ପାନୀୟଜଳ ପ୍ରକଳ୍ପର ମାସିକ ବିଲ୍‌ ୧ ଲକ୍ଷ ୩୦ ହଜାର

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତରେ ଥିବା ପାନୀୟଜଳ ପ୍ରକଳ୍ପର ମାସିକ ବିଦ୍ୟୁତ୍‌ ବିଲ୍‌ ଲକ୍ଷେ ୩୦ ହଜାର। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ବର୍ଷକୁ ୧୫ ଲକ୍ଷ ୬୦ ହଜାର ଟଙ୍କା ବିଦ୍ୟୁତ୍‌ ବିଲ୍‌ ହେଉଥିବା ବେଳେ ବକେୟା ଅଛି ୧୪ ଲକ୍ଷ ଟଙ୍କା। ଏତେ ପରିମାଣର ବିଦ୍ୟୁତ୍‌ ବିଲ୍‌ ପଇଠ କରିବାକୁ ଟଙ୍କା ଆଣିବୁ କେଉଁଠୁ ବୋଲି ସରପଞ୍ଚ ସୁବାସିନୀ ସେଠୀ ପ୍ରଶ୍ନ କରିଛନ୍ତି।

ସୁବାସିନୀଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ୯ଟି ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ କରୁଛି। ଏହା ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିବାରୁ ପ୍ରତି ଗାଁରେ ପାନୀୟଜଳ ଅଭାବକୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଢେଙ୍କା, ବାରିଗାଁ, କଣିଆରୀ, ମୋଟରାଗଡ଼ିଆ, ଝଣଝଣା, ପୁରୁଣାପାଣି, କାଳିଆମ୍ବ, ସଙ୍ଗମ ଗାଁରେ ପାନୀୟ ଜଳପ୍ରକଳ୍ପ ନିର୍ମାଣ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଛି। ଏସବୁ ପ୍ରକଳ୍ପର ମରାମତି ଓ ବିଦ୍ୟୁତ୍‌ ବିଲ୍‌ ପଇଠ କରିବା ଦାୟିତ୍ବ ପଞ୍ଚାୟତର। ଏହି ଯୋଜନା ପାଇଁ ପଞ୍ଚାୟତକୁ ବର୍ଷକୁ ମାତ୍ର ୭ ଲକ୍ଷ ଟଙ୍କା ଆସୁଥିବା ବେଳେ ପଞ୍ଚାୟତ ମାସକୁ କେବଳ ବିଦ୍ୟୁତ୍‌ ବିଲ୍‌ ବାବଦକୁ ଲକ୍ଷେ ୩୦ ହଜାର ଟଙ୍କା ଖର୍ଚ୍ଚ କରିବୁ। ଏହାବାଦ୍‌ ବିଭିନ୍ନ ସମୟରେ ପ୍ରକଳ୍ପ ଗୁଡ଼ିକ ଖରାପ ହେଲେ ତାହାର ମରାମତି ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଫଳରେ ମିଳୁଥିବା ଅନୁଦାନ ଠାରୁ ଖର୍ଚ୍ଚ ଦୁଇଗୁଣରୁ ଅଧିକ ହୋଇଯାଉଛି ବୋଲି ସରପଞ୍ଚ ଶ୍ରୀମତୀ ସେଠୀ କହିଛନ୍ତି।

ତାଙ୍କ କହିବା ଅନୁଯାୟୀ, କଣିଆରୀ ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପର ବିଦ୍ୟୁତ୍‌ ବିଲ୍‌ ମାସକୁ ୨୦ ହଜାର ଟଙ୍କା ଆସୁଛି। ମଟରାଗାଡ଼ିଆ ପ୍ରକଳ୍ପର ୧୦ ହଜାର, ବାରିଗାଁ ପ୍ରକଳ୍ପର ୧୦ ହଜାର, ଢେଙ୍କା ପ୍ରକଳ୍ପର ୩୦ ହଜାର, ଝଣଝଣା ପ୍ରକଳ୍ପର ୬ ହଜାର, କାଳିଆମ୍ବ ପ୍ରକଳ୍ପର ୬ହଜାର, ପୁରୁଣାପାଣି-୧ର ୧୦ ହଜାର, ପୁରୁଣାପାଣି-୨ର ୧୨ହଜାର ଏବଂ ସଙ୍ଗମ ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପର ବିଦ୍ୟୁତ୍‌ ବିଲ୍‌ ୧୨ ହଜାର ଟଙ୍କା ହେଉଛି। ପ୍ରତିମାସରେ ପଞ୍ଚାୟତ ପକ୍ଷରୁ ବିଲ୍‌ ପଇଠ କରିବାକୁ ପଡ଼ୁଛି। ଏ ବାବଦକୁ ଆସୁଥିବା ଅନୁଦାନ ସମେତ ପଞ୍ଚାୟତର ନିଜର ରୋଜଗାର ବାବଦରୁ ଅର୍ଥ ବିଦ୍ୟୁତ୍‌ ବିଲ୍‌ ବାବଦକୁ ଖର୍ଚ୍ଚ କରାଯାଉଛି। ଏଭଳି ସ୍ଥିତିରେ ପଞ୍ଚାୟତର ବିକାଶମୂଳକ କାମ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଶେଷରେ ବାଧ୍ୟ ହୋଇ ଆମକୁ ସମସ୍ତ ପ୍ରକଳ୍ପ ବନ୍ଦ କରିବାକୁ ପଡ଼ିବ ବୋଲି ସରପଞ୍ଚ କହିଛନ୍ତି। ଏନେଇ ସେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦେଶକଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର