ଫିକା ପଡ଼ିଲା ରମ୍‌ଜାନ୍‌ ମାସ, ମସ୍‌ଜିଦ୍‌ ଏବେ ଖାଁ ଖାଁ

ଶୁଭୁନି ନମାଜ ପାଠର ସ୍ବର କି ହେଉନି ଇଫ୍‌ତାର ପାର୍ଟି

ଭୁବନେଶ୍ୱର: ଆରମ୍ଭ ହୋଇଛି ପବିତ୍ର ରମଜାନ ମାସ। ଏହା ହେଉଛି ମୁସଲମାନ ସମ୍ପ୍ରଦାୟର ଏକ ଗୁରୁତ୍ୱପୂର୍ଣ୍ଣ ତଥା ଆନନ୍ଦ ଉଲ୍ଲାସର ପର୍ବ। ବେଶ୍‌ ଜାକଜକମରେ ତଥା ଧୁମ୍‌ଧାମରେ ପ୍ରତିବର୍ଷ ପାଳିତ ହେଉଥିବା ଏହି ଉତ୍ସବରେ ଭଟ୍ଟା ପଡ଼ିଛି। ନମାଜ ପାଠ ଓ ସମବେତ ପ୍ରାର୍ଥନାରେ ଗୁଞ୍ଜରିତ ହେଉଥିବା ମସ୍‌ଜିଦ୍‌ରେ ଏବେ ଗୋଟେ ଅଜଣା ନିରବତାର ‌ରାଜୁତି ଚାଲିଛି। ରମ୍‌ଜାନ ମାସ ଆରମ୍ଭ ହେବାର ୧୧ ଦିନ ବିତିଯାଇଥିଲେ ବି ମସ୍‌ଜିଦ୍‌ ସବୁ ଖାଁ ଖାଁ ପଡ଼ିଛି। ମୁସଲ୍‌ମାନ ଭାଇମାନଙ୍କୁ ମସ୍‌ଜିଦ୍‌ରେ ଦେଖିବାକୁ ମିଳୁନି। କରୋନା ମହାମାରୀ ସହ ଏହି ଲ‌‌ଢ଼େଇର ପ୍ରଥମ ଅସ୍ତ୍ର ଲକ୍‌ଡାଉନ୍‌କୁ ବେଶ୍‌ ଶାନ୍ତିପୂର୍ଣ୍ଣ ଭାବେ ସମର୍ଥନ ଜଣାଇଛି ମୁସଲ୍‌ମାନ ସମ୍ପ୍ରଦାୟ।

ରମଜାନ୍‌ ଏକ ମାସ ବା ୩୦ ଦିନ ଧରି ଚାଲୁ ରୁହେ। ଏହି ସମୟ ମଧ୍ୟରେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିମାନେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଉପବାସ ରହି କଠୋର ବ୍ରତର ପାଳନ କରିଥାନ୍ତି। ସମସ୍ତ ସୁସ୍ଥ ଓ ପ୍ରାପ୍ତ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏହି ବ୍ରତକୁ ବାଧ୍ୟତାମୂଳକ କରାଯାଇଛି। ଶିଶୁ ସାବାଳକ ହେବା ପରେ ଏହି ବ୍ରତକୁ ପାଳନ କରିବାର ନିୟମ ରହିଛି। ଅହମଦିଆ ମୁସ୍‌ଲିମ୍‌ ମସ୍‌ଜିଦ୍‌(ହମ୍‌ଦ)ର ମୌଲାନା ଫଜଲ୍‌ ହକ୍‌ ଖାନ୍‌ କହିଛନ୍ତି, ସବୁ କଥାକୁ ଆମେ ସାଂସାରିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଖିଥାଉ। କରୋନା ମହାମାରୀ ଭଳି ସଂକଟ ସମୟରେ ଆମେ ପ୍ରଥମେ ମାନବ ଓ ମାନବିକତାକୁ ବଞ୍ଚାଇ ରଖିବାକୁ ପଡ଼ିବ। ଏଣୁ ସରକାର କରୁଥିବା ପ୍ରତିଟି ନିୟମକୁ ମାନିବା ଆମର ପରମ କର୍ତ୍ତବ୍ୟ। ରମଜାନ ହେଉଛି ଆମ ଆଧ୍ୟାତ୍ମିକ ଋତୁମାନଙ୍କ ମଧ୍ୟରେ ବସନ୍ତ ଋତୁ। ଆଲ୍ଲା କହିଛନ୍ତି, ମାନବ ବର୍ଷକୁ ୧୧ ମାସ ରୋଜଗାର କରିଥାଏ, ନିଜ ପାଇଁ ଖଟିଥାଏ। କିନ୍ତୁ ଏହି ଗୋଟିଏ ମାସ ସେ ମୋ ପାଇଁ ତ୍ୟାଗ କରିଥାଏ। ଏହାର ଫଳସ୍ବରୂପ ଆଲ୍ଲାଙ୍କ ସାନ୍ନିଧ୍ୟ ପ୍ରାପ୍ତି ହୋଇଥାଏ। ଏଣୁ ଏହି ମାସରେ ଆମେ ନିଷ୍ଠାର ସହ ରୋଜା ପାଳନ କରିଥାଉ ଓ ଈଶ୍ବର ମନସ୍କ ହୋଇଥାଉ।

