ଶେଷ ‌ରଜରେ ଓଡ଼ିଶା ଛୁଇଁବ ମୌସୁମୀ ବର୍ଷା

ଭୁବନେଶ୍ବର : ଆଉ ଅଳ୍ପ ଦିନ ପରେ ମୌସୁମୀ ଓଡ଼ିଶା ଛୁଇଁବ। ହେଲେ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳ ଏବେ ବି ପ୍ରଚଣ୍ଡ ତାତିରେ ସିଝୁଛି। ରବିବାର ଦିନ ରାଜ୍ୟର ୧୧ ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ୪୩ ଡିଗ୍ରି ତାପମାତ୍ରା ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏଥିସହ ଝାରସୁଗୁଡ଼ା (୪୨.୨ଡିଗ୍ରି), ସମ୍ବଲପୁର (୪୨.୬ ଡିଗ୍ରି), ସୁନ୍ଦରଗଡ଼ ଓ ବୌଦ୍ଧ (୪୨.୫ଡିଗ୍ରି), ମାଲକାନଗିରି ଓ ବରଗଡ଼ରେ (୪୨ ଡିଗ୍ରି) ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏମିତି ତାତି ଜାରି ରହିବ। ପରେ ଧୀରେଧୀରେ ତାତି କମିବ। ୧୪ରୁ ଉପକୂଳ ଓ ୧୫ ତାରିଖରୁ ସାରା ରାଜ୍ୟରେ ତାତି କମିବା ଆରମ୍ଭ ହୋଇଯିବ। ରଜକୁ ଓଡ଼ିଶା ମୌସୁମୀର ପହିଲି ସ୍ପର୍ଶ ପାଇବ। ମନ୍ଥର ଗତି ଯୋଗୁଁ ୧୬ କିମ୍ବା ୧୭ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୪ଘଣ୍ଟାରେ ଉତ୍ତର ଆରବ ସାଗରର କିଛି ଅଞ୍ଚଳ ସମେତ ଗୁଜରାଟର କିଛି ଅଂଶ, କେନ୍ଦ୍ରୀୟ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନ, ସମ୍ପୂର୍ଣ୍ଣ ତାମିଲନାଡ଼ୁ ଓ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବ‌ଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ। ଏହାର ପରବର୍ତୀ ୩ ଦିନରେ ଅର୍ଥାତ୍‌ ରଜକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି କିଛି ଅଞ୍ଚଳରେ ସକ୍ରିୟ ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଏହି ୩ ଦିନରେ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ସମେତ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ। ଅର୍ଥାତ୍‌ ଶେଷ ରଜକୁ (୧୬ ତାରିଖରେ) ରାଜ୍ୟରେ ମୌସୁମୀ ସକ୍ରିୟ ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

DNA India

ଅନ୍ୟପଟେ ଆସନ୍ତା ୧୪ ତା‌ରିଖରୁ ରାଜ୍ୟରେ ତାତି କମିବା ଆରମ୍ଭ କରିବ ଓ ୧୭ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋ‌ଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ସେ କହିଛନ୍ତି, ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ତାତି ୧୪ରୁ ଓ ଆଭ୍ୟନ୍ତର ଓଡ଼ିଶାର ତାତି ୧୫ତାରିଖରୁ କମିବ। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୫ଡିଗ୍ରି ମଧ୍ୟରେ ରହିବ। ଚଳିତ ବର୍ଷ କେରଳକୁ ମୌସୁମୀ ୪ଦିନ ଆଗରୁ ଛୁଇଁଥିଲା। କିନ୍ତୁ ତା’ପରେ ଦୁର୍ବଳ ଓ ମନ୍ଥର ଗତି ହେତୁ ପ୍ରାୟ ୧୨ଦିନ ବିଶେଷ ଅଗ୍ରଗତି ନ କରି କେବଳ ଦକ୍ଷିଣ-ପଶ୍ଚିମ ଉପକୂଳରେ ସୀମିତ ରହିଥିଲା। ଗତ ୩ ଦିନ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇଛି। ଯଦିଓ ବର୍ତ୍ତମାନ ଅରବ ସାଗରୀୟ ମୌସୁମୀ ଶାଖା ସକ୍ରିୟ ପାଇଁ ଅନୁକୂଳ ପରିବେଶ ରହିଛି, ଏହା ବଙ୍ଗୋପସାଗରୀୟ ମୌସୁମୀ ଶାଖାକୁ ମଧ୍ୟ କିଛି ମାତ୍ରାରେ ସକ୍ରିୟ କରିବ। ଫଳରେ ଚଳିତ ସପ୍ତାହରେ ଓଡ଼ିଶା ସମେତ ଦେଶର ସମସ୍ତ ପୂର୍ବ ଉପକୂଳ ଓ ସଂଲଗ୍ନ ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ପୂର୍ବ ଉତ୍ତର ପ୍ରଦେଶରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଜୁନ୍‌ ଶେଷ ସପ୍ତାହରେ ଅଧିକ ବର୍ଷା ହେବାର ମଧ୍ୟ ସଂକେତ ମିଳୁଛି।

ସମ୍ବନ୍ଧିତ ଖବର