ଭୁବନେଶ୍ବର: ଘଣ୍ଟା ପ୍ରତି ୧୩ କିମି ବେଗରେ ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’। ସମୟ ଯେତିକି ଗଡ଼ୁଛି ବାତ୍ୟାର ଗତି ସେତିକି ବଢୁଛି। ରାତି ୧୨ଟା ସୁଦ୍ଧା ବାତ୍ୟା ଚେନ୍ନାଇଠାରୁ ୪୦୦ କିମି ପୂର୍ବରେ ରହିଛି। କାକିନାଡ଼ାଠାରୁ ୪୧୦ କିମି, ବିଶାଖାପାଟଣାଠାରୁ ୪୬୦ କିମି ଓ ଗୋପାଳପୁରଠାରୁ ୬୪୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ମଙ୍ଗଳବାର ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ୨୮ ତାରିଖ ସନ୍ଧ୍ୟା କିମ୍ବା ରାତିରେ କାକିନାଡ଼ା ପାଖାପାଖି ମଛଲିପଟନମ୍‌ ଓ କଳିଙ୍ଗପଟନମ୍‌ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୯୦ରୁ ୧୦୦ କିମି ମଧ୍ୟରେ ରହିବ। ଝଟକା ପବନର ବେଗ ଘଣ୍ଟା ପ୍ରତି ୧୧୦ କିମି ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

Advertisment

ବାତ୍ୟା ପ୍ରଭାବରେ ଆଜିଠାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିଛି। ତୁହାକୁ ତୁହା ପବନ ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ପୁରୀ, ଗଞ୍ଜାମ, ଗଜପତି ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ପାଗର ମିଜାଜ୍‌ ବଦଳିଛି। ମଙ୍ଗଳବାର ସନ୍ଧ୍ୟାରେ ‘ମୋନ୍ଥା’ ସ୍ଥଳଭାଗ ସ୍ପର୍ଶ କରିବାକୁ ଥିବାରୁ ଆସନ୍ତା ୪୮ ଘଣ୍ଟା ଓଡ଼ିଶା ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ତାହାକୁ ନଜରରେ ରଖି ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ପାଇଁ ରେଡ୍‌ ୱାର୍ଣ୍ଣିଂ ଦେଇଛି। ୨୮ ତାରିଖ ସକାଳ ସାଢ଼େ ୮ଟାରୁ ୨୯ ତାରିଖ ସକାଳ ମଧ୍ୟରେ ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୬୦ରୁ ୮୦ କିମି ବେଗରେ ପବନ ହୋଇପାରେ। ଏଥିସହ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏଣୁ ଏସବୁ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ(ଲାଲ୍‌ ଚେତାବନୀ) ଦିଆଯାଇଛି। ଏହି ସମୟ ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୬୦ କିମି ବେଗରେ ପବନ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ ରହିବ।

ଦକ୍ଷିଣରେ ୬୦ରୁ ୮୦ କିମି ବେଗରେ ପବନ, ୪୮ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ

ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ୍‌ ୨୯ ତାରିଖ ସକାଳ ସାଢ଼େ ୮ଟାରୁ ୩୦ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୬୦ରୁ ୮୦ କିମି ବେଗରେ ପବନ ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀରରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ଘଣ୍ଟା ପ୍ରତି ୫୦ରୁ ୭୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱା‌ର୍ଣ୍ଣିଂ ଜାରି ହୋଇଛି।

