ନିଜ ଦରମା ବଢ଼ାଇବାକୁ ଦାବି କଲେ ବିଧାୟକ

ଭୁବନେଶ୍ବର : ବୁଧବାର ଶୂନ୍ୟକାଳରେ ସବୁ ଦଳର ବିଧାୟକମାନେ ସେମାନଙ୍କ ଦରମା, ଭତ୍ତା ବୃଦ୍ଧି କରିବାକୁ ଦାବି କରିଛନ୍ତି। ଏହାସହ ପୂର୍ବତନ ବିଧାୟକମାନଙ୍କ ପେନସନ୍ ରାଶି ବଢ଼ାଇବାକୁ ସମସ୍ତେ ମିଳିତ ଭାବେ ଦାବି କରିଛନ୍ତି।

ବିଧାୟକମାନେ କହିଛନ୍ତି ଯେ ସବୁ ରାଜ୍ୟରେ ବିଧାୟକଙ୍କ ଦରମା ବଢ଼ୁଛି, ହେଲେ ଆମର ବଢ଼ୁନି। ଏବେ ଯେତିକି ଦରମା ମିଳୁଛି ସେଥିରେ ଚଳିବା କଷ୍ଟକର ହୋଇଯାଉଛି। ଦରମା ବୃଦ୍ଧି ନେଇ ଗଠନ ହୋଇଥିବା କମିଟି ରିପୋର୍ଟ ଦେଇଥିଲେ ବି କାହିଁକି ତାକୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି। ଯେପରି ଚଳିତ ବିଧାନସଭା ଅଧିବେଶନରେ ବିଧାୟକଙ୍କ ଦରମା ବୃଦ୍ଧି ସମ୍ପର୍କିତ ବିଲ୍‌ ଆସିବ ସେନେଇ ବାଚସ୍ପତି ପଦକ୍ଷେପ ନେବାକୁ ବିଧାୟକମାନେ ଦାବି କରିଥିଲେ। ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ସଭ୍ୟମାନଙ୍କର ଉଦ୍‌ବେଗ ବିଷୟକୁ ଅନୁଭବ କଲି। ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ନେଇ ବିଧାୟକ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟ ଦେଇସାରିଛନ୍ତି। ମୁଁ ସେହି ରିପୋର୍ଟକୁ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇଦେଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହର ନେତାଙ୍କ ସହ ଏନେଇ ଆଲୋଚନା କରନ୍ତୁ। ଗୃହକୁ ବିଲ୍ କେମିତି ଆସିବ ସମୟୋଚିତ ପଦକ୍ଷେପ ନିଅନ୍ତୁ।

ଦରମା ବୃଦ୍ଧି ବିଲ୍‌ ଗୃହକୁ ଆଣିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପଦକ୍ଷେପ ନିଅନ୍ତୁ: ବାଚସ୍ପତି
ସବୁ ଦଳ ଶିକ୍ଷକ ଓ ଡ୍ରାଇଭରଙ୍କ ଆନ୍ଦୋଳନ କଥା ଉଠାଇଲେ

ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଆମର ଯାତାୟତ ଭତ୍ତା ବଢ଼ୁନି। ଏଥିରେ ନିର୍ବାଚନମଣ୍ଡଳୀରେ ଯାତାୟତ କରିବା କଷ୍ଟକର ହୋଇପଡ଼ୁଛି। ବିଦ୍ୟୁତ ଦର ଯେଉଁଭଳି ବଢ଼ୁଛି ସେଥିରେ ଯେତିକି ଅର୍ଥ ମିଳୁଛି ତାହା ପାଉନି। ସହାୟକ ପାଇଁ ୫ହଜାର ଟଙ୍କା ଦିଆଯାଉଛି। ହେଲେ ଜଣଙ୍କୁ ୨୦ରୁ ୨୫ହଜାର ଟଙ୍କା ମାସକୁ ନଦେଲେ କାମ କରିବାକୁ ଲୋକ ମିଳୁନାହାନ୍ତି। ବିଧାନସଭା ଚାଲିବା ବେଳେ ବହୁତ ଲୋକ ବିଧାୟକମାନଙ୍କ ପାଖକୁ ଆସୁଛନ୍ତି। ଏଥିରେ ଯେତେ ଖର୍ଚ୍ଚ ହେଉଛି ‌ତାହା ସମସ୍ତେ ଜାଣନ୍ତି। ତେଣୁ ଦରମା ବୃଦ୍ଧି ନେଇ ପଦକ୍ଷେପ ନିଆଯାଉ।

