ଭୁବନେଶ୍ବର: ସମୟ ଥିଲା ଠିକ୍ ୧୨ଟା। ମୋବାଇଲ୍ ହଠାତ୍ ଥରିଉଠିଥିଲା। ବାଜିଲା ସାଇରନ୍। ତତ୍କାଳ ମୋବାଇଲ୍ ସ୍କ୍ରିନ୍ରେ କିଛି ସତର୍କ ସୂଚନା ଥିବା ବାର୍ତ୍ତା ମଧ୍ୟ ଆସିଲା। ପ୍ରଥମେ ଇଂରାଜି ଓ ପରେ ଓଡ଼ିଆ ଭାଷାରେ ଆସିଥିଲା ଏହି ସୂଚନା। ଥରେ ନୁହେଁ, ବାରମ୍ବାର। କେହି କିଛି ବୁଝିପାରିନଥିଲେ। ଏହାପଛର କାରଣ କ’ଣ ସେ ନେଇ ତନାଘନ ଆରମ୍ଭ ହୋଇଥିଲା। ଏହାକୁ ନେଇ ଏକପ୍ରକାର ଆତଙ୍କ ଖେଳିଯାଇଥିଲା। ସାଙ୍ଗେ ସାଙ୍ଗେ ସାମାଜିକ ଗଣମାଧ୍ୟମରେ ଛାଇଗଲା ମୋବାଇଲ୍ ସ୍କ୍ରିନ୍ ବାର୍ତ୍ତା।
ହେଲେ ଏହା କୌଣସି ସାଇବର ଠକର କାର୍ଯ୍ୟକଳାପ ନଥିଲା ଅଥବା ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି କରିବା ଲାଗି ଉଦ୍ଦିଷ୍ଟ ନଥିଲା। ବରଂ ଆସନ୍ତା ଦିନରେ ଲୋକଙ୍କୁ ବିପର୍ଯ୍ୟୟ ନେଇ ଆଗୁଆ ସଜାଗ କରିବା ଲାଗି ଗୋଟିଏ ନୂଆ କୌଶଳ ବା ବଡ଼ ପରୀକ୍ଷଣର ଅଂଶବିଶେଷ। ଆଜି ଥିଲା ଓଡ଼ିଶା ଏବଂ ଝାଡ଼ଖଣ୍ଡର ପାଳି। ଆହୁରି ସରଳ ଭାବେ କହିଲେ, ଆଗକୁ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସଂପର୍କରେ ଆଗୁଆ ସତର୍କ ସୂଚନା ମୋବାଇଲ୍ ଯୋଗେ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଟେଲିକମ୍ ବିଭାଗ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏସ୍ଡିଏମ୍ଏ), ଟେଲିକମ୍ କଂପାନି ଓ ସି-ଡଟ୍ର ମିଳିତ ସହଯୋଗରେ ଏହି ପରୀକ୍ଷଣ କରାଯାଇଥିଲା। ଏକାଠି ଏ ନେଇ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି, ଆଜି ପରୀକ୍ଷଣ ଓଡ଼ିଶାରେ କରାଯାଇଛି। ପ୍ରାୟ ୭୦ ହଜାରରୁ ଅଧିକ ବେସ୍ ଟାୱାର ଷ୍ଟେସନ (ବିଟିଏସ୍)କୁ ଏଥିରେ ସାମିଲ କରାଯାଇଥିଲା। ବିଏସ୍ଏନ୍ଏଲ୍, ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ କଂପାନି ଗ୍ରାହକମାନଙ୍କ ପାଖରେ ସତର୍କ ସୂଚନା ପହଞ୍ଚିଥିଲା।
ଏ ସମ୍ପର୍କରେ ଟେଲିକମ ବିଭାଗ ତାର ସ୍ପଷ୍ଟୀକରଣ ରଖିଛି। ଟେଲିକମ୍ ଉପ ମହାନିର୍ଦ୍ଦେଶକ (ନିରାପତ୍ତା ଓ ପ୍ରଯୁକ୍ତି) ପାଣ୍ଡେ ବିଜୟ ଭୂଷଣ କହିଛନ୍ତି ଯେ ବନ୍ୟା, ଘଡ଼ଘଡ଼ି, ପ୍ରବଳ ବର୍ଷା, ବାଦଲ ଫଟା ବର୍ଷା, ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଲୋକମାନଙ୍କୁ ଆଗୁଆ ସତର୍କ କରାଇବା ଲାଗି ଆଜି ଏକ ପରୀକ୍ଷଣ କରାଯାଇଥିଲା। ସେଥିପାଇଁ ଲୋକମାନଙ୍କ ମୋବାଇଲ୍ରେ କମ୍ପନ ସୃଷ୍ଟି ହେବା ସହ ସାଇରନ ବାଜିଥିଲା ଓ ସତର୍କ ସୂଚନା ସ୍କ୍ରିନ୍ ଉପରେ ଦେଖାଯାଇଥିଲା। ଏହା ଥିଲା ସେଲ୍ ବ୍ରୋଡ୍କାଷ୍ଟିଂ ପ୍ରଯୁକ୍ତିର ପରୀକ୍ଷଣ। ଆମର ପରୀକ୍ଷଣ ୯୯.