ରାତି ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ବ‌ଙ୍ଗୋପସାଗରରେ ଘଣ୍ଟାପ୍ରତି ୮୦ରୁ ୧୦୦ କିମି ବେଗରେ ପବନ ହେଉଛି। ସମୁଦ୍ର ସ୍ଥିତି ଅଧିକ ଖରାପ ହୋ‌ଇଛି। ଉଚ୍ଚରୁ ଅତି ଉଚ୍ଚ ଜୁଆର ଉଠୁଛି। ୨୮ ତାରିଖ ସକାଳଠାରୁ ୨୯ ତାରିଖ ସକାଳ ମଧ୍ୟରେ ଅତ୍ୟନ୍ତ ଉଚ୍ଚର ଜୁଆର ରହିବ ଏବଂ ସମୁଦ୍ର ଅଶାନ୍ତ ପ୍ରକ୍ରିୟା ଲାଗିରହିବ। ୨୮ ତାରିଖ ସକାଳଠାରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟା‌ପ୍ରତି ୬୦ରୁ ୭୦ କିମି ବେଗରେ ପବନ ହେବ। ଝଟକା ପବନର ବେଗ ୮୦ କିମି ଛୁଇଁପାରେ। ଆଖପାଖ ଅଞ୍ଚଳରେ ପବନର ବେଗ ସାମାନ୍ୟ କମ୍‌ ରହିବ। ଅନୁରୂପ ଭାବେ ଉତ୍ତର ଓଡ଼ିଶା ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପବନର ବେଗ ୫୦ରୁ ୭୦ କିମି ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୨୪ ଘଣ୍ଟା ଓଡ଼ିଶା ଉପକୂଳ ସମ୍ପୂର୍ଣ୍ଣ ଅଶାନ୍ତ ରହିବ। ତେଣୁ ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପଗସାର, ଓଡ଼ିଶା ଉପକୂଳ ଓ ନିକଟବର୍ତ୍ତୀ ଅଞ୍ଚଳ ଏବଂ ୨୮ ଓ ୨୯ ତାରିଖ ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଅଞ୍ଚଳ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଓଡ଼ିଶାର ସମସ୍ତ ବନ୍ଦର ପାଇଁ ଦୁଇ ନମ୍ବର ସିଗନାଲ୍‌ ଜାରି ହୋଇଛି।

ସ୍ଥାନାନ୍ତର ହେବେ ୩୫ହଜାର ଲୋକ, ସଚିବ, ଜିଲ୍ଲାପାଳଙ୍କ ସହ ମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର: ବାତ୍ୟା ମୋନ୍ଥାରେ ଶୂନ ମୃତାହତ ଲକ୍ଷ୍ୟ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସବୁ ବିଭାଗର ସଚିବ, ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ପରେ ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି ଯେ ଆଜି ସଂଧ୍ୟା ସୁଦ୍ଧା ୮ଟି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ୧୪୪୫ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରାୟ ୩ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି, ଆହୁରି ୩୨,୫୨୮ ଜଣ ଲୋକଙ୍କୁ ନିରାପଦ ଭାବେ ସ୍ଥାନାନ୍ତର ହେବେ। ଆଶ୍ରୟସ୍ଥଳୀଗୁଡ଼ିକରେ ଶୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୧୪୯୬ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଆହୁରି ୭୬୦ ଜଣ ମହିଳାଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚାଲିଛି।

ବାତ୍ୟା ପ୍ରସ୍ତୁତି ନେଇ ତଟରକ୍ଷୀ ବାହିନୀ ସହିତ ମଧ୍ୟ ଆଲୋଚନା ହୋଇଛି। ସମୁଦ୍ର ମଧ୍ୟରେ ରହିଯାଇଥିବା ଟ୍ରଲରଗୁଡ଼ିକୁ ସୁରକ୍ଷିତ ଭାବେ କୂଳକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସର୍ବାଧିକ ପ୍ରଭାବିତ ଆଶଙ୍କା ଥିବା ୮ଟି ଜିଲ୍ଲାରେ ୧୪୦ଟି ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବିଭାଗର ଦଳ ମୁତୟନ ହୋଇଛନ୍ତି। ସବୁ ଜିଲ୍ଲାରେ ବରିଷ୍ଠ ଅଧିକାରୀମାନଙ୍କୁ ବାତ୍ୟା ପରିଚାଳନାର ଦାୟିତ୍ୱ ଦିଆଯାଇଛି। ବାତ୍ୟା ପରବର୍ତ୍ତୀ ସମୟରେ ଯଦି ବିଦ୍ୟୁତ୍‌ ସେବା ବ୍ୟାଘାତ ହୁଏ ତେବେ ୨୪ ଘଣ୍ଟା ମଧ୍ୟରେ ଏହାକୁ ପୁନସଂସ୍ଥାପନ କରିବାକୁ ବ୍ୟବସ୍ଥା କରାଯାଇଛି।

