ଖୋର୍ଦ୍ଧା : ଚାଇନିଜ୍ ଟିକ୍ ଟକ୍ ନିଷିଦ୍ଧ ହୋଇଛି, କିନ୍ତୁ ଯୁବପିଢ଼ିଙ୍କ ମଧ୍ୟରେ କ୍ଷୁଦ୍ର ଭିଡିଓ ବା ରିଲ୍ କରି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହେବାର ନିଶା ଛାଡ଼ିନାହିଁ। ଗୁରୁବାର ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଥିବା ଏକ ତେଲ କଣ୍ଟେନର ଯୁକ୍ତ ମାଲବାହୀ ଟ୍ରେନ୍ ଉପରେ ଚଢ଼ି ରିଲ୍ ସୁଟିଂ କରୁଥିଲା ବେଳେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଗୁରୁବାର ଦିନ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ତାଙ୍କୁ ମୁମୂର୍ଷୁ ଅବସ୍ଥାରେ କଟକ ଏସ୍ସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ, ବେଗୁନିଆ ଡିଙ୍ଗର ରାଉତପଡ଼ାର ବିଜୁଳି ସାହୁ ମଳିପଡ଼ାରେ ରହି ଫେରି ବ୍ୟବସାୟ କରୁଥିଲେ। ତାଙ୍କ ଝିଅ ଶିଳ୍ପା ସାହୁ ଓରଫ୍ ସିପା(୧୭) ଜଣେ କଲେଜ ଛାତ୍ରୀ। ସବୁଦିନ ଭଳି ସିପା ଗୁରୁବାର ସକାଳୁ ନିଜର ଉଭଣୀ ଓ ସାଙ୍ଗସାଥୀଙ୍କ ଗହଣରେ ମର୍ଣ୍ଣିଂୱାକ୍ କରିବାକୁ ନରଣଗଡ଼ ଷ୍ଟେସନ ଆଡ଼େ ଯାଇଥିଲେ। ଏହି ସମୟରେ ଷ୍ଟେସନ୍ରେ ଠିଆ ହୋଇଥିବା ସଂପୃକ୍ତ ତେଲ କଂଟେନର ମାଲବାହୀ ଟ୍ରେନ୍ ବଗି ଉପରେ ଚଢ଼ି ଭିଡ଼ିଓ ସୁଟିଂ କଲାବେଳେ ଦୁର୍ଭାଗ୍ୟଜନକ ଭାବେ ତାଙ୍କ ଗୋଡ଼ ଖସିଯାଇଥିଲା। ଭୟରେ ସେ ଟ୍ରେନ୍ ଉପରେ ଯାଇଥିବା ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର୍କୁ ଧରି ପକାଇଥିଲେ। ଫଳରେ ଛିଟିକି ତଳେ ପଡ଼ିଯାଇଥିଲେ। ତାଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ିଯାଇଥିଲା।
ଗୁରୁତର ଅବସ୍ଥାରେ ସିପାଙ୍କୁ ପ୍ରଥମେ ତାଙ୍କ ବାପା ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନହେବାରୁ ପରବର୍ତ୍ତୀ ସମୟରେ ତାଙ୍କୁ କଟକସ୍ଥିତ ଏସ୍ସିବି ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ଖୋର୍ଦ୍ଧା ରୋଡ୍ ଜିଆର୍ପି ଥାନା ସହ ଯୋଗାଯୋଗ କରିବାରେ ସେମାନେ ଘଟଣା ଘଟିଥିବା ସ୍ବୀକାର କରିଥିଲେ। ହେଲେ ତାପଙ୍ଗ ଷ୍ଟେସନ ମାଷ୍ଟର୍ ଦୁର୍ଘଟଣାର ମେମୋ ଦେଇନଥିବାରୁ ମାମଲା ରୁଜୁ ହୋଇନଥିବା କହିଛନ୍ତି।