ଶ୍ରୀକାନ୍ତ ବଲ୍ଲଭାଇ
ବିଷମକଟକ: ଆଦିମ ଜନଜାତି ଡଙ୍ଗରିଆଙ୍କୁ ପ୍ରଭାବିତ କରିଛି ଆଧୁନିକ ଜୀବନଶୈଳୀ। ପାରମ୍ପରିକ ବାଦ୍ୟ ବଦଳରେ ଡଙ୍ଗରିଆଙ୍କ ବିବାହ ଉତ୍ସବରେ ବାଜିଛି ଡିଜେ। ଛପା ହୋଇଛି ନିମନ୍ତ୍ରଣପତ୍ର। ପ୍ରଥମ ଥର ପାଇଁ ଡଙ୍ଗରିଆଙ୍କ ବିବାହ ଭୋଜିରେ ସାମିଲ୍ ହୋଇଛନ୍ତି ଅନ୍ୟ ସମ୍ପ୍ରଦାୟର ଲୋକ। କେବଳ ଏତିକି ନୁହେଁ, କନିଆ ଝିକା ପରମ୍ପରାରେ ମଧ୍ୟ ରୋକ୍ ଲାଗିବା ଆରମ୍ଭ ହୋଇଛି। ଉଭୟ ପରିବାରର ନିଷ୍ପତ୍ତିରେ ସମ୍ପନ୍ନ ହୋଇଛି ବିବାହ କାର୍ଯ୍ୟକ୍ରମ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ନିୟମଗିରି ପାଦଦେଶରେ ଅବସ୍ଥିତ ଖମ୍ବେସି ଗ୍ରାମର ବଣ୍ଡି ୱାଡକାଙ୍କ ଝିଅ ବନିତା ୱାଡକା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କୁର୍ଲୀ ଗ୍ରାମର ଡ୍ରେକୁ ଜାକସିକାଙ୍କ ପୁଅ ସେତ୍ରୁ ଜାକସିକାଙ୍କୁ ବିବାହ କରିଛନ୍ତି ବନିତା। ଡଙ୍ଗରିଆ ସମ୍ପ୍ରଦାୟରେ ନିମନ୍ତ୍ରଣପତ୍ର ଛାପିବାର ପରମ୍ପରା ନଥିବା ବେଳେ ପ୍ରଥମ ଥର ପାଇଁ କନ୍ୟା ଘର ତରଫରୁ ନିମନ୍ତ୍ରଣ ଛାପି ନିଜ ସମ୍ପଦାୟ ସହ ଅନ୍ୟ ସମ୍ପ୍ରଦାୟକୁ ବିବାହ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି। ବରପକ୍ଷ ବିବାହ ପାଇଁ କନ୍ୟା ଘରକୁ ସୁସଜ୍ଜିତ କାରରେ ଡିଜେ ସହ ନାଚଗୀତ କରି ପ୍ରୋସେସନ୍ରେ ଯାଇଥିଲେ। ସାଧାରଣତଃ ଡଙ୍ଗରିଆ ଜନଜାତିର ବିବାହ ପୂର୍ବ ପରମ୍ପରା ରୀତିରେ ହୋଇଥାଏ। ବେଜୁଣୀ ମନ୍ତ୍ରପାଠ କରି ବରକନ୍ୟାକୁ ବିବାହ ବନ୍ଧନରେ ଆବଦ୍ଧ କରିଥାନ୍ତି। ବିବାହ ପରେ ଭୋଜିଭାତ ସହ ମଦ ଓ ମାଂସରେ ସମସ୍ତେ ମସଗୁଲ୍ ହୋଇଥାନ୍ତି।
ଛପାହେଲା ନିମନ୍ତ୍ରଣପତ୍ର, ବରଯାତ୍ରୀରେ ବାଜିଲା ଡିଜେ
ବିବାହ ଭୋଜି ଖାଇଲେ ଅନ୍ୟ ସମ୍ପ୍ରଦାୟର ଲୋକ
ଲୋପ ପାଇବାରେ ଲାଗିଛି କନିଆ ଝିକା ପରମ୍ପରା
ସାଧାରଣତଃ ଏହି ଜନଜାତିର ବିବାହରେ କନିଆ ଝିକା ପରମ୍ପରା ମୁଖ୍ୟ। ବିବାହ ପାଇଁ ବର ପକ୍ଷ ଝିଅକୁ ଜୋର୍ ଜବରଦସ୍ତି ଉଠାଇ ନିଅନ୍ତି। ପରେ ଗାଁ ମୁଖିଆ ଏହାର ମୀମାଂସା କରି ବିବାହ କାର୍ଯ୍ୟ ସମାପନ କରିଥାନ୍ତି। ଏହି ବିବାହ ପାଇଁ ସମାଜ ପକ୍ଷରୁ କନ୍ୟା ପିତାକୁ ଆର୍ଥିକ ଜରିମାନାର ଶିକାର ହେବାକୁ ପଡ଼ିଥାଏ। ସେହିପରି ଅନ୍ୟ ପରମ୍ପରା ଭାବେ ଆମ୍ବପତ୍ର ବିବାହ କରିଥାନ୍ତି ଡଙ୍ଗରିଆ। ବିବାହ ପୂର୍ବରୁ ପୁଅ-ଝିଅ କୌଣସି ଜାନିଯାତ୍ରାରେ ଦେଖା ସାକ୍ଷାତ ହୋଇ ଉଭୟଙ୍କୁ ପସନ୍ଦ କରିଥାନ୍ତି। ଉଭୟେ ରାଜି ହେଲେ ବିବାହ କରିଥାନ୍ତି। ଯଦି କନ୍ୟାପିତା ରାଜି ନ ହୁଅନ୍ତି ତେବେ ବରପକ୍ଷ ଝିଅକୁ ଉଠାଇ ନିଅନ୍ତି। କିନ୍ତୁ ସେତ୍ରୁଙ୍କ ବିବାହ ହିନ୍ଦୁ ପରମ୍ପରା ଭଳି ଉଭୟ ପରିବାରର ଦେଖାଚାହାଁ ପରେ ଠିକ୍ ହୋଇଥିଲା। ଖମ୍ବେସିରେ ଅନୁଷ୍ଠିତ ଡଙ୍ଗରିଆଙ୍କ ନିଆରା ବିବାହ ଉତ୍ସବକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।