ସେହିଭଳି ହୀରାକୁଦ ବନ୍ଧର ଜଳ ପରିଚାଳନାକୁ ନିୟନ୍ତ୍ରିତ କରାଯାଉଛି। ବିପଦସଂକୁଳ ସ୍ଥାନରେ ଥିବା ଗୃହପାଳିତ ପଶୁଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। 
ଏସ୍‌ଆର୍‌ସି ଡି.କେ ସିଂହ କହିଛନ୍ତି ଯେ ପୂର୍ବାନୁମାନ ଅପେକ୍ଷା ବାତ୍ୟାର ପ୍ରଭାବ କମ୍‌ ରହିବ। ଆତଙ୍କିତ ନହେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।
ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଭୂସ୍ଖଳନର ଆଶଙ୍କା ଥିବାରୁ ତାହାକୁ ସାମ୍ନା କରିବା ପାଇଁ ବିଭିନ୍ନ ସ୍ଥାନରେ ୧୩୦ଟିମ୍‌ ପ୍ରସ୍ତୁତ ରହିଛନ୍ତି। ବିଶେଷ କରି ଗଜପତି ଜିଲ୍ଲାକୁ ଅଧିକ ୭ଟି ଓ ମାଲକାନଗିରି ଜିଲ୍ଲାକୁ ଅଧିକ ୩ଟି ଟିମ୍‌ ପଠାଯାଇଛି। ସମସ୍ତ ହୋଟେଲ୍‌ ଓ ପର୍ଯ୍ୟଟନସ୍ଥଳୀକୁ ବାତ୍ୟା ସମ୍ପର୍କରେ ଅବଗତ କରାଯିବା ସହ ସତର୍କ କରାଯାଇଛି। ପର୍ଯ୍ୟଟକ ଓ ଲୋକମାନେ ପାହାଡ଼କୁ ନଚଢ଼ିବା ଓ ନଦୀକୁ ନଯିବାକୁ ସତର୍କ କରାଯାଇଛି। ଯଦି କେଉଁଠି ଲୋକ ଫସିଯାଇଛନ୍ତି ତୁରନ୍ତ ଘଟଣା ସମ୍ପର୍କରେ ଜଣାଇବା ପାଇଁ ‌ହେଲ୍‌ପଲାଇନ୍‌ ନମ୍ବର-୧୧୨ କଲ୍‌ କରି ଜଣାଇବାକୁ କୁହାଯାଇଛି।

ଆଜିଠୁ ୧୧ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ବର: ରାଜ୍ୟ ସରକାର ରାଜ୍ୟର ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ୨୮ ଓ ୨୯ ତାରିଖ ଦୁଇ ଦିନ ସ୍କୁଲ୍‌ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯାଇପାରେ। ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଗଣଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାରେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି। 

ଜିଲ୍ଲା ପ୍ରଶାସନର ଆବଶ୍ୟକତା ଅନୁଯାୟୀ ବିଦ୍ୟାଳୟ ଗୃହଗୁଡ଼ିକ ବ୍ୟବହାର କରାଯାଇପାରେ। ଡିଇଓମାନେ ଆବଶ୍ୟକ ସମୟରେ ସମ୍ପୃକ୍ତ ନିର୍ଦ୍ଦେଶକମାନଙ୍କ ସହ ଆଲୋଚନା କରି ସମୟୋଚିତ ପଦକ୍ଷେପ ଗ୍ରହଣ କରିବେ। ସମସ୍ତ ଶ୍ରେଣୀ ଗୃହରେ ଏବଂ ଅନ୍ୟାନ୍ୟ କୋଠରୀଗୁଡ଼ିକରେ ବିଦ୍ୟୁତ୍‌ ଚଳାଚଳକୁ ବନ୍ଦ ରଖିବେ। ବିଦ୍ୟାଳୟରେ ଥିବା ସମସ୍ତ ଶୈକ୍ଷିକ ଉପକରଣ ଓ ଆସବାବପତ୍ରକୁ ସୁରକ୍ଷିତ ସ୍ଥାନରେ ରଖିବେ। ବାତ୍ୟା ପରେ ସମସ୍ତ ଉପକରଣ ଓ ଆସବାବପତ୍ର ପରିଚାଳନାକୁ ସୁନିଶ୍ଚିତ କରିବେ। ଯଦି ବାତ୍ୟାରେ କୌଣସି କ୍ଷୟକ୍ଷତି ହୋଇଥାଏ ତେବେ ପ୍ରଧାନଶିକ୍ଷକ ପରବର୍ତ୍ତୀ ସମୟରେ ଆକଳନ କରି ଡିଇଓଙ୍କୁ ଜଣାଇବେ। ଡିଇଓ ବାତ୍ୟାର କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳ ଓ ସମ୍ପୃକ୍ତ ନିର୍ଦ୍ଦେଶକଙ୍କୁ ଜଣାଇବେ। ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହୃତ ହେଉଥିବା ଚାଉଳକୁ ରିଲିଫ୍‌ କାର୍ଯ୍ୟରେ ବ୍ୟବହାର କରିପାରିବେ ଏବଂ ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ରିଲିଫ କମିସନରଙ୍କଠାରୁ ଭରଣା କରାଯିବ। ଗଣଶିକ୍ଷା ବିଭାଗର ସମସ୍ତ ନିର୍ଦ୍ଦେଶକ ନିଜ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ‘କଣ୍ଟ୍ରୋଲ୍‌ ରୁମ୍‌’ ଖୋଲିବେ ଏବଂ ଡିଇଓଙ୍କ ଯୋଗାଯୋଗରେ ରହିବେ। ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ମଧ୍ୟ ୨୪ ଘଣ୍ଟିଆ ‘କଣ୍ଟ୍ରୋଲ୍‌ ରୁମ୍‌’ ଖୋଲିବ।