୯୯ ପ୍ରତିଶତ ସଫଳ ହୋଇଛି। ପ୍ରତି ସିମ୍ ପିଛା ଗୋଟିଏ ଇଂରାଜି ଓ ଗୋଟିଏ ଓଡ଼ିଆ ଭାଷା ସମେତ ମୋଟ ଦୁଇଟି ସତର୍କ ସୂଚନା ପଠାଯାଇଥିଲା। କିଛି ଫିଚର୍ ଫୋନ୍ ଓ ପୁରୁଣା ଫୋନ୍ରେ ଏହି ସୂଚନା ପହଞ୍ଚିନଥିବା ଆମେ ଜାଣିପାରିଛୁ। ସେହି ବିଷୟ ଉପରେ ଅଧିକ ଅନୁଧ୍ୟାନ ଜାରି ରହିଛି। ଏହି ବ୍ୟବସ୍ଥାରେ ଯାହା ବି କିଛି ତ୍ରୁଟି ରହିଛି ତାହାକୁ ସମ୍ପୂର୍ଣ୍ଣ ସମାଧାନ କରାଯିବ। ଦେଶର ସବୁ ରାଜ୍ୟରେ ପରୀକ୍ଷଣ ଶେଷ ହେବା ପରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ହେଲେ କେବେଠାରୁ ତାହା ଲାଗୁ ହେବ ସେହି ନିଷ୍ପତ୍ତି କେନ୍ଦ୍ର ସରକାର ଗ୍ରହଣ କରିବେ ବୋଲି ଶ୍ରୀ ଭୂଷଣ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ସେଲ୍ ବ୍ରୋଡ୍କାଷ୍ଟିଂ ପ୍ରଯୁକ୍ତିକୁ ଜାଣିଶୁଣି ଏଭଳି ଭାବେ ବିକାଶ କରାଯାଇଛି ଯାହା ଦ୍ବାରା ଲୋକମାନଙ୍କ ଧ୍ୟାନ ଆକର୍ଷଣ କରାଯାଇପାରିବ। ମୋବାଇଲ୍ରେ କମ୍ପନ୍ନ ସୃଷ୍ଟି ହେଲେ ଲୋକମାନେ ତାହାକୁ ଦେଖିବେ, ସ୍କ୍ରିନ୍ ଖୋଲିଲେ ସେଥିରେ ସତର୍କ ସୂଚନା ପଢ଼ିପାରିବେ। ସାଧାରଣ ଲୋକଙ୍କୁ ବିପଦ ବିଷୟରେ ସତର୍କ କରିବା ଲାଗି ଆଞ୍ଚଳିକ ଭାଷା ବ୍ୟବହାର କରାଯାଇଛି। ଯେଉଁମାନେ ପଢ଼ିପାରୁନାହାନ୍ତି ସେମାନଙ୍କ ଲାଗି ମୋବାଇଲ୍ ମେସେଜ୍କୁ ପଢ଼ିବ। ତେବେ ଏହି ସୁବିଧା କେବଳ ନିର୍ଦ୍ଦିଷ୍ଟ କିଛି ମୋବାଇଲ୍ରେ ଉପଲବ୍ଧ ଥିବା ଶ୍ରୀ ଭୂଷଣ କହିଛନ୍ତି। ଟେଲିକମ୍ ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି ଯେଏଭଳି ମେସେଜ୍ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ସାଇବର ଠକେଇ ସହ ମଧ୍ୟ ଏହାର କୌଣସି ସମ୍ପର୍କ ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଲୋକମାନଙ୍କ ଧନଜୀବନର କିଭଳି ସୁରକ୍ଷା ହୋଇପାରିବ ସେଥିପାଇଁ ଏହି ପରୀକ୍ଷଣ କରାଯାଇଛି। ସରକାରୀ ସଂସ୍ଥା ସି-ଡଟ୍ ଏହି ପ୍ରଯୁକ୍ତି ବିକାଶ କରିଛି। ଏହା ଉପରେ ଦୀର୍ଘ ୨-୩ ବର୍ଷ ହେଲାଣି କାମ ହେଉଥିଲା।
