କଟକ: ରାଜ୍ୟରେ ଏବେ ଥାନା ବାବୁ ମାନଙ୍କର ଚିନ୍ତା ବଢିଲାଣି। ଥାନାସ୍ତରରେ ଉନ୍ନତ ସେବା ଯୋଗାଇବା ପାଇଁ ସେମାନଙ୍କୁ ଯେଉଁ ପୂର୍ବ ସରକାର ଅମଳରେ ଟଙ୍କା ମିଳୁଥିଲା, ତାହା ବନ୍ଦ ହୋଇଯାଇଛି। ଥାନାକୁ ଟଙ୍କା ଦେବା ପାଇଁ ପୂର୍ବ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବଜେଟ୍ ବରାଦ କରାଯାଇଥିଲା। ମାସିକ ୨୦ରୁ ୪୦ ହଜାର ଟଙ୍କା ଯାଏଁ ତିନୋଟି ବର୍ଗରେ ଥାନାକୁ ଏହି ଟଙ୍କା ପ୍ରଦାନ କରାଯାଉଥିଲା। କମିସନରେଟ୍ ପୁଲିସର ଥାନାକୁ ମାସକୁ ୪୦ ହଜାର ଟଙ୍କା ମିଳୁଥିବା ବେଳେ ତାହା ହଠାତ୍ ବନ୍ଦ ହୋଇଯାଇଛି। ସରକାର ବଦଳିବା ପରେ ଏହି ଟଙ୍କା ଥାନା ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଉ ଆସୁ ନଥିବା ଘଟଣା ଏବେ ଥାନା ବାବୁଙ୍କ ଚିନ୍ତାର କାରଣ ହୋଇଛି।

Advertisment

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ଅକ୍ଟୋବର ୨୮ରେ ରାଜ୍ୟର ମୋଟ ୫୮୭ଟି ଥାନାରେ ଉନ୍ନତ ସେବା ଯୋଗାଇବା ଉଦ୍ଦେଶ୍ୟରେ ‘ମୋ ସରକାର’ ଅଧୀନରେ ୧୭.୫ କୋଟି ଟଙ୍କା ସ୍ବତନ୍ତ୍ର ଅର୍ଥ ବରାଦ କରାଯାଇଥିଲା। ନିଷ୍ପତ୍ତି ଅନୁଯାୟୀ, କଟକ ଓ ଭୁବନେଶ୍ବର କମିସନରେଟ୍ ପୁଲିସର ୪୪ଟି ଥାନାକୁ ମାସିକ ୪୦ ହଜାର ଟଙ୍କା, ୧୪୨ଟି ସହରାଞ୍ଚଳ ଥାନାକୁ ୩୦ ହଜାର, ୩୫୧ ଗ୍ରାମାଞ୍ଚଳ ଥାନାକୁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ଏବଂ ରାଜ୍ୟରେ ଥିବା ଚାରିଟି ମହିଳା ଥାନା, ପାଞ୍ଚଟି ଟ୍ରାଫିକ୍‌ ଥାନା, ୧୫ଟି ରେଳବାଇ ଥାନା, ସାଇବର୍ ଥାନା, ଅର୍ଥନୈତିକ ଅପରାଧ ପୁଲିସ ଥାନା, ସ୍ବତନ୍ତ୍ର ଟାସ୍କ ଫୋର୍ସ ପୁଲିସ ଥାନା, ମାନବାଧିକାର ସୁରକ୍ଷା ସେଲ୍ ଥାନା, କ୍ରାଇମବ୍ରାଞ୍ଚ ପୁଲିସ ଥାନାକୁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହି ଟଙ୍କା ଥାନା ଆଇଆଇସିଙ୍କ ନାଁରେ ବ୍ୟାଙ୍କରେ ଖୋଲାଯାଇଥିବା ଏକ ଆକାଉଣ୍ଟକୁ ପଠାଯାଉଥିଲା। ୧୦ ତାରିଖ ସୁଦ୍ଧା ଟଙ୍କା ଆଇଆଇସିଙ୍କ ଆକାଉଣ୍ଟକୁ ଆସୁଥିଲା। ଜଣେ ବରିଷ୍ଠ ପୁଲିସ ଅଫିସରଙ୍କ କହିବା ଅନୁଯାୟୀ, ଏହି ଟଙ୍କାରେ ମୁଖ୍ୟତଃ ଥାନା ଅଫିସରମାନେ ପ୍ରିଣ୍ଟ ପାଇଁ କାଗଜ, କ୍ୟାଟ୍ରିଜ୍, ଥାନାର ସୌନ୍ଦର୍ଯ୍ୟୀକରଣ, କୌଣସି ମାମଲାରେ ଅଭିଯୁକ୍ତଙ୍କୁ ଧରିବାକୁ କିମ୍ବା ତଦନ୍ତ କରିବାକୁ ଜିଲ୍ଲା ବାହାରକୁ ତଦନ୍ତକାରୀ ଅଧିକାରୀ ଗଲେ ଏହି ପାଣ୍ଠିରୁ ମୁଖ୍ୟତଃ ଟଙ୍କା ଖର୍ଚ୍ଚ କରାଯାଇଥାଏ।

ଏହାବାଦ୍ ଥାନାର ଖବରିକୁ ଟଙ୍କା ଦିଆଯିବା ସହିତ ଚେୟାର, ଟେବୁଲ କିମ୍ବା ଅଫିସ ଷ୍ଟେସନାରି କିଣିବା ପାଇଁ ଏହି ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରାଯାଉଥିଲା। ଏମିତିକି ଥାନାରେ ନିୟୋଜିତ ସୁଇପର୍ ପାଇଁ ବି ଟଙ୍କା ଏହି ପାଣ୍ଠିରୁ ଖର୍ଚ୍ଚ କରାଯାଇଥାଏ। ପୂର୍ବରୁ ଏଥିପାଇଁ ମାତ୍ର ୭୦୦ ଟଙ୍କା ଏକ ସ୍ବତନ୍ତ୍ର ବ୍ୟାଙ୍କ ଆକାଉଣ୍ଟରେ ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ଆଉଟ୍‌ସୋର୍ସିଂରେ ସୁଇପର୍ ନିୟୋଜିତ କରାଯାଇଥିଲା। ଏବେ ବ୍ୟକ୍ତିଗତ ଭାବେ ଥାନା ସ୍ତରରେ ଥାନା ବାବୁମାନେ ସୁଇପର୍ ନିୟୋଜିତ କରିଛନ୍ତି। ମାସିକ ୨ରୁ ୩ ହଜାର ଟଙ୍କା ନେଉଥିବା ସୁଇପର୍ ପାଇଁ ଦରମା ମଧ୍ୟ ଏହି ପାଣ୍ଠିରୁ ଭରଣା କରାଯାଇଥାଏ। ସିସିଟିଏନ୍‌ଏସ୍‌ ମାଧ୍ୟମରେ ମାମଲା ରୁଜୁ ହେବା ପ୍ରକ୍ରିୟା ଥାନା ସ୍ତରରେ ଆରମ୍ଭ ପରଠାରୁ ଥାନାରେ ହାତ ଲେଖା ଏକ ପ୍ରକାର ବନ୍ଦ ହୋଇଯାଇଛି। ସିସିଟିଏନ୍‌ଏସ୍‌ରେ ମାମଲା ରୁଜୁ ପରେ ଏହାକୁ ପରବର୍ତ୍ତୀ ସମୟରେ ପ୍ରିଣ୍ଟ କରାଯାଇଥାଏ। ଗୋଟିଏ ଥାନାରେ ହାରାହାରି କାଗଜ ପିଛା ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ମୋଟାମୋଟି ଭାବେ କହିବାକୁ ଗଲେ ଥାନାରେ ଏହି ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ଯେଉଁ ଅର୍ଥର ଆବଶ୍ୟକତା ଥାଏ ସେହି ଟଙ୍କା ମାସିକ ମିଳୁଥିବା ଟଙ୍କାରୁ ହିଁ ଭରଣା କରାଯାଇଥାଏ। ଶେଷ ଥର ଥାନା ବାବୁ ମାନଙ୍କୁ ଏପ୍ରିଲ୍‌ ମାସରେ ଟଙ୍କା ମିଳିଥିଲା। କିନ୍ତୁ ସରକାର ବଦଳିଲା ପରେ ଏହି ଟଙ୍କା ବନ୍ଦ ହୋଇଥିବା କୁହାଯାଉଛି। ଏବେ ଏ ସବୁ ଆନୁଷଙ୍ଗିକ ଖର୍ଚ୍ଚ ତୁଲାଇବା ପାଇଁ ଥାନାସ୍ତରରେ ପୁଲିସ ଦୁର୍ନୀତି କରିବାକୁ ପରୋକ୍ଷରେ ବାଧ୍ୟ ହେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।