ନାଇଡ଼ୁଙ୍କ ଶୂନ ମୃତାହତ ଯୋଜନା

କାକିନାଡ଼ାରୁ ରାକେଶ ରୋଷନ ମହାନ୍ତି
ବ୍ରହ୍ମପୁର: ମଙ୍ଗଳବାର ସନ୍ଧ୍ୟାରୁ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ଆରମ୍ଭ ହେବ। ମଛଲିପଟନମ୍‌ ଓ କଳିଙ୍ଗପଟନମ୍‌ ମଝିରେ କାକିନାଡ଼ା ପାଖାପାଖି ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁପାରେ। ଓଡ଼ିଶା ଭଳି ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଶୂନ ମୃତାହତ ଉପରେ ଗୁରୁତ୍ୱ ଦେଇଛନ୍ତି। ରାତିରେ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ସମୀକ୍ଷା ବୈଠକ କରି ସବୁ ଅଧିକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

କାକିନାଡ଼ା ଜିଲ୍ଲାପାଳ ସନମୋହନ୍‌ ସଗିଲିଙ୍କ ନେତୃତ୍ୱରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବେଳାଭୂମି ସିଲ୍‌ କରିଦିଆଯାଇଛି। ପୁଲିସ ବ୍ୟାରିକେଡ଼ ଲଗାଇ ଜଗି ରହିଥିବା ବେଳେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଅପରାହ୍‌ଣରେ ପୌର ଓ ନଗର ଉନ୍ନୟନ ମନ୍ତ୍ରୀ ପି. ନାରାୟଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଥିଲେ। ମନ୍ତ୍ରୀ କହିଛନ୍ତି, ସମୁଦ୍ର ଭିତରକୁ ଯାଇଥିବା ସମସ୍ତ ୬୧୭ଟି ଡଙ୍ଗା ଆସି ସାରିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ବିଭିନ୍ନ ସ୍କୁଲ୍, କଲେଜ ହଷ୍ଟେଲରେ ଥିବା ୧୪,୫୦୦ ଅନ୍ତେବାସୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ୧୪୨ ଜଣ ଗର୍ଭବତୀଙ୍କ ସମେତ ୩୦୦୦ରୁ ଅଧିକ ଲୋକଙ୍କୁ ତଳିଆ ଅଞ୍ଚଳରୁ ୨୬୯ଟି ଆଶ୍ରୟସ୍ଥଳୀକୁ ନିଆଯାଇଛି। ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ର ଶତାଧିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ୧୦୧ଟି ସରକାରୀ କୋଠାକୁ ଆଶ୍ରୟସ୍ଥଳୀ ଭାବେ ପ୍ରସ୍ତୁତ କରି ରଖାଯାଇଛି।  

ଅନ୍ୟପଟେ ଉପ୍ପଡ଼ା ଉପକୂଳ ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ସେଠାରେ ଆଜି ସକାଳୁ ଭୀଷଣ ଜୁଆର ଉଠୁଥିବା ଦେଖିବାକୁ ମିଳିଛି। ସମୁଦ୍ର ଅଶାନ୍ତ ରହିବା ସହ ଉପ୍ପଡାଠାରେ କୂଳ ଲଙ୍ଘିଛି। ଉପ୍ପଡ଼ା, କୋଠପଲ୍ଲୀ, ଥଲାରବୁ, ଥୋଡ଼ାଙ୍ଗି ଓ କାକିନାଡ଼ା ଗ୍ରାମାଞ୍ଚଳକୁ ବହୁ ସଂଖ୍ୟାରେ ସ୍ୱତନ୍ତ୍ର ଟିମ୍‌ ପଠାଯାଇଛି। ବେଳାମାର୍ଗକୁ ପୁଲିସ ବାହିନୀ ଜଗି ରହିଛନ୍ତି।