କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଟେନ୍ସା ଫାଣ୍ଡି ଅଧୀନସ୍ଥ ଡେଙ୍ଗୁଳା ପଞ୍ଚାୟତର ଏକ ପରିବହନ କାର୍ଯ୍ୟାଳୟରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ବନ୍ଧୁକମୁନରେ ୯ ଲକ୍ଷରୁ ଅଧିକ ଟଙ୍କା ଳୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଡ୍ରାଇଭର ବେଶରେ ଆସିବା ସହିତ ବନ୍ଧୁକ, ଟାଙ୍ଗିଆ ଆଦି ମାରଣାସ୍ତ୍ର ଦେଖାଇ ପରିବହନ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ। ଏହାପରେ ଅଳ୍ପସମୟ ମଧ୍ୟରେ ଲୁଟିନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଡେଙ୍ଗୁଳା ପଞ୍ଚାୟତର ଗୀତାରାଣୀ ଖଣି ଗେଟ୍ ନିକଟରେ ରହିଛି କ୍ରାକର୍ସ ଇଣ୍ଡିଆ ପ୍ରାଇଭେଟ୍ ଲି. ପରିବହନ କାର୍ଯ୍ୟାଳୟ। ଗତକାଲି(ବୁଧବାର) ରାତି ପ୍ରାୟ ୧୨ଟା ୪୫ ସମୟରେ ପ୍ରାୟ ୬ ଜଣ ଦୁର୍ବୃତ୍ତ ଡ୍ରାଇଭର ବେଶରେ ମୁହଁରେ ମାସ୍କ ଓ ଅନ୍ୟାନ୍ୟ କପଡ଼ା ପିନ୍ଧି ଚାଲିଚାଲି ଖଣି ଗେଟ୍ରେ ପ୍ରବେଶକରି ସିଧା ପରିବହନ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। କାର୍ଯ୍ୟାଳୟ କବାଟ ସବୁଆଡ଼ୁ ବନ୍ଦଥିବାରୁ ଲାତ ଓ ଟାଙ୍ଗିଆ ସାହାଯ୍ୟରେ କବାଟଭାଙ୍ଗି ୩ ଜଣ ଦୁର୍ବୃତ୍ତ ଭିତରକୁ ପଶିଥିଲେ ଏବଂ ଅନ୍ୟ ୩ ଜଣ ଅସ୍ତ୍ରଶସ୍ତ୍ର ଧରି ବାହାରେ ଜଗିଥିଲେ। ଏହାପରେ ଭିତରେ ରାତି ଡ୍ୟୁଟିରେ ଥିବା ୩ ଜଣ ପରିବହନ ସଂସ୍ଥା କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ କାବୁ କରିନେଇଥିଲେ। ସେମାନଙ୍କ ବେକରେ ବନ୍ଧୁକ ଲଗାଇ ଭୟଭୀତ କରିବା ସହ ଡ୍ର’ଗୁଡ଼ିକୁ ଟାଙ୍ଗିଆ ସାହାଯ୍ୟରେ ଭା଼ଙ୍ଗି ୯,୩୫,୨୫୦ ନଗଦ ଟଙ୍କା ଲୁଟିନେଇଥିଲେ। ଲୁଟ୍ ସମ୍ପର୍କରେ ଖବର ପାଇ ଟେନ୍ସା ଫାଣ୍ଡି ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାରପାର୍ଶିକ ସ୍ଥିତି ଓ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଆଜି ଅତିରିକ୍ତ ପୁଲିସ ଅଧୀକ୍ଷକ ଆର୍କେ ସୁନା, ବଣାଇ ଏସ୍ଡିପିଓ ସ୍ବରାଜ ଦେବତା ଓ କୋଇଡ଼ା ଥାନାଧିକାରୀ ମନୋରଞ୍ଜନ କୁମ୍ଭାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।