ଟେଲିକମ୍ ବିଭାଗର ନିର୍ଦ୍ଦେଶକ (ନିରାପତ୍ତା) କେ ଏମ୍ ରବି ଓ ଟେଲିକମ୍ ବିଭାଗର ସହକାରୀ ପ୍ରବନ୍ଧକ ପଙ୍କଜ କୁମାର ସାହୁ କହିଛନ୍ତି ଯେ ସେଲ୍ ବ୍ରୋଡକାଷ୍ଟିଂ ପ୍ରଯୁକ୍ତି ସାଧାରଣ ମେସେଜ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଥିପାଇଁ କୌଣସି ଲୋକଙ୍କ ମୋବାଇଲ୍ ନମ୍ବର ଦରକାର ପଡ଼ିବନାହିଁ। ଏହାକୁ ନେଇ ଟେଲିକମ୍ ନେଟ୍ୱର୍କ ମଧ୍ୟ ଜାମ୍ ହେବନାହିଁ। ମାତ୍ର ଏକାଥରକେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ, ଜିଲ୍ଲା, ରାଜ୍ୟ କିମ୍ବା ସାରା ଦେଶର ସବୁ ଲୋକଙ୍କ ପାଖକୁ ସତର୍କ ସୂଚନା ପଠାଯାଇପାରିବ। ଏ ସମ୍ପର୍କରେ ସାଇବର ବିଶେଷଜ୍ଞ ଲିଙ୍କରାଜ ସେଠୀ କହିଛନ୍ତି ଯେ ଜରୁରୀକାଳୀନ ସମୟରେ ଲୋକଙ୍କ ପାଖରେ ସତର୍କ ସୂଚନା ପହଞ୍ଚାଇବା ଲାଗି ଏହାକୁ ଏଭଳି ବିକାଶ କରାଯାଇଛି। ଏହା ଏକ ପୁସ୍ ମେସେଜ୍ ଭଳି, ଯାହାକୁ ଦେଖିବା ବାଧ୍ୟତାମୂଳକ। ଏହି ମେସେଜ୍କୁ ଲୋକମାନେ ନକାରାତ୍ମକ ଢଙ୍ଗରେ ନେବା ଅନୁଚିତ। କାରଣ ଏଥିରେ ସ୍ପଷ୍ଟ ଭାବେ ଟେଲିକମ ବିଭାଗ ଓ ଏନ୍ଏମ୍ଡିଏ ଲେଖାଯାଇଥିବା ବେଳେ ପରୀକ୍ଷାମୂଳକ ମେସେଜ ବୋଲି ମଧ୍ୟ ଅବଗତ କରାଯାଇଛି। ସାଇବର ଠକେଇ ସହ ଏହାର କୌଣସି ସମ୍ପର୍କ ନାହିଁ। ହଂକଂ ଭଳି ଦେଶରେ ଏଭଳି ବ୍ୟବସ୍ଥାର ନିୟନ୍ତ୍ରଣ ସରକାରଙ୍କ ପାଖରେ ଥିବା ବେଳେ ଆମ ଦେଶରେ ଏହା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପାଖରେ ରହିବ ବୋଲି ସେ କହିଛନ୍ତି।
ସତର୍କ ସୂଚନାରେ କ’ଣ ଲେଖାଥିଲା
ଏହା ହେଉଛି ଟେଲିକମ୍ ବିଭାଗ, ଭାରତ ସରକାରଙ୍କ ଦ୍ବାରା ସେଲ୍ ବ୍ରୋଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ପଠାଯାଇଥିବା ଏକ ନମୁନା ପରୀକ୍ଷା ବାର୍ତ୍ତା। ଦୟାକରି ଏହି ସନ୍ଦେଶକୁ ଅଣଦେଖା କରନ୍ତୁ, କାରଣ ଏହା ଆପଣଙ୍କ ତରଫରୁ କୌଣସି ପଦକ୍ଷେପ ଆବଶ୍ୟକ କରେନାହିଁ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଅଲ ଇଣ୍ଡିଆ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ପରୀକ୍ଷା କରିବାକୁ ଏହି ବାର୍ତ୍ତା ପଠାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ବଢ଼ାଇବାକୁ ଏବଂ ଜରୁରୀକାଳୀନ ସମୟରେ ଠିକ୍ ସମୟରେ ସତର୍କ ସୂଚନା ପ୍ରଦାନ କରିବାକୁ ସିଷ୍ଟମ ଲକ୍ଷ୍ୟ ରଖିଛି।