ମସ୍‌ଜିଦ୍‌ରେ ଏକାଠି ହେଉ। ଭୋରୁ ଭୋରୁ ଉଠି ଶ୍ରଦ୍ଧାଳୁମାନେ ନିଜ ନିତ୍ୟ କର୍ମ ସାରି ସୂର୍ଯ୍ୟୋଦୟ ପୂର୍ବରୁ ‘ସହରୀ’ ଖାଇ ରୋଜା ରଖିଥାନ୍ତି। ଦିନ ସାରା ଉପବାସ ରହିବା ପରେ ସନ୍ଧ୍ୟାରେ ଖଜୁରା, ସେଓ, ଅଙ୍ଗୁର ଓ ମିଠା ସରବତ ପିଇ ଶ୍ରଦ୍ଧାଳୁମାନେ ରୋଜା ଖୋଲନ୍ତି। ଏହାକୁ ‘ଇଫ୍‌ତାର’ କୁହାଯାଏ। ଅନ୍ୟ ଦିନମାନଙ୍କ ଭଳି ଏହି ଦିନଗୁଡ଼ିକରେ ୫ଥର ନମାଜ ପଢ଼ାଯାଇଥାଏ ଏହା ସହ ‘ତରାବି ନମାଜ’ ନାମକ ଆଉ ଏକ ନମାଜ ମଧ୍ୟ ପାଠ କରାଯାଏ। ଅନ୍ୟ ବର୍ଷଗୁଡ଼ିକରେ ମସ୍‌ଜିଦ୍‌ରେ ସମସ୍ତେ ଏକାଠି ହୋଇ ସମବେତ ନମାଜ ପାଠ କରିବା ସହ ‘ଇଫ୍‌ତାର’ ଖାଇ ରୋଜା ଭାଙ୍ଗୁଥିଲେ। କିନ୍ତୁ ଚଳିତ ବର୍ଷ ତାହା ସମ୍ଭବ ହେଉନି। ମସ୍‌ଜିଦ୍‌ରେ ମୌଲାନାଙ୍କ ସମେତ ସର୍ବମୋଟ୍‌ ୫ ଜଣ ମିଶି ନମାଜ ପାଠ କରିବାର ନିୟମ ଲାଗୁ ହୋଇଛି। ଏଥିସହ ଲାଉଡ଼୍‌ ସ୍ପିକର୍‌ ମଧ୍ୟ ଲଗାଯାଇପାରିବ ନାହିଁ ବୋଲି ନିୟମ ହୋଇଛି। ଏସବୁକୁ ଆମେ କଡ଼ାକଡ଼ି ପାଳନ କରୁଛି। ସମସ୍ତେ ନିଜ ନିଜ ଘରେ ନମାଜ ପାଠ କରୁଛନ୍ତି। ମସ୍‌ଜିଦ୍‌ ସମ୍ପୂର୍ଣ୍ଣ ଖାଲି। ଏହି ସମୟରେ ମସ୍‌ଜିଦ୍‌ ସମ୍ମୁଖରେ ଦୀନଦୁଃଖୀମାନଙ୍କର ବେଶ୍‌ ଭିଡ଼ ଜମେ। କିନ୍ତୁ ଏବେ ସେମାନେ ବି ମସ୍‌ଜିଦ୍‌କୁ ଆସି ପାରୁନାହାନ୍ତି। ଆମ ରମ୍‌ଜାନ୍‌ ମାସର ନିୟମ ଅନୁଯାୟୀ ଆମେ ନିଜେ ଯାଇ ସେମାନଙ୍କ ଘରେ କିଛି କିଛି ଦାନଧର୍ମ କରି ଆସୁଛୁ ବୋଲି ମୌଲାନା କହିଛନ୍ତି।

ଖାଲି ସେତିକି ନୁହେଁ ରମ୍‌ଜାନ୍‌ ମାସରେ ମସ୍‌ଜିଦ୍‌ ସମ୍ମୁଖରେ ସ୍ୱତନ୍ତ୍ର ବଜାର ଲାଗେ। ନାରଙ୍ଗୀ, ହଳଦିଆ, ଧଳା ଆଦି ବିଭିନ୍ନ ରଙ୍ଗର ଲଚ୍ଛା ସହ ଖଜୁରା, ଫଲୁଦା, କାଜୁ, କିସ୍‌ମିସ୍‌, ସିମେଇ ଓ ହାଲ୍‌ଓ୍ୱା ଆଦି ବିକ୍ରି କରି ବ୍ୟବସାୟୀମାନେ ବେଶ୍‌ ଦୁଇ ପଇସା ରୋଜଗାର କରନ୍ତି। ସାମଗ୍ରୀ ସବୁ ରାଉରକେଲା, କୋଲ୍‌କାତା, କଟକ ଓ ଟାଟା ଆଦି ଅଞ୍ଚଳରୁ ଆମଦାନୀ ହୁଏ। କିନ୍ତୁ ଏ ବର୍ଷ ନା ମାଲ୍‌ ଆସିପାରିଲା ନା ମସ୍‌ଜିଦ୍‌ ସମ୍ମୁଖରେ ରମ୍‌ଜାନ୍‌ ପସରା ଖୋଲିଲା। ବ୍ୟବସାୟଠୁ ଆରମ୍ଭ କରି ଧର୍ମାନୁଷ୍ଠାନ ପର୍ଯ୍ୟନ୍ତ ସବୁଠି ଯେମିତି କରୋନା ତାଲା ପକାଇ ଦେଇଛି।

ସମ୍ବନ୍ଧିତ ଖବର