ପୋଖରୀରେ ବୁଡ଼ିଗଲେ ମା ଓ ଶିଶୁକନ୍ୟା

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଟଭରଣ୍ଡି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଶୌଚ ପାଇଁ ପୋଖରୀକୁ ଯାଇଥିବା ଜଣେ ମହିଳାଙ୍କ ସହ ୧୧ମାସର ଶିଶୁକନ୍ୟା ବୁଡ଼ି ଯାଇଛନ୍ତି। ଅଗ୍ନିଶମ ବିଭାଗ ଶବ ଉଦ୍ଧାର କରିବା ପରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହି ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ପରିବାର ଲୋକ ସ୍ତବ୍ଧ ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ହାଟଭରାଣ୍ଡି ଗ୍ରାମର ତୁଳସୀରାମ ଗଣ୍ଡଙ୍କ ଝିଅ ରଶ୍ମି ଗଣ୍ଡ ଓ ତାଙ୍କ ୧୧ମାସର ଶିଶୁକନ୍ୟା ଆଜି ସକାଳୁ ଗାଁ ପାଖ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ପୋଖରୀ କୂଳର ଓଦା ମାଟି ଖସଡ଼ା ହୋଇ ରହିଥିଲା। ଭାରସାମ୍ୟ ହରାଇ ଶିଶୁକନ୍ୟା ସହ ରଶ୍ମି ସେଥିରେ ଖସି ଯାଇଥିଲେ। ବର୍ଷା ଯୋଗୁଁ ପୋଖରୀରେ ପାଣି ଭର୍ତ୍ତି ହୋଇଯାଇଥିବାରୁ ଉଭୟ ଆଉ ଉଠିପାରି ନଥିଲେ। କିଛି ସମୟ ପରେ ଗାଁର ଜଣେ ଯୁବକ ପୋଖରୀରେ ରଶ୍ମିର ଶବ ଭାସୁଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲା। ଏହାପରେ ଗ୍ରାମବାସୀ ପହଞ୍ଚି ପୋଖରୀ ମଧ୍ୟରୁ ରଶ୍ମିର ଶବକୁ ବାହାର କରିଥିଲେ। କିନ୍ତୁ ପୋଖରୀରେ ପ୍ରବଳ ପାଣି ରହିଥିବାରୁ ଶିଶୁକନ୍ୟାର ଶବ ଉଦ୍ଧାର ହୋଇପାରି ନଥିଲା l ଏନେଇ ରାଇଘର ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ସମୟ ଧରି ଖୋଜାଖୋଜି ପରେ ପୋଖରୀରୁ ଶିଶୁକନ୍ୟାର ଶବ ବାହାର କରାଯାଇଥିଲା। ଘଟଣାସ୍ଥଳରେ ରାଇଘର ତହସିଲଦାର ଡ. ତୁଷାର ଜ୍ୟୋତି ରଂଜନ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଖବର ପାଇ କୁନ୍ଦେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ରଶ୍ମିଙ୍କ ସ୍ବାମୀ ପ୍ରକାଶ ଗଣ୍ଡ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ସୂଚନା ମିଳିଛି। ସ୍ବାମୀଙ୍କ ଅନୁପସ୍ଥିତିରେ ମା ଓ ଝିଅର ମୃତ୍ୟୁ ପରିବାର ଲୋକଙ୍କୁ ଶୋକରେ ବୁଡ଼ାଇ ଦେଇଛି।

ସମ୍ବନ୍ଧିତ ଖବର