‘ମୌସୁମୀ ବିରତି’ ଆଉ ସପ୍ତାହେ

ଭୁବନେଶ୍ବର : ପ୍ରତିବର୍ଷ ସକ୍ରିୟ ମୌସୁମୀ ପରେ ୧୦ରୁ ୧୫ ଦିନ ‘ମୌସୁମୀ ବିରତି’ ହୋଇଥାଏ। ଏହି ସମୟରେ ପାଗ ମେଘମୁକ୍ତ ବା ଆଂଶିକ ମେଘୁଆ ରହିଥାଏ। ତାପମାତ୍ରା ବଢ଼ିବା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇଥାଏ। ଏବେ ଏହି ମୌସୁମୀ ବିରତି ଚାଲିଛି। ଜୁଲାଇ ୩୧ ତାରିଖରୁ ରାଜ୍ୟରେ ମୌସୁମୀ ବର୍ଷା କମି ଯାଇଛି। ମୌସୁମୀ ଟ୍ରଫ୍‌-ଲାଇନ୍‌ ଉତ୍ତରାଭିମୁଖୀ ହୋଇ ହିମାଳୟ ପାଦଦେଶରେ ରହିଛି। ତେବେ ପୁନଃ ସକ୍ରିୟ ହେବା ପାଇଁ ମୌସୁମୀକୁ ଆହୁରି ସପ୍ତାହେରୁ ଅଧିକ ସମୟ ଲାଗିପାରେ ବୋଲି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ଶ୍ରୀ ପଶୁପାଳଙ୍କ ଆକଳନ ଅନୁଯାୟୀ ଉତ୍ତର ଓଡ଼ିଶା ବ୍ୟତୀତ ରାଜ୍ୟର ଅନେକ ସ୍ଥାନରେ ୮ରୁ ୧୨ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା ପୂର୍ବାପେକ୍ଷା ଅଧିକ ରହିବ। ଭୁବନେଶ୍ବରରେ ୯ରୁ ୧୧ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୩୪ରୁ ୩୫ ଡିଗ୍ରି ମଧ୍ୟରେ ରହିବ। ୧୨ତାରିଖ ଆଡ଼କୁ କିଛି ପରିଚଳନଜନିତ ବର୍ଷା ଯୋଗୁଁ ତାପମାତ୍ରା ୧ରୁ ୨ଡିଗ୍ରି କମିପାରେ। ଅନୁଗୁଳ ସମେତ ସଂଲଗ୍ନ ଅଞ୍ଚଳରେ ମଧ୍ୟ ଅବସ୍ଥା ପ୍ରାୟ ଏକାଭଳି ରହିବ। ଉପକୂଳ ଗଞ୍ଜାମରେ ୧୧ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୩୪ରୁ ୩୫ ଡିଗ୍ରି ରହିବ। ବଲାଙ୍ଗୀର ଓ ସଂଲଗ୍ନ ଜିଲ୍ଲାରେ ୧୦ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଢ଼ି ୩୫ ଡିଗ୍ରିରେ ପହଞ୍ଚିପାରେ। ତେବେ ୧୨ତାରିଖରେ ବର୍ଷା ହେତୁ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି କମିପାରେ। ଅଧିକ ତାପମାତ୍ରା ଯୋଗୁଁ ବାଷ୍ପୀକରଣ ହୋଇଥାଏ। ଏହା ଘନୀଭୂତ ହୋଇ ଉପରବେଳା ଘଡ଼ଘଡ଼ି ସହ ବର୍ଷା ହୁଏ। ମୌସୁମୀ ସକ୍ରିୟ ହେବା ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବ ବୋଲି ଡ. ପଶୁପାଳକ କହିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ମୌସୁମୀଜନିତ ନିମ୍ନ ଚାପରେଖା ରାଜସ୍ଥାନ ବିକାନେର୍‌ରୁ ବାହାରି ଜୟପୁର, ଉତ୍ତର ମଧ୍ୟପ୍ରଦେଶର ପୂର୍ବ ଭାଗ‌ରେ ଥିବା ଲଘୁଚାପ କ୍ଷେତ୍ରର କେନ୍ଦ୍ର ହୋଇ ଉତ୍ତରପୂର୍ବ ଦିଗରେ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହାଛଡ଼ା ଗତକାଲି ବଙ୍ଗୋପସାଗରରେ ରହିଥିବା ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶରେ ସକ୍ରିୟ ରହୁଛି। ଏହା ସମୁଦ୍ର ପତ୍ତନଠାରୁ ୨.୧ କିମିରୁ ୫.୮ କିମି ମଧ୍ୟରେ ବାୟୁମଣ୍ଡଳରେ ପରିବ୍ୟାପ୍ତ ହୋଇଛି। ପାଣିପାଗର ଏହି ଦୁଇ ନିୟାମକ ଯୋଗୁଁ ରାଜ୍ୟର କିଛି ସ୍ଥାନରେ ଆଜି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୯ ତାରିଖ ଆଡ଼କୁ ପାଗ ଶୁଖିଲା ରହିବ ଓ ବିଶେଷ ବର୍ଷାର ସମ୍ଭାବନା ନାହିଁ।

ସମ୍ବନ୍ଧିତ ଖବର