ବିଜେଡି ବିଧାୟକ ତଥା ଏହି କମିଟିର ଅଧ୍ୟକ୍ଷ ଅମର ଶତପଥୀ କହିଥିଲେ, ମୁଁ ରିପୋର୍ଟ ଦେଇସାରିଛି। ନିକଟରେ ଦିଲ୍ଲୀରେ ବିଧାୟକଙ୍କ ଦରମା ବଢ଼ିଛି। ଆମ ରିପୋର୍ଟରେ ବିଭିନ୍ନ ରାଜ୍ୟର ବିଧାୟକଙ୍କ ଦରମାକୁ ତୁଳନା କରି ରିପୋର୍ଟ ଦିଆଯାଇଛି। ତାରାପ୍ରସାଦ ବାହିନୀପତି କହିଥିଲେ, ଡିଜେଲ୍‌ ଯେତେବେଳେ ଲିଟର ପିଛା ୪୦ଟଙ୍କା ଥିଲା ସେତେବେଳେ ଆମ ଦରମା ବଢ଼ିଥିଲା। ଏବେ ଡିଜେଲ୍ ଲିଟର ୧୦୦ଟଙ୍କା ହେଲାଣି। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଅନୁରୋଧ ଚଳିତ ଅଧିବେଶନରେ ଏହି ଦରମା ବୃଦ୍ଧି ବିଲ୍ ଆଣନ୍ତୁ। ମୋହନ ମାଝୀ କହିଥିଲେ, ଦିଲ୍ଲୀରେ ବିଧାୟକଙ୍କ ଦରମା ବଢ଼ିଛି। କେରଳ, କର୍ଣ୍ଣାଟକ, ଗୋଆ ଭଳି ରାଜ୍ୟରେ ଆମ ଠାରୁ ବହୁ ଅଧିକ ଦରମା ବିଧାୟକମାନେ ପାଉଛନ୍ତି। ଆପଣ ବିଲ୍‌ ଆଣିବାକୁ ରୁଲିଂ ଦିଅନ୍ତୁ। ପଦ୍ମନାଭ ବେହେରା କହିଥିଲେ, ଆଜି ଆମେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଅଛୁ। କାଲି ପୂର୍ବତନ ହୋଇଯିବୁ। ତେଣୁ ଆମ ଦରମା ସହ ପୂର୍ବତନ ବିଧାୟକଙ୍କ ପେନସନ୍, ଭତ୍ତା ବି ବଢ଼ାଯାଉ। ସମସ୍ତେ ବହୁତ ସମସ୍ୟାରେ ଅଛନ୍ତି। ଏହାକୁ ଚଳିତ ଅଧିବେଶନରେ ବିଚାର କରାଯାଉ। ସୁରେଶ କୁମାର ରାଉତରାୟ କହିଥିଲେ ଯେ ସକାଳୁ ଉଠିଲେ ଘର ଆଗରେ ଲୋକଙ୍କ ଭିଡ଼ ଜମୁଛି। କିଏ ବାହାଘର, ବ୍ରତଘର, ଦଶାହ, ଫୁଟବଲ୍ ମ୍ୟାଚ୍ ପାଇଁ ସାହାଯ୍ୟ ମାଗୁଛନ୍ତି। ସମସ୍ତଙ୍କ କଥା ବୁଝିବା ପରେ ଚଳିବା କଷ୍ଟକର ହୋଇପଡ଼ୁଛି।

ସେହିପରି ଏହି ସମସ୍ତ ବିଧାୟକମାନେ ତାଙ୍କ ଆଲୋଚନାରେ ଡ୍ରାଇଭରଙ୍କ ଦାବି ପୂରଣ କରିବା ନେଇ ମଧ୍ୟ କହିଥିଲେ। ଏହାସହ ଶିକ୍ଷକମାନଙ୍କୁ କାହିଁକି ଆନ୍ଦୋଳନ କରିବାକୁ ଅନୁମତି ଦିଆଯାଉନି ସେନେଇ ପ୍ରଶ୍ନ କରିଥିଲେ। ଏଥିରେ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର