ବହୁ ଚର୍ଚ୍ଚିତ ହତ୍ୟା ଘଟଣା ମାମଲା: କୋର୍ଟ ଭିତରେ ପତ୍ନୀ ‌ହତ୍ୟା, ଅଭିଯୁକ୍ତ ରମେଶକୁ ଆଜୀବନ କାରାଦଣ୍ଡ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ଦୌରା ଜଜ୍ ବିରଞ୍ଚି ନାରାୟଣ ମହାନ୍ତି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବହୁଚର୍ଚ୍ଚିତ କୋର୍ଟରୁମ୍‌ ଭିତରେ ପ୍ରେମିକା ତଥା ପତ୍ନୀ ସଂଜିତା ଚୌଧୁରୀଙ୍କୁ ହତ୍ୟା ମାମଲାର ରାୟ ଶୁଣାଇ ଅଭିଯୁକ୍ତ ରମେଶ ‌କୁମ୍ଭାର ଓରଫ ଟିଆଁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବିହାର ସମସ୍ତିପୁର ଅଞ୍ଚଳର ଫୁଦନ ଚୌଧୁରୀ(୫୦) ସମ୍ବଲପୁର ସିନ୍ଦୁରପଙ୍କରେ ସପରିବାର ରହି ଗୁପ୍‌ଚୁପ୍ ବେପାର କରୁଥିଲେ। ସିନ୍ଦୁରପଙ୍କ ଅଞ୍ଚଳରେ ରହୁଥିବା ଗାଡ଼ିଚାଳକ ରମେଶ ଓରଫ ଟିଆଁ ଗତ ୨୦୧୭ ମସିହାରେ ଫୁଦନଙ୍କ ଝିଅ ସଂଗୀତା ଓରଫ ସଂଜିତାଙ୍କୁ ଅପହରଣ କରି ନେଇଥିଲା। ଅପହରଣର କିଛି ଦିନ ପରେ ସ୍ଥାନୀୟ ପୁଲିସ ସଂଗୀତାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜିମା ଦେଇଥିଲା। ତେବେ, ଏହାର କିଛି ଦିନ ପରେ ରମେଶ ପୁଣି ସଂଜିତାକୁ ଉଠାଇ ନେଇଥିଲା।

ଏହା ପରେ ସେମାନେ ଏକାଠି ପତିପତ୍ନୀ ଭାବେ ରହିଥିଲେ। କିନ୍ତୁ, ପରେ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ରମେଶଙ୍କ ନିର୍ଯାତନା ଯୋଗୁଁ ସଂଜିତା ବାପଘରକୁ ଚାଲି ଆସିଥିଲେ। ଏଭଳି ସ୍ଥିତିରେ ପରିବାର ଲୋକେ ବିହାରରେ ତାଙ୍କର ବିବାହ କରି ଦେଇଥିଲେ। ଏ କଥା ଜାଣିବା ପରେ ରମେଶ ସଂଜିତାଙ୍କୁ ନିଜ ପତ୍ନୀ ବୋଲି ଦାବି କରି ସମ୍ବଲପୁର ପରିବାର ଅଦାଲତରେ ମାମଲା ଦାଏର କରିଥିଲା। ୨୩ ତାରଖ ଏପ୍ରିଲ ୨୦୧୮ ଦିନ ଏହି ମାମଲାର କାଉନସେଲିଂ ତାରିଖ ଥିଲା। ସକାଳେ ସଂଜିତା ତାଙ୍କ ବାପା ଫୁଦନ ଓ ମା’ ଲଳିତାଙ୍କ ସହ ଅଦାଲତ( ଫାମିଲି କୋର୍ଟ)କୁ ଆସିଥିଲେ। ସାଙ୍ଗରେ ତାଙ୍କ ବଡ଼ ଭଉଣୀର ଅଢ଼େଇ ବର୍ଷର ଝିଅ ଶିବାନୀକୁ ମଧ୍ୟ ଆଣିଥିଲେ। ଫୁଦନ ତାଙ୍କ ଓକିଲଙ୍କୁ ଖୋଜିବାକୁ ଯାଇଥିବାବେଳେ ସଂଜିତା ଓ ଅନ୍ୟମାନେ ଅଦାଲତ ଭିତରେ ଅପେକ୍ଷା କରିଥିଲେ। ସକାଳ ପ୍ରାୟ ୯ଟା ବେଳେ ରମେଶ ଅଚାନକ ସେଠାରେ ପହଞ୍ଚି ସଂଜିତାଙ୍କୁ ମୁଣ୍ଡରେ ଖଣ୍ଡା ଚୋଟ ମାରିଥିଲା। ପ୍ରାଣ ବିକଳରେ ସେ ପାଖରେ ଥିବା ଜଣେ ଆଇନଜୀବୀ ନିଳିମା ପଣ୍ଡାଙ୍କ ନିକଟକୁ ଧାଇଁ ଯାଇଥିଲେ। ନିଳିମା କୌଶଳକ୍ରମେ ସଂଗୀତାଙ୍କୁ ଉଦ୍ଧାର କରି ଅଦାଲତର ଏକ କକ୍ଷରେ ପୂରାଇ ଦେଇଥିଲେ। ତେବେ, ରମେଶ ସେଠାରେ ଉପସ୍ଥିତ ଲଳିତା ଓ କୁନି ଝିଅ ଶିବାନୀଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲା। ସେମାନଙ୍କୁ ଲୋକେ ବଞ୍ଚାଇବା ଉଦ୍ୟମ କରିବା ବେଳକୁ ରମେଶ ପୁଣି ସଂଜିତାଙ୍କ ପାଖରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲା।

ସେ ସଂଗୀତା ତଳେ ପଡ଼ିଯିବା ପରେ ତାଙ୍କ ପେଟକୁ ଖଣ୍ଡାରେ ବାରମ୍ବାର ଭୁସିଥିଲା। ଫାମିଲି କୋର୍ଟ ପରିସର ରକ୍ତରଂଜିତ ହୋଇ ଯାଇଥିବା ବେଳେ ଓକିଲ ନିଳିମା ମଧ୍ୟ ସଂଜ୍ଞାହୀନ ହୋଇପଡ଼ିଥିଲେ। ବରିଷ୍ଠ ଆଇନଜୀବୀ ସୋନୁ ତ୍ରିପାଠୀ ଅଭିଯୁକ୍ତ ରମେଶଠାରୁ ବହୁ କଷ୍ଟରେ ଖଣ୍ଡା ଛଡ଼ାଇ ଆଣିଥିବା ବେଳେ ଲୋକେ ରମେଶକୁ କାବୁ କରି ନେଇଥିଲେ। କିଛି ସମୟ ପରେ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରମେଶକୁ ଗିରଫ କରିଥିଲା। ବୁର୍ଲା ଡାକ୍ତରଖାନାରେ ସଂଜିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ମାମଲାର ବିଚାର ବେଳେ ୧୩ ଜଣ ସାକ୍ଷ୍ୟ ନିଆଯାଇଥିଲା। ଅଦାଲତରେ ରମେଶ ଦୋଷୀ ସାବ୍ୟସ୍ତ ହୋଇଥିଲା। ଆଜି ଜିଲ୍ଲା ଦୌରା ଜଜ୍‌ ବିରଞ୍ଚି ନାରାୟଣ ମହାନ୍ତି ଏହି ମାମଲାର ରାୟ ଶୁଣାଇ ଆଇପିସି ଧାରା ୩୦୨ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ସେହିପରି ଧାରା ୩୦୭ ଅନୁଯାୟୀ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଏବଂ ଜରିମନା ଅନାଦେୟ ହେଲେ ଅତିରିକ୍ତ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଧାରା ୩୨୩ରେ ୬ ମାସ କାରାଦଣ୍ଡ ଏବଂ ଧାରା ୪୪୯ରେ ୭ ବର୍ଷ କାରାଦଣ୍ଡ ଏବଂ ୫ ହଜାର ଟଙ୍କା କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ଆର୍ମସ ଆକ୍ଟରେ ୫ ବର୍ଷ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ, ସବୁ ଧାରାର କାରାଦଣ୍ଡ ଏକ ସଂଗରେ ଚାଲିବ ବୋଲି ଆଦେଶ ହୋଇଛି। ପ୍ରାରମ୍ଭରେ ସରକାରଙ୍କ ପକ୍ଷରୁ ତତ୍କାଳୀନ ପବ୍ଲିକ ପ୍ରସିକ୍ୟୁଟର ଆର୍ତ୍ତତ୍ରାଣ ମିଶ୍ର ଏହି ମାମଲାର ପରିଚାଳନା କରିଥିଲେ। ପରବର୍ତ୍ତୀ ସମୟରେ ବର୍ତ୍ତମାନର ପବ୍ଲିକ ପ୍ରସିକ୍ୟୁଟର ଦୀପ୍ତିରଂଜନ ଷେଣ୍ଢ ଏହି ମାମଲାର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର