ଆଜି ବିଦାୟ ନେବ ମୌସୁମୀ, ଏଥର ୪% ଅଧିକ ବର୍ଷିଲା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ସାରା ଦେଶରୁ ବିଦାୟ ନେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏଥିପାଇଁ ଏବେ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି। ଶ୍ରୀ ବିଶ୍ବାସ ଆହୁରି ସୂଚନା ଦେଇଛନ୍ତି ଯେ ଆଜି ସୁଦ୍ଧା ଅଧା ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତନ କରିଛି। ଉପକୂଳ ଓଡ଼ିଶା ସମେତ ବାକି ଯେତିକି ସ୍ଥାନରେ ମୌସୁମୀ ସକ୍ରିୟ ଥିଲା ତାହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରତ୍ୟାବର୍ତନ କରିବ। ମୌସୁମୀ ସମୟ ତଥା ଜୁନ୍‌ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ଓଡ଼ିଶାରେ ୯୯ ପ୍ରତିଶତ ବର୍ଷା ହୋଇଥିବା ବେଳେ ଜୁନ୍‌ ପହିଲାରୁ ଅକ୍ଟୋବର ୨୭ ମଧ୍ୟରେ ଓଡ଼ିଶାରେ ୧୩୦୨.୯ ମିମି ବର୍ଷା ହୋଇଛି। ଏହି ସମୟରେ ସ୍ବାଭାବିକ ଭାବେ ୧୨୫୦ ମିମି ବର୍ଷା ହୋ‌ଇଥାଏ। ତେବେ ଏଥର ୪% ଅଧିକ ବର୍ଷା ହୋଇଛି। ମାଲକାନଗିରି ଓ ଝାରସୁଗୁଡ଼ାରେ ଅଧିକ ପରିମାଣରେ ବର୍ଷା ହୋଇଛି। ଅକ୍ଟୋବର ୧ରୁ ୨୭ ମଧ୍ୟରେ ୭୧% ଅଧିକ ବର୍ଷା ହୋଇଛି। ୧୮ ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ୫ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ଓ ୭ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ମୌସୁମୀ ବିଦାୟ ନେବା ସହ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଏବେ ପାଗ ମୁଖ୍ୟତଃ ସ୍ବାଭାବିକ ରହିବ। ଆଗକୁ ଧୀରେ ଧୀ‌ରେ ରାତିର ତାପମାତ୍ରା ଆହୁରି କମିବ। ଗତ ୨୪ ଘଣ୍ଟା‌ ମଧ୍ୟରେ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇଛି। ନ ହେଲେ ସାରା ରାଜ୍ୟରେ ପାଗ ଶୁଖିଲା ରହିଥିଲା। ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ରେକର୍ଡ କରାଯାଇଛି। ସୋନପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରି ରହିଥିବା ବେଳେ ଅନୁଗୁଳରେ ୧୪.୬, ଦାରିଙ୍ଗବାଡ଼ିରେ ୧୫, ଭବାନୀପାଟଣାରେ ୧୫.୫, କୋରାପୁଟରେ ୧୫.୮, ଫୁଲୁବାଣୀରେ ୧୬, କେନ୍ଦୁଝରରେ ୧୬.୬ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର