ମିଳିତ ବୈଠକ ପରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା: ଶ୍ରୀମନ୍ଦିର ମ୍ୟୁଜିୟମ ନହେଉ

ଯୋଗଦେଲେ ରାଜନେତା, ଗବେଷକ, ସଂଗଠକ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ଆଜି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ଉପସ୍ଥିତିରେ ପୁରୀ ଗୋବର୍ଦ୍ଧନ ମଠ ପରିସରରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜନେତା, ଗବେଷକ, ସଂଗଠକ, ଐତିହ୍ୟ ବିଶାରଦମାନଙ୍କୁ ନେଇ ଚାଲିଥିବା ଏହି ବୈଠକ ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ବେଳେ ଆଲୋଚନା ବେଳେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପକ୍ଷରେ କେତେକ ମତ ରଖିଥିବା ବେଳେ କିଛି ବିରୋଧ କରିଛନ୍ତି। ସମସ୍ତଙ୍କଠାରୁ ଶୁଣିବା ପରେ ଶଙ୍କରାଚାର୍ଯ୍ୟ କହିଲେ, ଶ୍ରୀମନ୍ଦିର ହେଉଛି ଆଧ୍ୟାତ୍ମିକ କ୍ଷେତ୍ର। ଏହା ପର୍ଯ୍ୟଟନ କ୍ଷେତ୍ର ନ ହେଉ।

ଆଜି ସଂଧ୍ୟାରେ ଅନୁଷ୍ଠିତ ଏହି ମିଳିତ ବୈଠକରେ ବିଜେଡି, ବିଜେପି, କଂଗ୍ରେସ ଦଳର ରାଜନେତାଙ୍କ ସହ ବିଶ୍ବ ହିନ୍ଦୁ ପରିଷଦ, ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ, ଓବିସିସିର ଅଧିକାରୀମାନେ ଉପସ୍ଥିତ ଥିଲେ। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି, ପୁରୀ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ, ଐତିହ୍ୟ ଗବେଷକ ଅନୀଲ ଧୀର, ପଥରଶିଳ୍ପୀ ସୁଦର୍ଶନ ସାହୁ, ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ସମେତ ବହୁ ସଂଗଠକ ବି ଯୋଗ ଦେଇଥିଲେ। ଆଲୋଚନା ପରେ ଗବେଷକ ଶ୍ରୀ ଧୀର କହିଛନ୍ତି ଯେ ଆମେ ଯଦି ଶ୍ରୀକ୍ଷେତ୍ରରେ ମଠ, ମନ୍ଦିର ଗଢ଼ିନୁ, ତେବେ ଏହାକୁ ଭାଙ୍ଗିବାକୁ ଆମର ଅଧିକାର ନାହିଁ। ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଆଇନ ଭିତରେ ଶ୍ରୀମନ୍ଦିର ବିକାଶ କାମ କରିବାକୁ ମତ ରଖିଛି। ପଥରଶିଳ୍ପୀ ଶ୍ରୀ ସାହୁ କହିଛନ୍ତି, ମୁଁ ପରିକ୍ରମା ପ୍ରକଳ୍ପ ଶୀଘ୍ର ସାରିବା ଉପରେ ମତ ରଖିଛି। ଆଜି କାଶୀ ବିଶ୍ବନାଥ ମନ୍ଦିର ବିକାଶ ହୋଇଛି। ସେହିଭଳି ଶ୍ରୀମନ୍ଦିରର ବିକାଶ ହେବା ଦରକାର ବୋଲି ସେ କହିଛନ୍ତି।

ଶ୍ରୀଜଗନ୍ନାଥ ସେନା ଆବାହକ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆଜି ଯେଉଁଭଳି ବେଆଇନ୍‌ କାମ ଚାଲିଛି, ତାହା ଶ୍ରୀମନ୍ଦିରକୁ ବିପଦ ଭିତରକୁ ଠେଲି ଦେଇଛି। ଏଣୁ କାମକୁ ବନ୍ଦ କରିବାକୁ ପରାମର୍ଶ ଦେବାକୁ ଜଗଦଗୁରୁଙ୍କୁ ଅନୁରୋଧ କରାଯାଇଛି। ଅନ୍ୟପଟେ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ପୁଣିଥରେ ପୂର୍ବ କଥା ଦୋହରାଇଛନ୍ତି। ଆମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କୌଣସି ଅନୁମତି ଦେଇନୁ କି ଏନ୍‌ଓସି ଦେଇନୁ ବୋଲି ଶଙ୍କରାଚାର୍ଯ୍ୟଙ୍କ ଆଗରେ ମତ ରଖିଛନ୍ତି। ବିଜେଡି ନେତା ଶ୍ରୀ ମହାନ୍ତି ଶ୍ରୀମନ୍ଦିର ପରିକ୍ରମା ଲୋକଙ୍କ ଭଲ ପାଇଁ ହେଉଛି, ଏହା ହେବା ଦରକାର ବୋଲି ମତ ରଖିଥିଲେ। ସବୁବର୍ଗର ‌ଲୋକଙ୍କଠାରୁ ମତ ଶୁଣିବା ପରେ ଜଗଦ୍‌ଗୁରୁ ଶଙ୍କରଚାର୍ଯ୍ୟ କହିଛନ୍ତି ଯେ ଶ୍ରୀମନ୍ଦିରର ଯାହା ବି ବିକାଶ ହେଉଛି, ସୁସଂସ୍କୃତି, ସୁଚିନ୍ତିତ, ସୁସଂପର୍କ ଦୃଷ୍ଟିକୋଣରୁ ହେଉ। ସରକାର ଯଦି ଏ ଦିଗକୁ ଦୃଷ୍ଟି ନ ଦିଅନ୍ତି, ବିସ୍ଫୋରଣ ହେବା ସ୍ବାଭାବିକ। ଯାହା ବି ହେଉଛି ଧାର୍ମିକ ଦୃଷ୍ଟିକୋଣରୁ ହେଉ ବୋଲି ଜଗତଗୁରୁ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର