧିକ ପାଣି ଛଡ଼ାଯାଇଥିବା ଜଣାପଡ଼ିବା ପରେ ବିଧାୟିକା ଜିଲ୍ଲାପାଳ ଏବଂ ଆଖୁଆପଦା ବ୍ୟାରେଜ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା କରି ପାଣି ନିଷ୍କାସନ କରିବାକୁ ଅନୁରୋଧ କରିଥିଲେ। ବିଧାୟିକା ନିଖୋଜ ଛାତ୍ରୀଙ୍କ ଘରେ ପହଞ୍ଚି ତାଙ୍କ ବାପା ରଶ୍ମିରଂଜନ ଏବଂ ମାଆ ରଶ୍ମିତାଙ୍କୁ ସାନ୍ତ୍ବନା ଦେଇଛନ୍ତି।